Unknown

 

 

 

 

 

 

 

 

 

 

ଇଚ୍ଛାର ନାମ ପୁତ୍ର

ମୂଳରଚନା

ଶିବଶଙ୍କରୀ

ସୌରୀବନ୍ଧୁ କର

 

ଭୂମିକା

 

ଓଡ଼ିଆ ସାହିତ୍ୟରେ ଅନୁବାଦ ବହୁତ କମ୍ । ଅନ୍ୟାନ୍ୟ ରାଜ୍ୟର ଭାଷା ଓ ସାହିତ୍ୟର ଧାରା ଓ ବିକାଶ ସମ୍ବନ୍ଧରେ ଜାଣିବାକୁ ହେଲେ, ତାହାର ଶ୍ରେଷ୍ଠ କୃତି ଗୁଡ଼ିକର ଅନୁଦାନ ଏକାନ୍ତ ଅପରିହାର୍ଯ୍ୟ । ୧୯୮୧ ମସିହାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପତ୍ରିକା ‘ମାନସ’ରେ ପୁସ୍ତକ ଆଲୋଚନା କରିବାକୁ ତା’ର ସୁଯୋଗ୍ୟ ସମ୍ପାଦକ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ମୋତେ ଶ୍ରିମତୀ ଶିବଶଙ୍କରୀଙ୍କର ତାମିଲ ଉପନ୍ୟାସ ‘ଅଭନ୍ ଅଭଲଅଧୁ’ର ଇଂରାଜୀ ଅନୁବାଦ ପୁସ୍ତକ ‘ମେଟାମୋରଫସିସ୍’ ଦିଅନ୍ତି । ସେହି ଉପନ୍ୟାସଟିକୁ ପଢ଼ିବା ପରେ ଆଲୋଚନା କରି ତାକୁ ଅନୁବାଦ କରି ମାନସର ପୂଜାସଂଖ୍ୟାରେ ପ୍ରକାଶ କରିବା ସ୍ଥିର ହୁଏ । ମାତ୍ର ମାନସର ପୂଜାସଂଖ୍ୟା ପ୍ରକାଶିତ ହୋଇପାରେନା । ତାପରେ ‘ମେଟାମୋରଫସିସ୍’କୁ ବହି ଆକାରରେ ପ୍ରକାଶ କରିବାକୁ ମୋର ଇଚ୍ଛା ବଳବତ୍ତର ହୋଇଉଠେ । ସେହି ଇଚ୍ଛାରୁ ଜାତ ହୁଏ “ଇଚ୍ଛାର ନାମ ପୁତ୍ର” ।

 

ତାମିଲ ସାହିତ୍ୟରେ ଶିବଶଙ୍କରୀ ଏକ ଜଣାଶୁଣା ନାମ । ରାଷ୍ଟ୍ରିୟତା ଓ ମାନବିକ ଆଦର୍ଶକୁ ମୂଳାଧାର କରି ଯେଉଁମାନେ ତାମିଲ ଉପନ୍ୟାସ ସାହିତ୍ୟକୁ ପୁଷ୍ଟ କରୁଛନ୍ତି ସେମାନଙ୍କ ମଧ୍ୟରେ ଶିବଶଙ୍କରୀ ପ୍ରତିଷ୍ଠିତ ଔପନ୍ୟାସିକା । ନୂତନ ଶୈଳୀ ଓ ଚେତନାରେ ତାଙ୍କର ପ୍ରତ୍ୟେକ ରଚନା ସମୃଦ୍ଧ । ଉପନ୍ୟାସ ‘ଇଚ୍ଛାର ନାମ ପୁତ୍ର’ ସେହିଭଳି ଏକ ନୂତନ ଚିନ୍ତା ଓ କମନୀୟ ପରିପାଟୀରେ ସଜ୍ଜିତ । ସୁଶିକ୍ଷିତା, ଧନାତ୍ୟା, ଅପରୂପା ଲାବଣ୍ୟର ନିଜର ଶାରିରୀକ ଅକ୍ଷମତା ସତ୍ତ୍ଵେ ସନ୍ତାନଟିଏ ପାଇବାର ବଳବତ୍ତର ଇଚ୍ଛାରୁ ସୃଷ୍ଟି ହୋଇଥିବା ସମସ୍ୟା-ଗୁଡ଼ିକର ସମ୍ଭବ ହୋଇଛି ଉପନ୍ୟାସ ‘ଇଚ୍ଛାର ନାମ ପୁତ୍ର’ । ଏହି ଉପନ୍ୟାସଟି ପ୍ରତ୍ୟେକ ପାଠକ ନିକଟରେ ଚିନ୍ତା ଓ ସମ୍ବେଦନାରେ ଏକ ନୂତନ ଦିଗ ଉନ୍ମୋଚିତ କରିବାରେ ସାହାଯ୍ୟ କରିବ । ଓଡ଼ିଆ ଉପନ୍ୟାସରେ ଏପରି ବିଷୟବସ୍ତୁ ନେଇ ବୋଧହୁଏ ଏପର୍ଯ୍ୟନ୍ତ କୌଣସି ଉପନ୍ୟାସ ଲେଖା ଯାଇନାହିଁ । ତାମିଲରେ କିନ୍ତୁ ଏହି ଉପନ୍ୟାସକୁ ଭିତ୍ତିକରି ସିନେମା ହୋଇ ବହୁ ଦର୍ଶକର ମନୋରଞ୍ଜନ କରିପାରିଛି ।

 

ଏହି ଅନୁବାଦ ପୁସ୍ତକଟି ମୋର ପ୍ରଥମ ପୁସ୍ତକ । ଏ ପୁସ୍ତକଟିକୁ ଅନୁବାଦ କରିବାର ପ୍ରେରଣାର ଉତ୍ସ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ମୋର ସାହିତ୍ୟିକ ଜୀବନର ସ୍ରଷ୍ଟା । ଯେଉଁ ଅନ୍ୟାନ୍ୟ ବନ୍ଧୁମାନଙ୍କର ପ୍ରେରଣା ମୋର ସ୍ମୃତିରେ ସାଇତି ରହିବ ସେମାନେହେଲେ ଡକ୍ଟର ନୃସିଂହ ଚରଣ ପଣ୍ଡା, ଡକ୍ଟର ଗଣେଶ୍ୱର ମିଶ୍ର, ଶ୍ରୀ ଏନ୍. ତ୍ରିଷ୍ଣସ୍ତମୀ, ଶ୍ରୀ ବୈକୁଣ୍ଠନାଥ ରାଉତ, ମୋର ସହକର୍ମୀ ମିନତୀ ମିଶ୍ର ଓ ପ୍ରଖ୍ୟାତ ଶିଳ୍ପୀ ଶ୍ରୀ ଅସୀମ ବସୁ । ତାମିଲ ଉପନ୍ୟାସଟିର ଇଂରାଜୀ ଅନୁବାଦ କରି ଡକ୍ଟର ତ୍ରିଷ୍ଣା ଶ୍ରୀନିବାସ୍ ମୋର ଓଡ଼ିଆ ରୂପାୟନରେ ଅଶେଷ ସାହାଯ୍ୟ କରିଛନ୍ତି ।

 

କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋରର ସତ୍ତ୍ଵାଧିକାରୀ ପୂଜ୍ୟ ଶ୍ରୀଯୁକ୍ତ ଅନନ୍ତ ମିଶ୍ର ଏହାର ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ମୋର ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି ।

 

କାନାରା ବ୍ୟାଙ୍କ

ସୌରୀବନ୍ଧୁ କର

ଭୁବନେଶ୍ୱର

 

Image

 

ଇଚ୍ଛାର ନାମ ପୁତ୍ର

 

ଲାବଣ୍ୟ ହାତ ଘଡ଼ିକୁ ଚାହିଁଲା । ବର୍ତ୍ତମାନ ସମୟ ୫ଟା ୧୫ । ଧମୁ ଆଉ ପନ୍ଦର ମିନିଟ ପରେ ଆସି ପହଞ୍ଚିବ । ସେ ପ୍ରାୟ ଠିକ୍ ସମୟରେ ଆସେ ।

 

ଅରଗଣ୍ଡୀର ଧଳା ଶାଢ଼ି—ତା’ସହିତ ସେହି ରଙ୍ଗର ବ୍ଲାଉଜ । ମୁକ୍ତାର କାନଫୁଲ । ବେଶୀ କିଛି ଆଖିଦୃଶିଆ ପ୍ରସାଧନ ନୁହେଁ । କଳା ଟୋପାଟିଏ କପାଳ ଉପରେ । ଓଠଟି ଈଷତ୍ ଲାଲ୍ । ବାଳ ବବକରା, ରବର ବ୍ୟାଣ୍ଡଟି ଝୁଲିପଡ଼ିଥିବା ବାଳଗୁଡ଼ିକୁ ଏକାଠି ଧରି ରଖିଛି । ଟିକିଏ ସେଣ୍ଟ୍‍ର ମହକ; ହାତରେ ହ୍ୟାଣ୍ଡବ୍ୟାଗଟି ଧରି ବାହାରିପଡ଼ିଲା ସେ । ବାତାନୁକୂଳ ଘରଟିରୁ ବାହାରିବା ପୂର୍ବରୁ ତା’ର ମୁଖମଣ୍ଡଳରୁ ଝାଳ ଟୋପା ଟୋପା ଖସିପଡ଼ୁଥିଲା । ସେ ବାରଣ୍ଡାକୁ ଆସି ଦୋଳିରେ ବସିପଡ଼ିଲା ।” ମୁଁ ଚୌକିଟାକୁ ନେଇ ବଗିଚାରେ ପକାଇ ଦେବିକି ?” ମାଳୀଟି ପାଣିଦେବାର ହୋସଟିକୁ ଆସ୍ତେକରି ତଳେ ରଖି ପଚାରିଲା ।

 

“ନା, ମୁଁ ତ ବର୍ତ୍ତମାନ ବାହାରକୁ ଯାଉଛି ।”

 

ମାଳୀ ଚାଲିଗଲା ।

 

“ବାହାରକୁ ଯାଉଛ ? ମୁଁ ତୁମପାଇଁ କଫି ଆଣିବିକି ?” ତା’ ସାମନାକୁ ଚାଲିଆସି ଆପ୍ପୁ ପଚାରିଲା ।

 

କୋଡ଼ିଏ ବର୍ଷ ପୂର୍ବେ ଆପ୍ପୁ ତାଙ୍କର ପରିବାରକୁ ଆସିଥିଲା । ତା’ର ବାପା କୈଳାଶଙ୍କର ଅଜସ୍ର ଅର୍ଥ ଉପାର୍ଜନ ଏବଂ ତତ୍ସହିତ ବ୍ୟବସାୟର ବ୍ୟାପକ ବିସ୍ତାର ତା’ରି ଆଖିଆଗରେ ଗଢ଼ିଉଠିଛି ।

 

ତାକୁ ଯେତେବେଳେ ପାଞ୍ଚବର୍ଷ, ସେତେବେଳେ ସେ ଘରେ ପୂଜାରୀ ଭାବରେ ଯୋଗ ଦେଇଥିଲା । ଆପ୍ପୁ ନିଜକୁ କୈଳାଶଙ୍କ ପରିବାରର ସୁଖ ଦୁଃଖରେ ମିଶାଇ ଦେଇଥିଲା । ସ୍ତ୍ରୀଙ୍କର ବିୟୋଗ ହେବାପରେ କୈଳାଶ ଆଉ ବିବାହ କରିନଥିଲେ । ତେଣୁ ଲାବଣ୍ୟର ଲାଳନପାଳନର ଦାୟିତ୍ଵ ପଡ଼ିଥିଲା ଆପ୍ପୁ ଉପରେ । ଲାବଣ୍ୟ ଏହା ଭିତରେ ରାମଙ୍କୁ ବିବାହ କରିଥିଲା ଏବଂ ଗଲାବର୍ଷ ବିମାନ ଦୁର୍ଘଟଣାରେ କୈଳାଶଙ୍କର ମୃତ୍ୟୁ, ଏସବୁ ଘଟଣା ଆପ୍ପୁ ସାମନାରେ ଘଟି ଯାଇଥିଲା ।

 

“ଏଇଲେ କଫି ପିଇବାକୁ ଇଚ୍ଛାନାହିଁ । କେବଳ ଗିଲାସେ ଥଣ୍ଡାପାଣି ଆଣିଦେ ।” ଆପ୍ପୁ ପାଣି ଆଣିଦେଲା ।

 

ଧମୁର ଆମ୍ବାସଡ଼ାର୍ କାର୍ ଆସୁଥିବାର ଦେଖି, ଲାଭି ପୋର୍ଟିକୋ ପାଖକୁ ପାହାଚ ଦେଇ ଓହ୍ଲାଇ ଆସିଥିଲା ।

 

କାର୍ ବ୍ରେକ୍ ଦେଲା ।

 

“ଆଃ… ତୁମେ କେତେ ସୁନ୍ଦର ଦେଖାଯାଉଛ !” ଧମୁର ଏପ୍ରକାର ମନ୍ତବ୍ୟ ଲାବଣ୍ୟକୁ ବେଶ୍ ଭଲ ଲାଗିଲା ।

 

ସେ ଯାଇ କାରରେ ବସିବାମାତ୍ରେ କାର୍ ଚାଲିବାକୁ ଆରମ୍ଭ କରିଦେଲା । ମନୋରମ ଉଦ୍ୟାନ ଭିତର ଦେଇ ସେମାନେ ସମୁଦ୍ର କୂଳରେ ଥିବା ହୋଟେଲ୍ ଆଡ଼କୁ ଆଗେଇଲେ । ଗୋଟିଏ ବିଶାଳ ଗଛର ଶାଗୁଆ ଛାଇତଳେ କାର୍‍ଟିକୁ ରଖିଦେଇ ହୋଟେଲ୍‍ପିଲାକୁ କିଛି ଆଣିବାକୁ ଧମୁ ବରାଦ ଦେଲା ।

 

“ତାହାହେଲେ…… ।” ଲାବଣ୍ୟ ପ୍ରଥମେ କଥା ଆରମ୍ଭ କଲା ।

 

ଧମୁ ତା’ ମୁହଁକୁ ଚାହିଁ ରହିଥିଲା ଏବଂ ଆଶ୍ଚର୍ଯ୍ୟ ହେଉଥିଲା କଥା କହିବାରେ ତା’ର ଅସ୍ଵାଭାବିକତାକୁ ଲକ୍ଷ୍ୟ କରି ।

 

“ଲାଭି ! ଗତ ଦୁଇଦିନ ଧରି ମୁଁ କେବଳ ତୋ’ର କହିଥିବା କଥାକୁ ହିଁ ଭାବି ଚାଲିଛି । ପ୍ରଥମେ ଭାବୁଥିଲି, ଏହା ନିତ୍ୟାନ୍ତ ଅସମ୍ଭବ । ମାତ୍ର ବହୁ ଚିନ୍ତା ପରେ, ମୁଁ ତୋର ଭାବନାର ସୂତ୍ର ଖୋଜି ପାଇଲି । ତୁ ସାଧାରଣ ସ୍ତ୍ରୀମାନଙ୍କ ପରି ନୁହଁ, ଏହା ମୁଁ ଜାଣେ । ତୁ ଅସାଧାରଣ । ଚତୁରତା ସହିତ ଭାବିଚିନ୍ତି ତୁ ସବୁବେଳେ ଯାହାହେଲେ କାର୍ଯ୍ୟ କରୁ । ତେଣୁ ମୁଁ ଗତକାଲି ତୋର ଯାହା ଇଚ୍ଛା ତାକୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରିବା ପାଇଁ ଠିକ୍ କଲି । ତୋ ବୁଦ୍ଧି ଓ ବିବେକ ଉପରେ ମୋର ସବୁବେଳେ ବିଶ୍ୱାସ ରହିଛି ।”

 

ଲାବଣ୍ୟ ଇଷତ୍ ହସିଲା ।

 

ହୋଟେଲ ବାଳକଟି ଟ୍ରେ ଆଣି କାର୍ ପାଖରେ ରଖିଲା । ଧମୁ ନିଜ ହାତରେ ଗୋଟିଏ କପ୍ ଧରି ଅନ୍ୟଟିକୁ ବଢ଼ାଇଦେଲା ଲାବଣ୍ୟ ହାତକୁ ।

 

“ତୁ କହିଥିବା ଅନୁଯାୟୀ ମୋ ନଜରରେ ଗୋଟିଏ ଝିଅ ଅଛି । ଆମେ ତା’ ସହିତ କଥାବାର୍ତ୍ତା କରି ତା’ର ମତାମତ ଆଜି ନେବା ।”

 

ସମୁଦ୍ରର ନୀଳ ଲହଡ଼ି କୂଳରେ ଆସି ପିଟି ହେଉଥିଲା । ଦୁଇଟି ପିଲା ଏକାଠି ଖେଳରେ ମାତିଛନ୍ତି । ପୁଅ ଝିଅ ଦୁଇଜଣ ସମୁଦ୍ର ଆଡ଼କୁ ଏକ ଲୟରେ ଚାହିଁଛନ୍ତି । ଚାରିଜଣ ଦୋଳିରେ ବସି ଝୁଲୁଛନ୍ତି । ଅଝଟିଆ ପିଲାଟିକୁ ଟାଣି ଟାଣି ଆଣିବା ସମୟରେ ସେ ଜୋରରେ କାନ୍ଦ ଛାଡ଼ିଛି । ସେ ସବୁକୁ ଦେଖୁ ଦେଖୁ ଲାବଣ୍ୟ କହିଲା-

 

“ଦୟାକରି କହିଚାଲ ।” ସମୁଦ୍ର ଦିଗରୁ ଦୃଷ୍ଟି ଫେରାଇ ଧମୁକୁ ଚାହିଁଲା । ଧମୁ ତା’ ମନର ସ୍ଥିରତା ଓ ସମସ୍ୟାକୁ ସମ୍ମୁଖୀନ ହେବାର ଧୈର୍ଯ୍ୟକୁ ମନେ ମନେ ପ୍ରଶଂସା କରୁଥିଲା ।

 

“ଝିଅଟିର ନାମ ମେନକା । ଚିତ୍ର ତାରକା ହେବାର ପ୍ରଲୋଭନରେ ସେ ଘରଛାଡ଼ି ଚାଲିଆସିଛି ଏବଂ ବର୍ତ୍ତମାନ ଫିଲ୍ମରେ ଛୋଟିଆ ଛୋଟିଆ ରୋଲ୍ କରୁଛି । ସେ ଯୁବତୀ ଓ ବୁଦ୍ଧିମତୀ ମଧ୍ୟ ।

 

ମୁଁ ମେନକାକୁ ଗତ ଦୁଇବର୍ଷ ଧରି ଜାଣେ । ତା’ର ରୂପ ଲାବଣ୍ୟ ଯେକୌଣସି ଲୋକର ମନକୁ ଆକର୍ଷଣ କରିବ । ମୋର “ଆଜିର ଭାରତ” ଫିଲ୍ମରେ ସେ ନର୍ତ୍ତକୀର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା- ଯେପରି କୌଣସି ମନ୍ଦିରର ପଥର ମୂର୍ତ୍ତିଟିଏ ଜୀବନ୍ତ ହୋଇଯାଇଛି । ସେଇ ଝିଅଟି । ତୁମେ ତାକୁ ଦେଖିଛ ।”

 

ହଁ”, ଲାବଣ୍ୟର ସିନେମାରେ ଦେଖିଥିବା ନର୍ତ୍ତକୀର ରୂପ ମନେପଡ଼ିଲା । ଯୁବତୀମାନଙ୍କ ମଧ୍ୟରେ ସେ ଏକ ଅତ୍ୟାଶ୍ଚର୍ଯ୍ୟ, ସରୁ ସରୁ କଟିବନ୍ଧନୀ, ଆକର୍ଷଣୀୟ ପାଦ ଯୁଗଳ, ଅସ୍ଥିର ସ୍ତନଦ୍ୱୟ । ସୁନ୍ଦରୀ, ବାସ୍ତବିକ ଅପରୂପା । ଖୁବ୍ ଭଲ । ଅତି ଉତ୍ତମ । ଧମୁ ତା’ର ସମ୍ମତିରେ ଖୁସିହେଲା ।

 

“ମୁଁ କେବଳ ତୋର କାମପାଇଁ ମେନକା ହିଁ ଠିକ୍ ହେବ ବୋଲି ଭାବିଛି । ମନ୍ଦିରର ଉଲଗ୍ନ ପ୍ରତିମାଗୁଡ଼ିକ ପରି ଏକ ସୁନ୍ଦରୀ ଝିଅକୁ ନର୍ତ୍ତକୀର ରୋଲ୍ ନେବାପାଇଁ ମୁଁ ଖୋଜିଥିଲି । ହଠାତ୍ ତାକୁ ଦେଖି, ତା’ର ମତାମତ ଶୁଣି ମୁଁ ସ୍ତମ୍ଭୀଭୂତ ହୋଇଗଲି । ତା’ର ପ୍ରଗତିଶୀଳ ଦୃଷ୍ଟିକୋଣ ମୋତେ ଚକିତ କରିଥିଲା । ଫିଲ୍ମରେ ସେହି ନର୍ତ୍ତକୀ ରୋଲ୍ ପାଇଁ ତା’ର ସମସ୍ତ ଶରୀରକୁ ଗହଣାରେ ଛାଇଦେବାକୁ ଇଚ୍ଛା କରିଥିଲି ମାତ୍ର ସେ ନମ୍ରଭାବରେ ପଚାରିଲା, “ବାସ୍ତବିକତା ସୃଷ୍ଟି କରିବାପାଇଁ, ସମ୍ପୂର୍ଣ୍ଣ ଉଲଗ୍ନ ଭାବରେ ଠିଆହେଲେ କ୍ଷତି କ’ଣ ? ଉଲଗ୍ନ ହେବାପାଇଁ ମୋର କୌଣସି ସଂକୋଚ ନାହିଁ ।”

 

ମୁଁ ରାଜିହେଲି ।

 

ତାକୁ ମଡ଼େଲ୍ ଭାବରେ ମୁଁ ଜାଣେ । ତା’ ବିଷୟରେ ବେଶୀ କିଛି କହିପାରିବିନି । କିନ୍ତୁ ମୁଁ ଭାବୁଛି ଯଦି କେହି ଝିଅ ତୋ କାମପାଇଁ ରାଜି ହୁଅନ୍ତି, ତେବେ କେବଳ ସେହି ହେବ । ଯଦି ତୁ ଚାହୁଁ, ତେବେ ମୁଁ ତାକୁ କହିବି । ତୋର ମତ କ’ଣ ? ଲାବଣ୍ୟ ଗଭୀର ଚିନ୍ତା ମଧ୍ୟରେ ନିଜକୁ ହଜାଇ ଦେଇଥିଲା ।

 

ସେ ନିଜ ମାନସଚକ୍ଷୁରେ ମେନକାକୁ ଦେଖିବାକୁ ଲାଗିଥିଲା । ଝିଅଟି ଯୁବତୀ । ସୁନ୍ଦରୀ...ନର୍ତ୍ତକୀ...ଉତ୍ତମ । ତା’ର ଶିକ୍ଷା ଦୀକ୍ଷା କ’ଣ ? ତା’ର ଜନ୍ମସ୍ଥାନ କେଉଁଠି । ତା’ର ସମ୍ପର୍କୀୟ କେହି ଅଛି ? ସେ ଧମୁକୁ ପଚାରିଲା । “ଲାବଣ୍ୟ; ମୁଁ ଏ ବିଷୟରେ କିଛି ଜାଣେନି । ମାତ୍ର ଟିକିଏ ଅପେକ୍ଷା କର । ସେ ଇଂରାଜୀ ଭଲଭାବରେ କହିପାରେ; ତେଣୁ ମୁଁ ନିଶ୍ଚିତ ସେ ଅଶିକ୍ଷିତା ନୁହେଁ । ସେ ଭଲ ଇଂରାଜୀ କହେ...ଏବଂ ସାହସିନୀ ମଧ୍ୟ । ଆମର ଆଉ ଅଧିକ କ’ଣ ଦରକାର ?”

 

ହୋଟେଲ ବୟ୍ କଫିର ଦାମ ମାଗିବାକୁ ଆସିଲା । ଖାକି ପୋଷାକ ପିନ୍ଧିଥିବା ବୟଟି କଫି ଟ୍ରେକୁ ନେଇ ଚାଲିଯାଇଥିଲା ।

 

ନୀରବ ହୋଇ, ଲାବଣ୍ୟ ଭାବି ଚାଲିଥିଲା ମେନକା ବିଷୟରେ ।

 

“ଠିକ୍ ଅଛି, ଧମୁ । ତା’ର ରହିବା ଜାଗା ଜାଣୁ ?”

 

“ନା ମାତ୍ର ତା’ର ଠିକଣା ଜଣାଅଛି ।”

 

“ବର୍ତ୍ତମାନ ସେ ସେଠାରେ ଥିବ କି ?”

 

“କହିହେଉନି, ଯଦି କେଉଁଠାରେ ସୁଟିଂ ନଥାଏ, ତେବେ ହୁଏତ ସେ ଥାଇପାରେ ।”

 

“ଠିକ୍ ଅଛି । ଗାଡ଼ି ଚଲା । ସେଠାକୁ ଯାଇ ଦେଖିବା ।”

 

ଧମୁ ହସିଲା, “ତର ତର କାହିଁକି ? ଆଉ କେତେଦିନ ଅପେକ୍ଷା କରିପାରିବୁନି । ରାମ ବମ୍ବେରୁ ଫେରିଆସୁ । ତା’ ସହିତ ଆଲୋଚନା ପରେ... ।”

 

“ନା, ନା ଧମୁ ମୁଁ ଗତ କେତେ ମାସ ଧରି ଏ ବିଷୟରେ ଭାବୁଛି । ଆଉ ବିଳମ୍ବ କରି କୌଣସି ଲାଭ ହେବନାହିଁ । ବରଂ ଆଉ ବେଶୀ ଭାବିଲେ ମୋ ମୁଣ୍ଡ ଖରାପ ହୋଇଯିବ । ମୁଁ ଏ କାମପାଇଁ ସଙ୍କଳ୍ପବଦ୍ଧ । ବର୍ତ୍ତମାନ କୌଣସି କଥା ରାମକୁ କହିବା ଉଚିତ୍ ମନେକରୁନି । ପ୍ରଥମେ ଏଇ ଝିଅ ସହ କଥାବାର୍ତ୍ତା କରିବା । ଯଦି ସେ ରାଜିହୁଏ, ଭଲ ...ନଚେତ୍ ଏ କାମକୁ ଏଇଠି ଛାଡ଼ି ଦେବାକୁ ହେବ । ପ୍ରଥମେ ମୁଁ ଚେଷ୍ଟା କରିବାକୁ ଇଚ୍ଛାକରେ । ଦୟାକରି ମୋତେ ଏଥିରେ ବାଧା ଦିଅନା ।”

 

କ୍ଷଣକ ପାଇଁ ଧମୁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲା । ଇଞ୍ଜିନ ଷ୍ଟାର୍ଟ କଲା । କିନ୍ତୁ ପର ମୁହୂର୍ତ୍ତରେ ଗାଡ଼ି ଷ୍ଟାର୍ଟ କରିବା ବନ୍ଦକରି ଅତି କୁଣ୍ଠିତ ଭାବରେ ପଚାରିଲା, “ଲାଭି; ରାମକୁ ନ ପଚାରି ଏ କାର୍ଯ୍ୟରେ ଅଗ୍ରସର ହେବା ଭଲହେବନି । ସେ ତୋତେ ଠିକ୍ ବୁଝିବଟି ? ଆମେ ତା’ ମନରେ ଯେପରି ଆଘାତ ନ ଦେଉ ।”

 

ଲାବଣ୍ୟ ଉତ୍ତେଜିତ ହେବାପରି ଦେଖାଗଲା । “ତୁମେ କ’ଣ ଭାବୁଛ ମୁଁ ତାଙ୍କୁ ଆଘାତ ଦେବାକୁ ଚେଷ୍ଟା କରୁଛି । ମୁଁ କ’ଣ ତାଙ୍କୁ ଭଲପାଏନି ?”

 

“ଏହା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏ ବିଷୟରେ ସେ ବିଶେଷ ଭାବରେ ଜଡ଼ିତ । ତେଣୁ ମୁଁ ଭାବୁଥିଲି, ତା’ ସହିତ ଏ ବିଷୟରେ ନିଶ୍ଚିତ ପରାମର୍ଶ ଆବଶ୍ୟକ ।”

 

“ମୁଁ ଜାଣେ ତାଙ୍କୁ କିପରି ବୁଝାଇବି; ମୋ କଥାରେ ହଁ କରାଇବି । ସେ ଏକ ଅଦ୍ଭୁତ ସ୍ୱାମୀ । ସେ ନିଶ୍ଚିତ ଭାବରେ ସମ୍ମତ ହେବେ ଯଦି ମୁଁ କଥାଟା ଠିକ୍ ଭାବରେ ତାଙ୍କ ଆଗରେ ଉପସ୍ଥାପିତ କରେ…ତେବେ ଏହା ଏକ କଷ୍ଟକର ବ୍ୟାପାର, ମୁଁ ଜାଣେ ।”

 

ଧମୁ ତା’ର ସଙ୍କଳ୍ପ ସମ୍ପର୍କରେ ସଚେତନ । ସେ ଗାଡ଼ିରେ ଷ୍ଟାର୍ଟ ଦେଇ ଅନ୍ୟ ଗାଡ଼ିଗୁଡ଼ିକୁ ଅତିକ୍ରମ କରି ରାସ୍ତାରେ ପହଞ୍ଚିଲା ।

 

“ତୁମେ ଠିକ୍ କହିଛ । ରାମ ଦୃଢ଼ମନା, ନିର୍ଭୀକ ଓ ଚିନ୍ତାଶୀଳ ସ୍ୱାମୀ । ତାଙ୍କ ନିକଟରେ ଆବେଗ କ୍ରିତଦାସ । ମାତ୍ର ସେ ଅନୁଭବ ପ୍ରତି ଉଦାସୀନ ନୁହେଁ । ତାଙ୍କୁ କୌଣସି ଚିନ୍ତା ବ୍ୟସ୍ତ କରେନି ।” କିନ୍ତୁ ? “ଛାଡ଼, ତୁ ସଙ୍କଳ୍ପବଦ୍ଧ । ମୁଁ ତୋ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚାହେଁନି । ଲାଭି; ମୁଁ ତୋର ଶୁଭକାମନା କରୁଛି । ଚାଲ ଯାଇ ମେନକାକୁ ଦେଖିବା ।”

 

ଜେମିନି ଚୌକ ଦେଇ ଗହଳିଆ ରାସ୍ତାରେ ହର୍ଣ୍ଣ ମାରି ମାରି ଗାଡ଼ି କୋଡ଼ାମ୍ବକମ୍ ଅଭିମୁଖେ ମୁହାଁଇଲା ।

 

କିନ୍ତୁ ଲାବଣ୍ୟର ମନ ଆନ୍ଦୋଳିତ ହେଉଥିଲା । କାରଣ ସେ ତା’ ସ୍ୱାମୀର ସମ୍ମତି ନନେଇ ଅଦ୍ଭୁତ କଥାଟିଏ, ନାହିଁନଥିବା କଥାଟିଏ କହିବାକୁ ଯାଉଥିଲା ।

 

ମନରେ ତା’ର ନାନାପ୍ରକାର ଭୟ । ସତରେ କ’ଣ କାମଟି ତା ମନ ମୁତାବକ ଆଗେଇପାରିବ ।

 

ଆଃ, ବହୁତ କିଛି କରିବାକୁ ଅଛି ।

 

ପ୍ରଥମେ ମେନକାକୁ ଦେଖିବାକୁ ହେବ । ସେ ମୋର ମନପସନ୍ଦ ହେବ ଓ ସେ ତା’ର ସମ୍ମତି ଏ କାମ ପାଇଁ ଦେବ । ବହୁତ କିଛି କରିବାକୁ ହେବ । ଯଦି ସବୁ ଠିକ୍ ଭାବରେ ହୁଏ, ତେବେ ଯାଇ ରାମର ସମ୍ମତି । କାହିଁକି ପ୍ରଥମରୁ କଳିକରି ପରେ ତାଙ୍କୁ କହିବି ? ଏଥିରେ ରାମ ବେଶୀ ବିରକ୍ତ ହୁଏ । ମୁଁ ପ୍ରସ୍ତୁତ…କିନ୍ତୁ ହଁ ବା ନାଁ କହିବା ତାଙ୍କର କାମ । ଠିକ୍ ଅଛି; ପ୍ରଥମେ ମେନକାକୁ ଦେଖାଯାଉ । ମୋ ମନକୁ ସ୍ଥିରକରେ…ଆଃ; ସତରେ କେତେ କାମ କରିବାକୁ ହେବ ।

 

ସବୁ ଠିକ୍ ହେବାପରେ, ରାମଙ୍କୁ କୁହାଯାଇପାରେ । ସେ ନିଶ୍ଚିତ ଭାବେ ବୁଝିବେ । ମୋ ରାମ କେବେହେଲେ ମୋ କଥାରୁ ବାହାରିଯିବନି । ରାମ…ମୁଁ ତୁମକୁ ଭଲପାଏ…ରାମ…ଯେହେତୁ ମୁଁ ତୁମକୁ ଜୀବନଠୁ ବେଶୀ ପ୍ରେମ କରେ; ଏ କାର୍ଯ୍ୟରେ ହାତ ଦେଇଛି…। ତୁମେ ସତରେ ଏହା ବୁଝିବଟି, ରାମ, ମୋର ପ୍ରିୟତମ ?

 

ଲାବଣ୍ୟ ପ୍ରଥମେ ରାମକୁ ଭେଟିଥିଲା ତା’ର ସ୍ନାତ୍ତୋକତ୍ତର ପଢ଼ାର ଶେଷ ବର୍ଷରେ । ତା’ର ବାପା କୈଳାଶବାବୁ ତାକୁ ମେଡ଼ିକାଲ୍ କୋର୍ସରେ ଯୋଗଦେବାକୁ ମନାକରନ୍ତି । “ଦୀର୍ଘ ଛଅ ବର୍ଷ…ସ୍ୱାମୀ ଓ ପିଲାଙ୍କ ଖବର ବୁଝିବୁନି । ମୁଁ ଜାଣେ ଏହା ଏକ ମାନବିକ କାର୍ଯ୍ୟ । ତଥାପି ? ନା, ନା, ଲାଭି, ତୁ ଶୀଘ୍ର ବାହା ହୋଇପଡ଼ ଏବଂ ମୁଁ ଚାହେଁ ମୋ ଚାରିପାଖରେ ନାତି ଓ ନାତୁଣୀ ବୁଲନ୍ତୁ, ସେମାନଙ୍କ ସହ ଖେଳିବାକୁ ମୋର ଇଚ୍ଛା ।” ସେ ବାଧାଦେଇ କହିଲେ ।

 

“ବାପା; ଦୟାକରି ମୋତେ ମେଡ଼ିକାଲ୍ କଲେଜରେ ଯୋଗଦେବାକୁ ଅନୁମତି ଦିଅନ୍ତୁନା-।”

 

“ଲାଭି; ମୋତେ ଦୟାକରି; ଉପଯୁକ୍ତ ବରଟିଏ ଖୋଜିବା ପାଇଁ ମୋତେ ଅନୁମତି ଦେ-।”

 

ଉଭୟ ପରସ୍ପର କଥା ଶୁଣି ହସିବାକୁ ଲାଗିଲେ ।

 

ଅବଶେଷରେ ଲାଭି ତା’ର ସମ୍ମତି ଦେଇଥିଲା ।

 

ସେ ବି.ଏ. ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇ ବିଶ୍ୱବିଦ୍ୟାଳୟରେ ସ୍ଥାନ ଅଧିକାର କରିଥିଲା । ତା’ପରେ ସେ ଯୋଗଦିଏ ସ୍ନାତକୋତ୍ତର ଶ୍ରେଣୀରେ ।

 

କୈଳାଶବାବୁ ତାଙ୍କ କମ୍ପାନୀର ଜଣେ ଅଫିସର ରାମ ପ୍ରତି ବେଶ୍ ଆକୃଷ୍ଟ ହୋଇପଡ଼ିଥିଲେ । ତାଙ୍କ କମ୍ପାନୀରେ ରାମ ଯୋଗଦେଇଥାଏ ମାର୍କେଟିଂ କନ୍ସଲଟାଣ୍ଟ ଭାବରେ । ତା’ର ସ୍ୱଭାବ, କଥାବାର୍ତ୍ତା ଓ କାର୍ଯ୍ୟଦକ୍ଷତାରେ ମୁଗ୍ଧ ହୁଅନ୍ତି କୈଳାଶବାବୁ ।

 

ସେ ଚାହୁଁଥିଲେ ଲାବଣ୍ୟ ରାମକୁ ଦେଖୁ । ତାଙ୍କର ଇଚ୍ଛା ପରସ୍ପର ପରସ୍ପରକୁ ଜଣାନ୍ତୁ...-। ତାଙ୍କର ସୁଚିନ୍ତିତ ଯୋଜନା ସେ ଆରମ୍ଭ କରିଦେଲେ ।

 

“ରାମ ବଡ଼ ମେଧାବି ।” ହଠାତ୍ ସେ ଦିନେ ଲାବଣ୍ୟକୁ କହିଲେ ।

 

ଆଉ ଦିନେ । ଉଭୟ ଚା’ ପିଇବାରେ ବ୍ୟସ୍ତ ।

 

“ରାମର ଉପଦେଶଗୁଡ଼ିକ ଚତୁରତା ସମ୍ପନ୍ନ ଏବଂ ଲାଭଦାୟକ । ବୁଝିଲୁ ଲାଭି; ସେ ବଡ଼ ବୁଦ୍ଧିମାନ ।

 

ସେ ଶ୍ରମିକ ସମସ୍ୟାକୁ ଠିକ୍ ଭାବରେ ସମାଧାନ କରେ । ସେମାନଙ୍କର ପ୍ରକୃତ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଏ । ତାକୁ ଶ୍ରମିକ ଶ୍ରେଣୀର ମନୋବିଜ୍ଞାନ ବେଶ୍ ମାଲୁମ । ମନ୍ଦ ହେବନି ।”ସେ କଥାରେ ଗୁରୁତ୍ୱ ଦେଇ କହିଲେ । “ବହୁତ ଲୋକ ଟଙ୍କାପାଇଁ କାମକୁ ଯନ୍ତ୍ରଭଳି କରନ୍ତି । ମାତ୍ର ମୁଁ ଖୁସୀ, ରାମ ତା’ର ଏକ ବ୍ୟତିକ୍ରମ । ଜୀବନରେ ତା’ର ଉନ୍ନତି ହେବ ଏଥିରେ ମୁଁ ସ୍ଥିର ନିଶ୍ଚିତ । ତୁ ଦିନେ ଦେଖିବୁ ସେ କେତେ ଉପରକୁ ଯିବ ।” ଆଉ ଦିନେ ସେ କହିଲେ ।

 

ଲାଭି ଜାଣେ, କାହାକୁ ଏତେ ପ୍ରଶଂସା କରିବା ତା’ ବାପାଙ୍କର ଅଭ୍ୟାସ ନୁହେଁ । ଯଦିଓ ସେ ଏ କଥାକୁ ଆଗ ଆଗ ଗୁରୁତ୍ୱ ଦେଉନଥିଲା; ମାତ୍ର କ୍ରମଶଃ ତା’ ମନରେ ରାମକୁ ଦେଖିବାର ଇଛା ସୃଷ୍ଟି ହୋଇଥିଲା । ପ୍ରାୟ କଲେଜ ଫେରନ୍ତି ସେ ସିଧା ଘରକୁ ଆସେ, ବାପାଙ୍କ ଅଫିସ୍ ଆଡ଼େ କେବେ ଯାଏନି । କୈଳାଶବାବୁ ତାକୁ ବାରମ୍ବାର ଫେରିବା ବାଟରେ ଅଫିସ୍ ଆସିବାକୁ କହିଥାନ୍ତି । ସେଦିନ ମଧ୍ୟ ଅଫିସ୍ ବାଟଦେଇ ଆସିବାକୁ ଅନୁରୋଧ କରନ୍ତି କୈଳଶବାବୁ । କଲେଜ ସରିଯିବା ପରେ ସନ୍ଧ୍ୟା ୪ଟା ବେଳକୁ ଲାବଣ୍ୟ ହାଜର ହୋଇଗଲା ବାପାଙ୍କ ପାଖରେ ।

 

କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମାଲିକଙ୍କୁ ଦେଖାଇବା ପାଇଁ ରାମ ସେ ସମୟରେ ସେଠାରେ ଉପସ୍ଥିତ ଥାଏ ।

 

ହୁଏତ କୈଳଶବାବୁଙ୍କର ଏହା ଥିଲା ପୂର୍ବ ପରିକଳ୍ପିତ ଯେ ଦୁହେଁ ସେଠାରେ ଭେଟ ହୁଅନ୍ତୁ ।

 

ଲାଭି ଏପର୍ଯ୍ୟନ୍ତ ବାପାଙ୍କ ମୁହଁରୁ ରାମର ପ୍ରଶଂସା ଶୁଣିଥାଏ ମାତ୍ର ତାକୁ ଦେଖିନଥାଏ । ରାମକୁ ଦେଖି ସେ ଯେପରି ହୋଇପଡ଼ିଲା ବାକ୍‍ଶୂନ୍ୟ ।

 

ଖୁବ୍ ଡେଙ୍ଗା ।

 

ଅନ୍ତତଃ ପକ୍ଷେ ଛଅ ଫୁ୍ଟ ଦୁଇ ଇଞ୍ଚ ? ...ହଁ...

 

ପ୍ରଶସ୍ତ କାନ୍ଧ । ନିଶ୍ଚିତ ରୂପେ ଖେଳୁଆଡ଼୍ ।

 

ହେ ଭଗବାନ୍...ସେ ଏତେ ସୁନ୍ଦର ସତେ । କୌଣସି ସିନେମା ତାରକା ମଧ୍ୟ ସରିହେବନି । ଭାଗ୍ୟରେ ଥିଲେ କୌଣସି ସ୍ତ୍ରୀ ଏପରି ପୁରୁଷକୁ ସ୍ୱାମୀ କରିଥାଏ ।

 

କୌଣସି ଔପଚାରିକତା ନ କରି କୈଳାଶବାବୁ ଦୁହିଁଙ୍କୁ ଦୁହିଁଙ୍କର ପରିଚୟ କରାଇ ଦେଇଥିଲେ ।

 

ଯଦିଓ ଛଅ ମାସ ତଳୁ କୈଳାଶବାବୁ ରାମଙ୍କୁ ତାଙ୍କର ଜୋଇଁ କରିବେ ବୋଲି ସ୍ଥିର କରିଥିଲେ, ଝିଅର ଚିନ୍ତାଧାରା ସମ୍ପର୍କରେ ଜାଣିନଥିବାରୁ ସେ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହେବାପାଇଁ ଏଯାଏଁ ଅପେକ୍ଷା କରିଥିଲେ । କାରଣ ଲାଭି ଏକ ଭିନ୍ନ ପ୍ରକୃତିର ଝିଅ ।

 

ପରିଷ୍କାର ଭାବନା, କ୍ଷମାଶୀଳା...ତା’ ବୟସ ଝିଅଙ୍କଠୁ ଢେର୍ ଆଗରେ । ସେ ବେଶୀ କଥାବାର୍ତ୍ତା କରେନା । କିନ୍ତୁ କାହା ସହ ଘନିଷ୍ଟତା ହେଲେ ସେ ପ୍ରଗ୍‍ଲଭା ହୋଇଯାଏ; ତା’ପାଖରେ ହୃଦୟ ଖୋଲିଦିଏ ।

 

ସେ ନିଜେ ପ୍ରତ୍ୟେକ କଥା ସ୍ଥିର କରେ । ଏହାହିଁ ଦରକାର । ଏହା ଆବଶ୍ୟକ, ଆବଶ୍ୟକ ନୁହେଁ, ଏହା ଦରକାରୀ, ଦରକାରୀ ନୁହେଁ-ପ୍ରଥମେ ତା’ ମନକୁ ରାମର ବ୍ୟକ୍ତିତ୍ଵ ଛୁଇଁବା ଆବଶ୍ୟକ ଏବଂ ତା’ପରେ କେବଳ, ସେ ସିଦ୍ଧାନ୍ତ ଦେବ । ଥରେ କୌଣସି କାର୍ଯ୍ୟରେ ହାତଦେଲେ, ସେ ସଫଳତା ଲାଭ ନ କରିବା ପର୍ଯ୍ୟନ୍ତ ମଝିବାଟରେ ଅଟକି ଯିବନାହିଁ ।

 

ସ୍ଥିର ସିଦ୍ଧାନ୍ତ, ମାନସିକ ସ୍ଥିରତା, କାର୍ଯ୍ୟ ନୈପୁଣ୍ୟ-ତା’ ଭିତରେ ଏ ଚିନ୍ତାଧାରା ତାକୁ କୋଟିକରେ ଗୋଟିଏ କରି ଗଢ଼ି ତୋଳିଛି ।

 

ଅଯଥା ହସିବା ବା କହିବା ? ...ନା, କେବେ ନୁହେଁ ।

 

କେବଳ ଟିକିଏ ସ୍ମିତ ହସ...ସେ ହସ ପ୍ରତ୍ୟେକ ମନକୁ ଛୁଏଁ, ହୃଦୟକୁ ଜୟ କରେ ।

 

ଲାଭି ସବୁବେଳେ କଲେଜରେ ପ୍ରଥମ । ଟେନିସ୍ ଖେଳରେ ଚାମ୍ପିୟାନ୍, ସନ୍ତରଣ, ଘୋଡ଼ା ଚଢ଼ା, ପର୍ବତାରୋହଣ... ସେ ସବୁଥିରେ ପାରଙ୍ଗମ । ଚାହାଣୀର ମନଲୋଭା ଆକର୍ଷଣ ସାଙ୍ଗକୁ ଅମାପ ଧନର ଅଧିକାରିଣୀ ହୋଇ ତା’ର ନାରୀ ଜୀବନର ପୂର୍ଣ୍ଣବିକାଶ ଘଟିଛି । କୈଳାଶବାବୁଙ୍କ ମତରେ ଲାଭି ହେଉଛି ସାହସିନୀ ସିଂହୀ । ତା’ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ ପାଇଁ ଜଣେ ସମାନସ୍କନ୍ଧ ସଙ୍ଗୀ, ଏକ ପୁରୁଷ ସିଂହ ପ୍ରୟୋଜନ । ତା’ ପାଇଁ ସର୍ବଗୁଣରେ ପରିପୂର୍ଣ୍ଣ ବରଟିଏ ଖୋଜନ୍ତି କୈଳାଶବାବୁ ଏବଂ ଏହି ସମୟରେ ତାଙ୍କର ଆଖି ରାମ ଉପରେ ପଡ଼େ ।

 

ରାମ ସହ ତାଙ୍କର ବ୍ୟବସାୟିକ ଘନିଷ୍ଠତା ବଢ଼ୁଥିବାବେଳେ, ତା’ ବ୍ୟକ୍ତିତ୍ଵରେ ମୁଗ୍ଧ ହୋଇ ତାକୁ ଜୋଇଁ ଭାବରେ ପାଇବାକୁ ଲାଳାୟିତ ହୋଇପଡ଼ନ୍ତି ସେ ।

 

କିନ୍ତୁ କି ଲାଭ ସେ ନିଜେ ଇଛାକରି ?

 

ଲାବଣ୍ୟ ପୁରୁଷମାନଙ୍କ ମଧ୍ୟରେ ଏକ ପୁରୁଷ ସିଂହକୁ ଦେଖିବା ଦରକାର । ସେ ତ କାହାରି କଥା ଶୁଣେନା । କୈଳାଶବାବୁ ଚିନ୍ତାକଲେ ଏବଂ ପରିଶେଷରେ, ଦୁଇଜଣଙ୍କର ଦେଖାସାକ୍ଷାତ କରାଇ ଦେବାହିଁ ତାଙ୍କର କାର୍ଯ୍ୟ ହେଲା । ସେ ଲାଭି ସହିତ ରାମର ବ୍ୟବହାର, ଚରିତ୍ର ଓ ଖେଳ କସରତ ସମ୍ବନ୍ଧରେ କଥାବାର୍ତ୍ତା କରିନଥିଲେ । ଲାବଣ୍ୟ ତା’ ବାପାଙ୍କ ଯୋଜନା ବିଷୟରେ ଜାଣିବାର କୌଣସି ଅବକାଶ ମଧ୍ୟ ନଥିଲା ।

 

ସେ ଦେଖିବାକୁ ଆସିଥିଲା ସେଇ ଲୋକଟିକୁ ଯେ ତା’ ବାପାଙ୍କର ହୃଦୟକୁ ଜୟ କରିଛି-। ମାତ୍ର ପ୍ରଥମ ସାକ୍ଷାତରୁ ସେ ଯେପରି ତା’ରି ପ୍ରେମରେ ପଡ଼ିଗଲା–ତା’ର ଚାହାଣୀରେ ବାନ୍ଧି ହୋଇଗଲା ଏବଂ ତା’ର ଉପସ୍ଥିତିରେ ନିଜକୁ ଭୁଲିଗଲା ।

 

ପ୍ରଥମ ସାକ୍ଷାତରେ ଉଭୟେ ଉଭୟଙ୍କୁ ଭଲପାଇବାର ବନ୍ଧନରେ ବାନ୍ଧିହୋଇ ପଡ଼ିବାର ସବୁତକ ସଂକେତ । କୈଳାଶବାବୁ ସବୁ ବୁଝିପାରି ରବିବାର ଦିନ ତାଙ୍କ ଘରେ ଟେନିସ୍‍ ଖେଳିବାକୁ ନିମନ୍ତ୍ରଣ କଲେ ରାମକୁ ।

 

ରାମ ଠିକ୍ ସମୟରେ ଆସି ଉପସ୍ଥିତ ହୁଏ ।

 

ଏକ ସୁନ୍ଦରୀ, ବୁଦ୍ଧିମତୀ ଓ ଧନାଢ଼୍ୟ ଯୁବତୀ ସହିତ ଟେନିସ୍ ଖେଳରେ ପ୍ରଥମଥର ପାଇଁ ମୁହାଁମୁହିଁ ହୋଇ ମଧ୍ୟ ରାମ ଅତ୍ୟନ୍ତ ଶାନ୍ତଭାବରେ ଖେଳିବାକୁ ଲାଗିଲା ଓ ଖେଳରେ ବିଜୟ ହାସଲ କଲା । ସବୁଜ ଘାସର ମନୋରମ ଲନରେ ବ୍ରେକ୍‍ଫାଷ୍ଟ୍ ଖାଇବାବେଳେ ସେ ତା’ର ଏମ୍.ଏ. ପାଠପଢ଼ା, ଦେଶର ସାଂପ୍ରତିକ ରାଜନୀତି ଇତ୍ୟାଦି ସମ୍ପର୍କରେ ମାପିଚୁପି ଆଲୋଚନା କରେ । ସାଧାରଣତଃ ଯେ କେହି ଯୁବକ ଲାଭିର ଉପସ୍ଥିତିରେ ନିଜକୁ ହଜାଇ ଦେଇ ବାକ୍‍ଶୂନ୍ୟ ହୋଇପଡ଼ନ୍ତି ଅଥବା ବନ୍ଧୁତ୍ଵକୁ ନିବିଡ଼ କରିବାକୁ ନିର୍ଲଜ୍ଜ ଭାବେ ପ୍ରସ୍ତାବ ଦିଅନ୍ତି, “ଏ ସନ୍ଧ୍ୟାକୁ ସିନେମା ଦେଖି ଉପଭୋଗ କଲେ କିପରି ହୁଅନ୍ତା !” ବା ଚାଲନ୍ତୁନା; କାରରେ ବସି ସମୁଦ୍ରକୂଳରେ ହାୱା ଖାଇବା ଇତ୍ୟାଦି । ମାତ୍ର ରାମ ଅନ୍ୟମାନଙ୍କଠୁ ସମ୍ପୂର୍ଣ୍ଣ ବିପରୀତ । ତା’ର କୌଣସି କଥାରେ ଅଧିରତା ନଥିଲା ।

 

ସେଦିନ ରାତିରେ ଲାଭି କହେ ତା’ର ବାପାଙ୍କୁ, “ତୁମର ରାମ ବାସ୍ତବିକ ଚତୁର ।”

 

ତେବେ ବିଳମ୍ବ କାହିଁକି ?

 

ଏହିପରି ଭାବରେ ଆରମ୍ଭ ହୁଏ ।

 

ରାମ ପ୍ରତ୍ୟେକ ଦିନ ଟେନିସ୍‍ ଖେଳିବାକୁ ଆସେ; ତା’ର ସମସ୍ତ ଧ୍ୟାନ ଓ ଧାରଣାକୁ ନିଜ ଉପରେ ନିବଦ୍ଧ କରିବାକୁ ଲାବଣ୍ୟ ଚେଷ୍ଟା କରେ । ସେତେବେଳେ ତା’ର ବାପା ଥା’ନ୍ତି ସିକନ୍ଦରାବାଦରେ । କୈଳାଶବାବୁ ସେଠାକୁ ଯାଇ ବିବାହର ଆୟୋଜନ କରୁଥାନ୍ତି ।

 

ଏବଂ କୌଣସି ଏକ ଶୁଭଦିନରେ ଲାବଣ୍ୟ ଶ୍ରୀମତୀ ରାମରେ ପରିବର୍ତ୍ତିତ ହୁଏ ଏବଂ ରାମ ହୁଏ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ।

 

ହଠାତ୍ ଲାବଣ୍ୟ ପେଟରେ ଯନ୍ତ୍ରଣା ଅନୁଭବ କରେ । ସାମାନ୍ୟ ପୀଡ଼ା ଯୋଗୁ ସେ ଆଦୌ ବିବ୍ରତ ହୁଏନା । କିନ୍ତୁ ବେଳବୁଡ଼କୁ ହଠାତ୍ ରକ୍ତସ୍ରାବ । ସେ ଆଶ୍ଚର୍ଯ୍ୟ ହେଲା, ତା’ର ଋତୁସ୍ରାବ ତାରିଖ ସେ ପର୍ଯ୍ୟନ୍ତ ହୋଇନଥାଏ । ନିଜ ଡାଏରି ଖୋଲି ଦେଖେ ! ଗତ ମାସ ଋତୁସ୍ରାବ ହୋଇଥାଏ ପଚିଶ ତାରିଖରେ । ଆଜି ପନ୍ଦର ତାରିଖ । କୋଡ଼ିଏ ଦିନ ବହୁତ କମ୍ । ସାଧାରଣତଃ ତା’ ନିଜର ଏହା ବ୍ୟତିକ୍ରମ । ସେ ଭାବିଲା; ବିବାହ ହେତୁ ସ୍ତ୍ରୀ ମାନଙ୍କର ବିବାହିତ ଜୀବନରେ ଏପରି ଘଟିଥାଏ ।

 

ସେତିକିରେ ସେ କଥାକୁ ବନ୍ଦରଖି ଆଉ କୌଣସି ଚିନ୍ତା କଲାନି ।

 

ତା’ ପରମାସ । ଏଥର ସମୟ ଆହୁରି କମିଗଲା । ସତର ଦିନରେ । ସେ ବିଶେଷ ବିବ୍ରତ ହୋଇପଡ଼ିଲା । ଦଶଦିନ ଧରି ରକ୍ତସ୍ରାବ ଆଦୌ ବନ୍ଦ ହେଲାନି ।

 

ତା’ର ପୃଷ୍ଠଭାଗରେ ଓ ଜଠରାଗ୍ନିରେ ପୀଡ଼ା ବଢ଼ିବାକୁ ଲାଗିଲା । ଏ ଯନ୍ତ୍ରଣାକୁ ସହ୍ୟ କରିନପାରି ସେ ରାମକୁ ଓ ତା’ର ବାପାଙ୍କୁ କହିଥିଲା ।

 

ଗତ ମାସରେ ତୋର ଏକଥା କହିବା ଉଚିତ୍ ଥିଲା । ବର୍ତ୍ତମାନ ଯାଇ ଡାକ୍ତରଙ୍କ ସହ ପରାମର୍ଶ କର-କୈଳାଶବାବୁ କହିଲେ ।

 

ରାମ ହୋଇପଡ଼ିଲା ଅତ୍ୟନ୍ତ ବିବ୍ରତ ।

 

ତା’ର ବନ୍ଧୁ ରମାର ଭଉଣୀ ଡାକ୍ତର ସୁଶୀଳାକୁ ସେ ଫୋନ୍ କଲା ।

 

ଡାକ୍ତର ସୁଶୀଳା ଓ ତା’ର ଡାକ୍ତର ସ୍ୱାମୀ ଦୀର୍ଘ ଦଶବର୍ଷ ଧରି ଲଣ୍ଡନରେ ପ୍ରାକ୍‍ଟିସରେ ଥିଲେ । ସୁଶୀଳା ସ୍ତ୍ରୀରୋଗ ବିଶେଷଜ୍ଞ । ଯେହେତୁ ସେ ଦୁହେଁ ତାଙ୍କର ଝିଅଙ୍କୁ ବିଦେଶରେ ବଢ଼ାଇବାକୁ ଚାହୁଁନଥିଲେ, ତେଣୁ ସେମାନେ ଫେରିଆସିଥିଲେ ଭାରତକୁ ।

 

ଦୁଇବର୍ଷ ଭିତରେ ତାଙ୍କର ପ୍ରାକ୍ଟିସ୍ ବହୁତ ବଢ଼ିଗଲା ନୁଗାମ୍ବକମ୍‍ଠାରେ ଏକ ସୁରମ୍ୟ ଅଟ୍ଟାଳିକା ଏବଂ ତା’ର ପାଖରେ ଏକ ଅତ୍ୟାଧୁନିକ ନର୍ସିଂହୋମ କରି ବର୍ତ୍ତମାନ ଏଠାରେ ଅବସ୍ଥିତ-

 

ନିର୍ଦ୍ଦିଷ୍ଟ ସମୟରେ ଲାବଣ୍ୟ ଡାକ୍ତରଙ୍କ ପାଖରେ ପହଞ୍ଚିଲା ।

 

-ହ୍ୟାଲୋ, ଲାଭି ! କେମିତି ଅଛୁ ? ଘଟଣା କ’ଣ ? କିଛି ଖୁସି ଖବର ?

 

ସେମାନେ ସମସ୍ତେ ଲାବଣ୍ୟକୁ ଜାଣନ୍ତି । ରମା ତା’ର ସ୍ୱାମୀ ସହିତ ନାଇଜେରିଆରେ ରହିବାବେଳୁ । ମୁଁ ତୋତେ ତୋ ବାହାଘରବେଳେ ଦେଖିଥିଲି । ବୋଧହୁଏ ସାତ ମାସ ହେବ । ନୁହେଁ କି ? ବର୍ତ୍ତମାନ କହ, ଆସିବାର କାରଣ କ’ଣ ?

 

ଡାକ୍ତର ଲାବଣ୍ୟଠାରୁ ଖୁସି ଖବର ଆଶା କରୁଥିଲେ । ମାତ୍ର ଲାବଣ୍ୟ କଥା ଶୁଣିବାମାତ୍ରେ ତାଙ୍କର ମନଟି ଶୁଖିଗଲା ।

 

“ମୁଁ ଭାରି ଦୁଃଖିତ । ଯେହେତୁ ତୋର ରୂପ ଟିକିଏ ବଦଳି ଯାଇଛି; ମୁଁ ଭାବିଲି ବୋଧହୁଏ ତୁ ଗର୍ଭବତୀ । ଠିକ୍ ଅଛି । ଟେବୁଲ୍ ଉପରେ ଚିତହୋଇ ଶୋଇପଡ଼, ମୁଁ ପରୀକ୍ଷା କରେ ।”

 

ପରୀକ୍ଷାନିରୀକ୍ଷା ସରିବା ବେଳକୁ ଡାକ୍ତର ବିବ୍ରତ ଜଣାପଡ଼ୁଥିଲେ ।

 

“ତୋର ବର୍ତ୍ତମାନ କ’ଣ ହୋଇଛି; ମୁଁ ଠିକ୍ ଭାବରେ କହିପାରୁନି । ତେବେ କେତେଗୁଡ଼ିଏ ବଟିକା ଦେଉଛି । ତାକୁ କିଛିଦିନ ଖାଆ । ଆସନ୍ତା ଋତୁସ୍ରାବ ବେଳକୁ ପୁଣି ଥରେ ପରୀକ୍ଷା କରିବା ।

 

ଲାଭି ଡାକ୍ତରଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କଲା । ଦୁଇଦିନ ଭିତରେ ତା’ର ଯନ୍ତ୍ରଣା କ୍ରମଶଃ ଉପଶମ ହେବାକୁ ଲାଗିଲା ।

 

ତା’ ପର ମାସ ବ୍ୟବସାୟିକ କାର୍ଯ୍ୟରେ ରାମ ପୁନା ଓ ରାଜସ୍ଥାନ ଯିବାବେଳେ ଲାବଣ୍ୟକୁ ସାଙ୍ଗରେ ନେଇଗଲା । ଦୀର୍ଘ କୋଡ଼ିଏ ଦିନ ଅତି ଆନନ୍ଦରେ ସେମାନଙ୍କର କଟିଗଲା । ଆଉ ଦଶଦିନ ଯିବା ପରେ ହଠାତ୍ ରୋଗକଥା ତା’ର ମନେ ପଡ଼ିଯିବାରୁ ସେ କ୍ୟାଲେଣ୍ଡର ଦେଖିଲା ।

 

ପଇଁତିରିଶ ଦିନ ଚାଲିଗଲାଣି । ସେ କ’ଣ ତାହାହେଲେ ଗର୍ଭବତୀ ? ସେଦିନ ରାତିରେ ଦମ୍ପତିଙ୍କ ମନରେ କି ଅସୀମ ଆନନ୍ଦ । ସେମାନେ ବାପାଙ୍କୁ ଖବର ଦେବାକୁ ଚାହୁଁଥିଲେ ମାତ୍ର ଡାକ୍ତରଙ୍କଠାରୁ ଏହାର ସତ୍ୟାସତ୍ୟ ନିରୂପଣ କରିବା ପରେ କହିବା ଠିକ୍ ମନେକଲେ ।

 

ଏହାର ଠିକ୍ ତିନିଦିନ ପରେ...ହଠାତ୍ ଲାଭି ତା’ର ତଳିପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲା । ତା’ର ପେଟ କୋରି ହୋଇଯାଉଥିଲା ଯେପରି । ଅସୁବିଧା କେଉଁଠି ? ପୁଣି କ’ଣ ଅନ୍ୟ କିଛି ରୋଗ ? ପନ୍ଦର ମିନିଟ୍ ପରେ ପୁଣି ନିଦାରୁଣ ପୀଡ଼ା । ସେ ରାମକୁ ଟେଲିଫୋନ କଲା-। ତା’ର ଦେହ ହାତ ଥରୁଥିଲା । କୈଳାଶ-ବାବୁ ଓ ରାମ, ଦଶମିନିଟ ମଧ୍ୟରେ ପହଞ୍ଚିଲେ-। ସେମାନେ ପହଞ୍ଚିଥିବେ ଲାବଣ୍ୟର ଭୟଙ୍କର ବାନ୍ତି; ଆଖିଆଗରେ ତା’ର ଅନ୍ଧାର ଘୋଟିଗଲା…ଓଠ ଶୁଖିଗଲା… । ସେ ଦୁଃଖ ଓ ଯନ୍ତ୍ରଣାରେ ଚିତ୍କାର କରୁଥାଏ ।

 

ସେମାନେ ତାକୁ ଡାକ୍ତର ସୁଶୀଳାଙ୍କ ନର୍ସିଂହୋମକୁ ନେଇଗଲେ । ତାକୁ ଜରୁରୀକାଳୀନ କକ୍ଷକୁ ନିଆଗଲା ।

 

ଅପେରେସନ ପୂର୍ବରୁ ଡାକ୍ତର ଘୋଷଣା କଲେ, “ଯୋନି ସହିତ ସଂଶ୍ଳିଷ୍ଟ ପେଟ ଭିତର ଥଳିଟିରେ କ୍ଷତ ହୋଇଛି । ମୁଁ ତାକୁ ଅପରେସନ୍ କରିବି ଓ ଯେଉଁ ଅଂଶଟି କ୍ଷତିଗ୍ରସ୍ତ ତାକୁ କାଟି ବାହାର କରିବାକୁ ହେବ । ସବୁ ଭଲ ହେବ ବୋଲି ଆଶା କରାଯାଉ ।”

 

ଅପେରେସନ୍ ଆରମ୍ଭ ହେବା ମାତ୍ରେ ଡାକ୍ତର ଚମକିପଡ଼ିଲେ । ଓଭାରିର ଦୁଇ କଡ଼ରେ କେବଳ ନୁହେଁ, ଅନ୍ୟ ଓଭାରିଟିରେ ମଧ୍ୟ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ସିଷ୍ଟ୍ । ଯଦି ଦୁଇଟିଯାକ ଓଭାରି ନଷ୍ଟ ହୋଇଥାଏ; ତେବେ ଭବିଷ୍ୟତରେ ଗର୍ଭଧାରଣ ସଂପୂର୍ଣ୍ଣରୂପେ ଅସମ୍ଭବ । ହେ ଭଗବାନ :

 

ଯେଉଁ ଓଭାରିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା, ତାକୁ କାଟି ସେ ବାହାର କରିଦେଲେ । ତା’ପରେ ବାହାରକୁ ଆସି ରାମକୁ ଅନ୍ୟ ଉଭାରି କଥା କହି ବିପଦ ସମ୍ପର୍କରେ ସୂଚନା ଦେଲେ ।

 

ରାମ କ’ଣ ବା କହନ୍ତା ?

 

“ଲାଭି ଛଡ଼ା ମୁଁ ଆଉ କିଛି ଚାହୁଁନାହିଁ ।” ଅପରେସନ୍ ପାଇଁ ରାମ ଦେଲା ତା’ର ସମ୍ମତି-

 

ଦୁଇଘଣ୍ଟା ପରେ ଅପରେସନ୍ ସରିଗଲା । ଡାକ୍ତର ରାମକୁ ସିଷ୍ଟ୍ ମାନଙ୍କର ଦ୍ରୁତ ବିକାଶ ସମ୍ବନ୍ଧରେ ବୁଝାଇଲେ ।

 

“ଏଭଳି ଲକ୍ଷଣ ଦେଖି ଆମେ ବହୁତ ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ଅପରେସନ୍ କରିଛୁ । ମାତ୍ର ଲାଭିଠାରେ ଏହାର ବିକାଶ ହଠାତ୍ ଓ କ୍ଷିପ୍ର । ବାସ୍ତବିକ ଏହା ଅତ୍ୟନ୍ତ ଦୁଃଖର ବିଷୟ । ହଜାରେକରେ ଗୋଟେ ଆମେ ଏଭଳି ରୋଗୀ ଦେଖୁ । ବର୍ତ୍ତମାନ ତୁମର ସାହସ କେବଳ ତା’ର ବଞ୍ଚିବାର ଟନିକ୍ ।”

 

“ମୋର ଗୋଟିଏ ଅନୁରୋଧ ଡାକ୍ତର । ଏ ବିଷୟରେ ଯେପରି ମୋର ଶ୍ୱଶୁର କିଛି ନ ଜାଣନ୍ତୁ । ମୁଁ ସୁବିଧା ଦେଖି ଲାଭିକୁ ଏ ବିଷୟ ପରେ କହିବି । ଆମେ ତିନିଜଣ କେବଳ ଏ ବିଷୟ ଜାଣିବା ।” ରାମ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଡାକ୍ତର ଏହା ବୁଝିଥିଲେ । ଲାବଣ୍ୟର ମାତୃତ୍ୱ ବିଷୟରେ ସମସ୍ତ ସତ୍ୟାସତ୍ୟ ଏହି ତିନିଜଣଙ୍କ ଭିତରେ ସୀମାବଦ୍ଧ ରହିଲା ।

 

ଅପରେସନ୍‍ର ଠିକ୍ ଚାରିମାସ ପରେ । ଦିନେ ରାତିରେ ଲାବଣ୍ୟ ନିଜ ମନକୁ ସ୍ଥିର କରି ରାମକୁ କିଛି ପଚାରିବାକୁ ଇଚ୍ଛାକଲା ।

 

ରାତ୍ରି ଭୋଜନ ସରିଯାଇଥିଲା । ସେ ଦୁହେଁ ଉପର ମହଲାର ଶୋଇବା ଘରେ ଥିଲେ ।

 

“ମୁଁ ତୁମକୁ କିଛି ପଚାରିବାକୁ ଚାହେଁ ।” ଲାଭି କହିଲା ।

 

ଷ୍ଟିରିଓରୁ ଭାସି ଆସୁଥିବା ଇଂରାଜୀ ସଙ୍ଗୀତର ମଧୁର ମୂର୍ଚ୍ଛନାକୁ ରାମ ଟିକିଏ କମାଇଦେଇ, ଲାବଣ୍ୟକୁ କୋଳକୁ ନେଇ ପଚାରିଲା, “ପଚାର!”

 

“ମୋ କଥା ଶୁଣି ସାରିଲା ପରେ, ମନରେ ଦୁଃଖ କରିବନି ବା ରାଗିବନି । ପ୍ରଥମେ ମନଦେଇ ଶୁଣ । ଆଗ ମୋତେ ତୁମେ ବୁଝିବାକୁ ଚେଷ୍ଟା କରିବ । କ’ଣ କହୁଛ ?”

 

କଥାର ଉପସ୍ଥାପନା ଓ ଭୂମିକାରେ ରାମ ଆନନ୍ଦ ଉପଭୋଗ କରୁଥିଲା । ସେ ଜାଣିଥିଲା ଲାଭି ଯାହା କହିବାକୁ ଯାଉଛି, ତହିଁରେ ନିଶ୍ଚିତ ରୂପେ କିଛି ଗୁରୁତ୍ୱ ଅଛି; ତେଣୁ ସେ ଏକ ସ୍ମିତ ହସରେଖା ଟାଣି ଲାଭିକୁ ଚୁମାଟିଏ ଦେଇ କହିବାକୁ ଅନୁମତି ଦେଲା ।

 

“ତୁମେ ମୋତେ କାହିଁକି ଛାଡ଼ପତ୍ର ଦେଇ ଆଉ ଗୋଟିଏ ବାହା ହେଉନ ? ସମସ୍ତେ ସନ୍ତାନ ଆଶା କରନ୍ତି; ତୁମର ମଧ୍ୟ ସନ୍ତାନ କାମନା ଥିବା ସ୍ଵାଭାବିକ । ମୋର ଅକ୍ଷମତା ହେତୁ ତୁମେ କାହିଁକି ନିଜକୁ କଷ୍ଟ ଦେବ ? ମୋତେ ତୁମେ ମନକଥା ଖୋଲିକରି କୁହ; ମୁଁ ସବୁକିଛି ବୁଝିପାରିବି ।” ଲାବଣ୍ୟର କଣ୍ଠ ଦୁଃଖରେ ଅବରୋଧ ହୋଇପଡ଼ିଥିଲା । ଓଠରୁ ବାକ୍ୟ ସ୍ଫୁରୁନଥିଲା-। ଲୋତକର ବନ୍ୟା ଭାସି ଚାଲିଥିଲା ତା’ ଆଖିଦୁଇଟିରୁ । ସୁନ୍ଦର ମୁଖମଣ୍ଡଳଟି ଲୋତକରେ ସିକ୍ତ ହୋଇଯାଇଥିଲା ।

 

ରାମ ତାକୁ ନିଜର ବାହୁପାଶରୁ ଅଲଗା କରିଦେଇ, ଘର ଭିତରେ ବାରମ୍ବାର ଏପାଖ ସେପାଖ ପଦଚାରଣ କରିବାକୁ ଲାଗିଲା । ସେ ବିଚଳିତ ହୋଇଯାଇ ଧିର ସ୍ୱରରେ କହିଲା, “ତୁ କ’ଣ ମୋତେ ସବୁ ସାଧାରଣ ଲୋକଙ୍କ ପରି ଜଣେବୋଲି ଭାବିଛୁ ? କିଭଳି ଭାବରେ ତୁ ମୋତେ ଏଭଳି କଥା କହିପାରିଲୁ ?”

 

ତୋ ଅପେକ୍ଷା ସନ୍ତାନ କ’ଣ ମୋ ପାଇଁ ବେଶୀ ମୂଲ୍ୟବାନ ? ତୁ କ’ଣ ଜାଣୁନା ଜଣେ ବିଚାରଶୀଳା ବୁଦ୍ଧିମତୀ ସ୍ତ୍ରୀ ଲାଭକରି ମୁଁ କେତେ ଖୁସି ଓ ଆନନ୍ଦିତ ? ମୋର ସନ୍ତାନରେ ଆବଶ୍ୟକ ନାହିଁ । ତୋ ସହିତ ମୁଁ ବେଶ୍ ଖୁସିରେ ଅଛି । ମୁଁ ସନ୍ତୁଷ୍ଟ ! ଯାହା ଆମ ଭାଗ୍ୟରେ ନାହିଁ, ସେଥିପାଇଁ ଆମେ କାହିଁକି ଭାବିବା ? କୌଣସି ଗୋଟିଏ ଜିନିଷ ପ୍ରତି ଆସକ୍ତ ହେଲେ, ଆମେ କେବେ ଶାନ୍ତିରେ ରହିପାରିବାନି । ଆମେ ଆମର ଆବେଗକୁ ନିୟନ୍ତ୍ରଣ କରି ରଖିବା ଉଚିତ୍ । ଆବେଗ ଆମକୁ ଯେପରି ନିୟନ୍ତ୍ରଣ ନ କରୁ । ହେ ମୋର ପ୍ରିୟତମା, ଏହି ମୁହୂର୍ତ୍ତରୁ ଏ ଆଲୋଚନା ବନ୍ଦ ରହୁ । ମୁଁ ଏ ବିଷୟର ପରିସମାପ୍ତି ଏଇଠି ଘଟିଲା ବୋଲି ଆଶା କରୁଛି ।”

 

ସେ ଲାବଣ୍ୟକୁ ଆଲିଙ୍ଗନ କରି ତାକୁ ସାନ୍ତ୍ୱନା ଦେଲା; ଆଖିରୁ ତା’ର ବହି ଚାଲିଥିବା ଲୁହଧାରକୁ ପୋଛି ଦେଇ ମୁଣ୍ଡକୁ ଆସ୍ତେ ଆସ୍ତେ ଆଉଁସିଦେଲା ।

 

ରାମର ପ୍ରେମ ଯୋଗୁଁ ସେହି ମୁହୂର୍ତ୍ତରେ ଲାବଣ୍ୟ ମନରେ ଗଭୀର ଶାନ୍ତି ଆସିଥିଲା । ମାତ୍ର ପରେ ପରେ ହୃଦୟରେ ଦୁଃଖର ଆଗ୍ନେୟଗିରି ଉତ୍‍କ୍ଷିପ୍ତ ହୋଇ ଫାଟି ପଡ଼ିବାକୁ ଅପେକ୍ଷା କରି ରହିଥିଲା ଯେପରି ।

 

ତିନିବର୍ଷ ଗତ ହୋଇଯାଇଥିଲା । ବିମାନ ଦୁର୍ଘଟଣାରେ ତା’ ପିତାଙ୍କର ମୃତ୍ୟୁ ପୂର୍ବରୁ ସେ କେତେଥର ତାଙ୍କୁ ମିଛ ନ କହିଛି ।

 

ଗୋଟିଏ ଗର୍ଭାଧାନ ନଷ୍ଟ ହୋଇଗଲା । ଆଉ ଗୋଟିଏ ତ ଅଛି । ତା’ର ବାପା, ଶ୍ୱଶୁର, ଶାଶୁ ସମସ୍ତେ କହନ୍ତି…‘‘ତୋର କ’ଣ ପିଲାଟିଏ ପାଇବାକୁ ମନହେଉନି ? …ଚିକିତ୍ସା କାହିଁକି କରୁନୁ-? …କେବେ ତୁ ଆମକୁ ନାତି ନାତୁଣୀ ସହିତ ଖେଳିବାକୁ ସୁଯୋଗ ଦେବୁ ?” …ସେ କେବଳ ହସି ହସି ସେମାନଙ୍କ କଥାକୁ ଏଡ଼ାଇ ଦେଇଥିଲା ।

 

“ଏତେ ବ୍ୟସ୍ତ କାହିଁକି ? ଜୀବନକୁ ଆଉ କେତେଦିନ ମନଭରି ଉପଭୋଗ କରାଯାଉ-।” ସେ ସେମାନଙ୍କୁ କହିଦିଏ ।

 

“ତିନିବର୍ଷ ? ମାତ୍ର ତିନିବର୍ଷ…ଆଉ ଦୁଇବର୍ଷ ଯାଉ… ।”

 

“ଆସନ୍ତା ବର୍ଷ ଆମେ ପୃଥିବୀ ଭ୍ରମଣରେ ଯାଉଛୁ; ତେଣୁ ସେ ଜଞ୍ଜାଳରୁ ଅତ୍ୟନ୍ତ ପକ୍ଷେ ମୁକ୍ତ ରହିବାକୁ ଚାହୁଁ ।” ସେ ନିହାତି ହସି ହସି ଏକଥା ସେମାନଙ୍କୁ କହି ହସାଏ ।

 

କିନ୍ତୁ ସେହି ଦୁଃଖଦାୟକ ଘଟଣା ଲାଭି କେବେ ଆଶା କରିନଥିଲା । କୋଚିନ କେତେ ନିକଟରେ । ସେଠାରୁ ତା’ ବାପା ଫେରିବା ପୂର୍ବରୁ, ତାଙ୍କର ଜୀବନଦୀପ ହଠାତ୍ ଲିଭିଗଲା ।

 

ସେ ଗୋଟିଏ ଦିନ ପାଇଁ କାର୍ଯ୍ୟରେ ଯାଇଥିଲେ । ମାତ୍ର ତା’ପରଦିନ ବିମାନ ଦୁର୍ଘଟଣାର ଖବର ପହଁଞ୍ଚିଲା, ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା ।

 

ତା’ ବାପାଙ୍କର ଶେଷକଥା ଥିଲା କେବଳ ନାତି ନାତୁଣୀ । ଯାତ୍ରା ପୂର୍ବର କଥାବାର୍ତ୍ତା ଥିଲା ନାତି ନାତୁଣୀଙ୍କୁ ନେଇ !

 

“ମୁଁ ତୋର ଖୁଡ଼ୀଙ୍କୁ ଦେଖିବାକୁ କୋଚିନ୍ ଯାଉଛି । ଲାଭି, ଗତଥର ମୁଁ ସେଠାରେ ଯେତେବେଳେ ଥିଲି; ସେ ମୋତେ ପଚାରିଲେ-ବାହାଘର ପରେ ଆଉ କ’ଣ କିଛି ଉତ୍ସବ ପାଳିବୁନି-?

 

ଏଥର ମଧ୍ୟ…ସେ ସେଇକଥା କହିବେ ।”

 

ତାପରେ ହଠାତ୍ ଗମ୍ଭୀର ହୋଇ କହିଲେ...

 

“ଅପର୍ଯ୍ୟାପ୍ତ ସମ୍ପତ୍ତି । ଘର, ବାଡ଼ି ବଗିଚା, ସବୁପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ... ଦଶ ପୁରୁଷ ବସିଖାଇଲେ ସରିବନି...ମାତ୍ର ପିଲାଟିଏ ହେବ ଏକଥା ଯେପରି ଜଣାଯାଉନି । ସେତିକି ମୋର ଦୁଃଖ । ରାମର ମାନସିକ ଶାନ୍ତି, କାର୍ଯ୍ୟନିପୁଣତା ତା’ ପିଲାଙ୍କ ଭିତରେ...ଓଃ କେତେ ଆନନ୍ଦଦାୟକ ନ ହେବ ସତେ । ଏ ପୃଥିବୀରେ ତା’ ସହିତ କେହି ସମକକ୍ଷ ହୋଇପାରିବେନି-ଯଦି ଏ ଆଶା ମୋର ଥରେ ପୂରଣ ହୋଇଯାଏ, ତେବେ ମୁଁ ଆରପାରିକୁ ଯିବାପାଇଁ ପ୍ରସ୍ତୁତ । ଆନନ୍ଦରେ ଏ ପୃଥିବୀ ଛାଡ଼ି ଚାଲିଯିବି । “ସେଦିନ ଗଭୀର ଦୁଃଖରେ ସେ କହି ଯାଉଥିଲେ । ଏହି କଥା ଗୁଡ଼ାକ ଲାଭି କାନରେ ବାରମ୍ଵାର ପ୍ରତିଧ୍ଵନିତ ହେଉଥିଲା । ବାପାଙ୍କ ସ୍ୱପ୍ନ କିପରି ସତ୍ୟରେ ପରିଣତ ହେବ-? ...ସେ ଭାବୁଥିଲା...ଭାବି ଚାଲିଥିଲା ।

 

ବର୍ଷକ ଭିତରେ ସେ ଏକ ବିରାଟ ଯୋଜନା ପ୍ରସ୍ତୁତ କଲା । ଅଭୂତପୂର୍ବ ଯୋଜନା...ସମସ୍ତେ ସେଥିରେ ଚକିତ ହୋଇପଡ଼ିବେ । ଏହି ଯୋଜନା ଭାରତୀୟ ଚାଲିଚଳନ ଓ ସଂସ୍କୃତିକୁ ଦୋହଲାଇ ଦେବ ।

 

ରାତିଦିନ...ଲାଭି ସେହି କଥାକୁ ହିଁ ଭାବୁଥିଲା ।

 

ରାମ ଓ ତା’ ପାଇଁ ଏହାଥିଲା ମାରାତ୍ମକ । ତୃତୀୟ ବ୍ୟକ୍ତିକୁ ପଚାରିବାର କୌଣସି ଆବଶ୍ୟକ ନ ଥିଲା । ତା’ର ବିଚାର ଓ କାର୍ଯ୍ୟ ଉପରେ ଅନ୍ୟ କେହି ଅପରିଚିତର କ’ଣ ଅଧିକାର ଅଛି ବିଚାର କରିବାକୁ ? ଅଥବା ସେହି କଥାନେଇ ସିଦ୍ଧାନ୍ତରେ ଉପନୀତ ହେବାକୁ ? ଏଥିପାଇଁ ସେମାନଙ୍କର ମୁଣ୍ଡ ଖେଳାଇବାରେ କୌଣସି ଆବଶ୍ୟକତା ନାହିଁ ।

 

ସଂସ୍କୃତି ନାଆଁରେ କେତେ ଭୟଙ୍କର ଘଟଣା ନ ଘଟୁଛି । ସମସ୍ତେ କହୁଛନ୍ତି କହି ଚାଲିଛନ୍ତି ସଂସ୍କୃତି ସମ୍ପର୍କରେ, ଚରିତ୍ର ଓ ପରମ୍ପରା ନେଇ, ମାତ୍ର ଘର ଭିତରେ ସେମାନେ କ’ଣ ନ କରୁଛନ୍ତି !

 

ଏ ସମାଜ ନର୍କରେ ପଡ଼ୁ ।

 

ସମାଜରେ ଏହି ଛଳନା ଘୃଣ୍ୟ ।

 

ସେ ଶାନ୍ତି ଚାହେଁ, ଆନନ୍ଦ ଚାହେଁ; ବାପାଙ୍କର ଶେଷଇଚ୍ଛା ଫଳବତୀ ହେବା ଚାହେଁ । ସେଇଆ ହିଁ ତା’ର ଏକମାତ୍ର ଇଚ୍ଛା, ଏକମାତ୍ର ଚିନ୍ତା । ଏହିପରି ବ୍ୟସ୍ତ ଓ ବିବ୍ରତ ଚିନ୍ତା ଭିତରେ, ସେ କେବଳ ଧମୁଠାରୁ ସାହାଯ୍ୟ ପାଇପାରିବ ବୋଲି ଆଶାପୋଷଣ କରିଥିଲା ।

 

ଧମୁ ତା’ର କକେଇ ପୁଅ ଭାଇ । ତା’ଠାରୁ ପାଞ୍ଚ ବର୍ଷ ବଡ଼ । ନିହାତି ଭଦ୍ରଲୋକ । ଉଚ୍ଚମନା ଓ ବିଶାଳ ହୃଦୟ । ରାମ ସହିତ ବିବେକାନନ୍ଦ କଲେଜରେ ପଢ଼ୁଥିଲା । ସେ ରାମର ଅତ୍ୟନ୍ତ ଘନିଷ୍ଠ । ମାତ୍ର ତା’ର ସିନେମା ପ୍ରତି ଆସକ୍ତି ବହୁତ ବେଶୀ । କୌଣସି ଏକ ପ୍ରଚାର ସଂସ୍ଥା ସହିତ ସଂଶ୍ଳିଷ୍ଟ ହୋଇ ସେ କେତେଗୁଡ଼ିଏ ପ୍ରଚାର ସମ୍ବଳିତ ଚିତ୍ର ପ୍ରସ୍ତୁତ କରିଛି ।

 

“ମୁଁ ତୋ ସହିତ କଥା ହେବାକୁ ଚାହେଁ । ବହୁତ ଗୁରୁତ୍ଵପୂର୍ଣ୍ଣ ଗୁପ୍ତକଥା ।” ଦିନେ ସେ ଧମୁକୁ ଟେଲିଫୋନ୍ କରି କହିଥିଲା ଏବଂ ତା’ ଆଗରେ ତା’ ଯୋଜନା ଉପସ୍ଥାପିତ କରିଥିଲା ।

 

“ତୁ କ’ଣ ଭାବୁଛୁ ଏହା କାର୍ଯ୍ୟକରୀ ହୋଇପାରିବ ?” ପଚାରିଲା ଧମୁ ।

 

“ଧମୁ, ହବ କି ନାହିଁ, ମୁଁ ଜାଣିନି, କିନ୍ତୁ ଚେଷ୍ଟା କଲେ କ୍ଷତି କ’ଣ ?”

 

“ରାମ ସହିତ ଏ ସମ୍ପର୍କରେ କଥାବାର୍ତ୍ତା କରିଛୁ ?”

 

“ଛାଡ଼୍, ପ୍ରଥମେ ଏ କାର୍ଯ୍ୟ କେତେଦୂର ସଫଳ ହୋଇପାରିବ; ସେ ବିଷୟରେ ଚିନ୍ତା କରାଯାଉ । ପରେ ରାମକୁ ମୁଁ ସବୁକଥା କହିବି ।”

 

ଧମୁ ଏପରି ଏକ କାର୍ଯ୍ୟରେ ସାହାଯ୍ୟ କରିପାରିବ କି ନାହିଁ ଭାବିବାକୁ କିଛି ସମୟ ଚାହିଁଥିଲା ।

 

ହଠାତ୍ ଠେଲାମାରି କାର୍‍ଟି ଚାଲିବାକୁ ଆରମ୍ଭ କଲା । ଲାବଣ୍ୟ ତା’ର ପାଟି ଖୋଲିବାକୁ ଚେଷ୍ଟା କରୁଥିଲା ।

 

“ଶୋଇଛୁ କି ?” ଧମୁ ପଚାରିଲା ।

 

“କେତେ ପୁରୁଣା ଚିନ୍ତା ।”

 

ସେ ସବୁ ଜାଣିଥିଲା । ତେଣୁ ନୀରବ ରହିବାକୁ ଭଲ ମନେକଲା ।

 

ସେହି ଅଣଓସାରିଆ, ଅପ୍ରଶସ୍ତ ରାସ୍ତାରେ ଗାଡ଼ି ଚଳାଇବା କଷ୍ଟକର । ସମଗ୍ର ପରିବେଶଟି ମଧ୍ୟ ଅସ୍ଵାସ୍ଥ୍ୟକର । ଘୁଷୁରି ଛୁଆଗୁଡ଼ାକ ଇତସ୍ତତଃ ବୁଲିବାରେ ବ୍ୟସ୍ତ । ଅଧାନଙ୍ଗଳା, ରୋଗାକ୍ରାନ୍ତ ପିଲାଗୁଡ଼ାକ ଗଳିସାରା ବୁଲୁଛନ୍ତି । ଲୋକମାନଙ୍କୁ ନେଇ ରିକ୍‍ସା ଯାତାୟତ କରୁଛି । କେତେକ ସ୍ତ୍ରୀଲୋକ ଶରୀରକୁ ଅଧାନଙ୍ଗଳ କରି ନିଜର ଉନ୍ନତ୍ତ ଯୌବନକୁ ଲୋକମାନଙ୍କୁ ଦେଖାଇ ସେମାନଙ୍କ ମନ ହରିବାକୁ ଚେଷ୍ଟା କରୁଛନ୍ତି । ହଠାତ୍ ଧମୁର ମନ ଯେପରି ଅସୁଖୀ ହୋଇଉଠୁଥିଲା । କୌଣସି ଭଦ୍ରଘରର ଲୋକଙ୍କ ପାଇଁ ଏ ସ୍ଥାନ ଉପଯୁକ୍ତ ନୁହେଁ । ମେନକାକୁ ହୁଏତ ଏ ଅପରିଚ୍ଛନ୍ନ ପରିବେଶରୁ ନେଇଯାଇ ଲାଭି ସହିତ ସାକ୍ଷାତ କରାଯାଇ ପାରିଥାନ୍ତା ।

 

କାର୍‍ର ଗତି ବନ୍ଦ ହେଲା ।

 

“ଏଇଟା ତା’ର ଘର । ତୁ ଗାଡ଼ିରେ ଅପେକ୍ଷା କର ।”

 

ସେ ଘର ଭିତରକୁ ଯାଇ ପାଞ୍ଚ ମିନିଟରେ ଫେରିଆସିଲା ।

 

“ସେ ଘରେ ଅଛି । ତୁ ଘର ଭିତରକୁ ଯିବୁ ନା ମୁଁ ତାକୁ ଏଠାକୁ ନେଇଆସିବି ?”

 

“ନା, ମୁଁ ଯିବି ।”

 

ସେ ଘର ଅନେକ ଭଡ଼ାଟିଆଙ୍କର ରହିବା ଜାଗା । ଅପରିଷ୍କାର, ଦାରିଦ୍ର୍ୟ ଓ ଏକ ବିକଟ ଦୁର୍ଗନ୍ଧରେ ସମଗ୍ର ପରିବେଶ ପୂର୍ଣ୍ଣ । ସେମାନେ ଉପର ମହଲାକୁ ଉଠିଲେ । ତୃତୀୟ କୋଠରିରେ ପ୍ରବେଶ କଲେ ।

 

“ଭିତରକୁ ଆସନ୍ତୁ !” ମେନକା ସମ୍ବର୍ଦ୍ଧନା ଜଣାଇ କହିଲା । ସେ ଅତି ଆଶ୍ଚର୍ଯ୍ୟ ଭାବରେ ଲାଭିକୁ ଦେଖୁଥିଲା । ଅନ୍ୟ ଭଡ଼ାଟିଆ ଲୋକମାନେ ସେଠାରେ ଏହି ସମ୍ଭ୍ରାନ୍ତ ମହିଳା ଜଣଙ୍କୁ ଦେଖିବାକୁ ସେତେବେଳକୁ ଏକାଠି ହୋଇଯାଇଥିଲେ । ସେ ବାଉଁଶ ତିଆରି ଦୁଇଟା ଷ୍ଟୁଲ୍ ସେମାନଙ୍କ ବସିବା ପାଇଁ ଦେଲା । ସେମାନେ ଚୁପ୍‍ଚାପ୍ ବସିଗଲେ ।

 

ଦୁଇ ମିନିଟ୍ ଚାଲିଗଲା ।

 

“କୁଆଡ଼େ ଆସିଥିଲେ ?”

 

ମେନକା ଧମୁକୁ ପଚାରିଲା ।

 

ଧମୁ ଯେପରି ବିବ୍ରତ ହୋଇପଡ଼ିଥିଲା । ସେ ଲାଭି ଆଡ଼କୁ ଆଖି ଫେରାଇଲା ।

 

“ସେ କ’ଣ କୌଣସି ଚିତ୍ରର ପ୍ରଯୋଜକ ? ମୁଁ କ’ଣ ତାଙ୍କର ପ୍ରସ୍ତୁତ କୌଣସି ଛବି ପାଇଁ ନିଯୁକ୍ତି ପାଇବାକୁ ଯାଉଛି ?” ମେନକା ଖୁସିରେ ପଚାରିଲା । ତଥାପି ଲାବଣ୍ୟ ଚୁପ୍ ରହିଲା-

 

“ଯଦି ତୁମେ ମୋ ସହିତ କଥାବାର୍ତ୍ତା କରିବ ନାହିଁ, ତେବେ ମୋ ପାଖକୁ ଆସିଲ କାହିଁକି ?”

 

ଧମୁ ଆରମ୍ଭ କଲା–“ଶୁଣ, ଆମେ କୌଣସି ଛବିର ପ୍ରସ୍ତୁତି ନେଇ ଏଠାକୁ ଆସିନାହୁଁ-। କିନ୍ତୁ ଏ ଭଦ୍ରମହିଳା ଏକ ବିଶେଷ କାର୍ଯ୍ୟରେ ତୋର ସାହାଯ୍ୟ ଆବଶ୍ୟକ କରନ୍ତି । ସେ ତୋ ସହିତ କଥାବାର୍ତ୍ତା କରିବା ପାଇଁ ଏଠାକୁ ଆସିଛନ୍ତି ।”

 

ମେନକା ପ୍ରଶ୍ନଭରା ଦୃଷ୍ଟିରେ ଲାଭି ଆଡ଼କୁ ଚାହିଁ କହିଲା, “ସେ ତ ଚୁପ୍-ଚାପ୍ ବସିଛନ୍ତି-। କିଛି କୁହନ୍ତୁ ।”

 

ଲାବଣ୍ୟ ଆରମ୍ଭ କଲା, “ଆମେ ଏଠାକୁ କାହିଁକି ଆସିଛୁ ; ମୁଁ ତୋତେ କହିବି ।”

 

“ପ୍ରଥମେ ମୋତେ କହ, ତୁ କ’ଣ ଏଠାରେ ଏକାକୀ ?”

 

“ନା, ମୋ ସହିତ ଏଠାରେ ଆଉ ଦୁଇଟି ଝିଅ ଅଛନ୍ତି-କମଳା ଓ ରତି ।”

 

“ସେମାନେ ବର୍ତ୍ତମାନ କେଉଁଠି ?”

 

“ରାତି କାମ ।” ଆଦୌ ଲାଜ ନ କରି ମେନକା କହିଥିଲା।

 

“ରାତି କାମ” ଅର୍ଥ ଲାବଣ୍ୟ ବୁଝିପାରିଥିଲା ।

 

“ତୁମେ ଯାଇନାହଁ କାହିଁକି ?”

 

“ହଁ; ମୁଁ ଯାଏ । ମାତ୍ର ସବୁଦିନେ ନୁହେଁ ।” ଟଙ୍କା ଦରକାର ପଡ଼ିଲେ ଓ ଖାଇବା ପାଇଁ କିଛି ନ ଥିଲେ, ମୁଁ ଯାଏ । ନଚେତ୍ ନୁହେଁ ।”

 

“ତୁମେ ଭଲ ଇଂରାଜୀ କହୁଛ । ପାଠ ପଢ଼ିଛ ?”

 

“ଯଦି ମୋର ଇଂରାଜୀ କହିବା ଶୁଣି ତୁମେ ଭାବୁଛ ମୁଁ ଶିକ୍ଷିତା, ତେବେ ମୋର କିଛି କହିବାର ନାହିଁ ।” ମେନକା ସ୍ମିତ ହସ ହସି ପଚାରିଲା, “ମୋଠାରୁ ତୁମେ କ’ଣ ଚାହଁ ? ସମୟ ନଷ୍ଟ କରିବା ଉଚିତ ନୁହେଁ ?”

 

“ମେନକା, ମାସକୁ କେତେ ଟଙ୍କା ତୁମେ ରୋଜଗାର କର ?”

 

ମେନକା ଧମୁ ଆଡ଼କୁ ନୀରବରେ ଚାହିଁଲା । ହୁଏତ ହଜାରେ ବା ଶହେ ।

 

କାମ ଅନୁସାରେ । ମାତ୍ର ତା’ ସହିତ ତୁମର କ’ଣ ସମ୍ପର୍କ । ତୁମେ ଯାହା କହିବାକୁ ଚାହଁ; ତାହା ସିଧା କହିଦିଅ । କାଲି ମୋର ଗୋଟିଏ ଗ୍ରୁପ୍ ନାଚ ଅଛି । ମୋତେ ପ୍ରାକ୍ଟିସ୍ କରିବାକୁ ହେବ ।”

 

“ମନେକର ମାସକୁ ତୁ ହଜାରେ ଟଙ୍କା ରୋଜଗାର କରୁଛୁ; ତେବେ ବର୍ଷକୁ ବାର ହଜାର । ଠିକ୍ ? ମନଦେଇ ଶୁଣ । ତୁ ମୋ ପାଖରେ ପୂରା ବର୍ଷେ ଚାକିରି କରିବୁ । ମୁଁ ତୋତେ ପଚିଶ ହଜାର ଟଙ୍କା ଦେବି । ମୋର ସର୍ତ୍ତ ସମୟ ପୁରିଗଲେ ତୁ ସମ୍ପୂର୍ଣ୍ଣ ମୁକ୍ତ । ସେତେବେଳେ ତୁ ହେବୁ ଏକ ମୁକ୍ତ ଚଢ଼େଇ ।” ଲାବଣ୍ୟ ଜାଣି ଜାଣି ଏକଥା କହିଲା ।

 

‘‘କେବଳ ଟଙ୍କା ନୁହେଁ;” ସେ କହି ଚାଲିଥିଲା “ଏ ବର୍ଷକର ତୋର ଯାବତୀୟ ଖର୍ଚ୍ଚ ମଧ୍ୟ ମୁଁ ଦେବି । ତୋର ରହିବା, ଖାଇବା, ଲୁଗାପଟା ଓ ଅନ୍ୟାନ୍ୟ ଖର୍ଚ୍ଚ । ସେହି ପଚିଶ ହଜାର ଟଙ୍କା କେବଳ ତୋର ପକେଟ୍ ଖର୍ଚ୍ଚ ସ୍ୱରୂପ ଦିଆଯିବ ।”

 

“ପଚିଶ ହଜାର ଟଙ୍କା !”

 

“ବର୍ଷକ ପାଇଁ ଆଉ କୌଣସି ଖର୍ଚ୍ଚ ନାହିଁ ?”

 

“ଏହି ସ୍ତ୍ରୀଲୋକଟି କ’ଣ ପାଗଳ ?”

 

“ମୋର କାମ କ’ଣ ?” ମେନକା ପଚାରିଲା ।

 

ଲାବଣ୍ୟ ଉଠି ଛିଡ଼ାହେଲା । “ବେଶି କଷ୍ଟକର କାମ ନୁହେଁ । ବର୍ଷକ ପାଇଁ ତୋତେ ମୋ ସହିତ ରହିବାକୁ ହେବ । ବାସ୍, ସେତିକି ମୁଁ ପରେ ସବୁକଥା ବିଶଦ ଭାବରେ ବୁଝାଇଦେବି । ମୁଁ ତୋତେ ସମୟ ଦେଉଛି; ଆମେ ପୁଣି କାଲି ଆସିବୁ । ଧମୁ, ଚାଲ୍ ଏଥର ଯିବା ।”

 

ମେନକା ଆଶ୍ଚର୍ଯ୍ୟ ହୋଇ ସେମାନଙ୍କୁ ଚାହିଁ ରହିଲା ।

 

ଲାବଣ୍ୟ ତା’କାନ୍ଧରେ ହାତ ପକାଇ କହିଲା, “ଧମୁ ମୋତେ କହିଛି, ତୁ ଭାରି ସାହାସିନୀ ଏବଂ ଉଚ୍ଚାକାଙ୍‍କ୍ଷୀ ଝିଅ । ସେଇଥିପାଇଁ ମୁଁ ଏଠାକୁ ଆସିଛି । ତୁ କାହାକୁ କହିବୁନି ଆମେ କାହିଁକି ଏଠାକୁ ଆସିଥିଲୁ ବା ତୋ ସହ କ’ଣ କଥା ହେଲୁ । ଏହାକୁ ଅତ୍ୟନ୍ତ ଗୋପନୀୟ ରଖିବାକୁ ଚେଷ୍ଟା କରିବୁ । ଆସନ୍ତାକାଲି ସନ୍ଧ୍ୟା ଚାରିଟାବେଳେ । ଶୁଭରାତ୍ରି ।”

 

ମେନକା ତୁଣ୍ଡରୁ ଭାଷା ସ୍ଫୁରୁନଥିଲା ।

 

ସେ ଦୁଇଜଣ ତାକୁ ଆଶ୍ଚର୍ଯ୍ୟ ଚକିତ କରି ଚାଲିଗଲେ ।

 

“ସେ କ’ଣ ଆଉ କାହା ସହିତ ପରାମର୍ଶ କରିବ ।” ଲାବଣ୍ୟ ବାଟରେ ପଚାରିଲା । ଧମୁ ମୁଣ୍ଡ ହଲାଇଲା, ଅର୍ଥାତ୍ “ମୁଁ ଜାଣେ ନାହିଁ ।”

 

ଘରେ ପହଞ୍ଚି, ସେ ତାକୁ ଆସନ୍ତାକାଲି ସକାଳେ ଟେଲିଫୋନ୍ କରିବାକୁ କହିଲା । ଲାବଣ୍ୟ ଉପର ମହଲାକୁ ଯାଇ ଆସନ୍ତାକାଲିର କାର୍ଯ୍ୟକ୍ରମ ପ୍ରସ୍ତୁତ କରିନେଲା । ରାମ ଆଜି ଗଲେ କାଲି ଆସିବ । ତା’ ପୂର୍ବରୁ ତାକୁ କିଛି ସିଦ୍ଧାନ୍ତରେ ଉପନୀତ ହେବାକୁ ହେବ ।

 

ସମୁଦ୍ର ପବନ ବେଶ୍ ଟିକିଏ ଥଣ୍ଡା ହେଲା । ଛାପିଛାପିକିଆ ଅନ୍ଧାର । ଲାବଣ୍ୟ ମେନକାର ମୁହଁକୁ ଚାହିଁଲା । ସେ ଦୀର୍ଘ ଅଧଘଣ୍ଟାଏ ଧରି ତାକୁ କ’ଣ କରିବାକୁ ହେବ କହି, ତା’ ମୁହଁରେ ଉଠୁଥିବା ଭାବନାଗୁଡ଼ିକୁ ଲକ୍ଷ୍ୟ କରୁଥିଲା । ମଝିରେ ମେନକା ଆଦୌ କିଛି କହିନଥିଲା । ତା’ ମନରେ ନିଶ୍ଚୟ ଉଠୁଥିଲା–

 

“ମୁଁ ? ଏହିଭଳି ? ତୁମେ ମୋତେ କ’ଣ ଭାବିଛ କି ? ...କାରଣ ମୁଁ ଗରିବ; ମୋତେ ଯେକୌଣସି କାମ ପାଇଁ ଲଗାଯାଇପାରିବ । ମୋର କ’ଣ ମନ ନାହିଁ; ଇଚ୍ଛା ନାହିଁ, ଆତ୍ମସମ୍ମାନ ନାହିଁ !!” ମେନକା ଏସବୁ ଭାବୁଥିଲେ ମଧ୍ୟ କିଛି କହୁନଥିଲା ।

 

ସେ ନୀରବ ଆତ୍ମପ୍ରତ୍ୟୟରେ ସ୍ଥିର ଓ ଅବିଚଳିତ ହୋଇ ଶୁଣୁଥିଲା ।

 

ଧମୁ ଠିଆ ହୋଇଥିଲା । ସେମାନଙ୍କଠାରୁ ଅଳ୍ପ ଦୂରରେ । ଶେଷରେ ଲାବଣ୍ୟ କହିଲା, “ମେନକା ! ମୁଁ ଯାହା କହିଲି, ତୁ ବୁଝିଲୁ । ତୁ ମୋ ସହିତ ଏକମତ କି ନୁହଁ ? ପରିଷ୍କାର ଭାବରେ ମନଖୋଲି କହ ।”

 

ମେନକା ଯେତେବେଳେ କହିବାକୁ ଆରମ୍ଭ କଲା, କେତେ ସମୟ ପରେ କେଜାଣି ତାରି ଆଖିଦୁଇଟି ନାଚୁଥିଲା ଯେପରି । ତା’ର ଅତ୍ୟନ୍ତ କଳା, ସୁନ୍ଦର, ମନଲୋଭା ଆଖିଦୁଇଟି । ସାମାନ୍ୟ ଇଷତ୍ ହସ, ସୁଗଠିତ ଦାନ୍ତଗୁଡ଼ିକ ଜିକ୍‍ଜିକ୍ କରିଉଠୁଥିଲା ।

 

“କିଛି ଲୁଚାଇବାର ନାହିଁ । ମୁଁ ମନଖୋଲି କହୁଛି । ମୁଁ ଆଦୌ ଭୟଭୀତ ନୁହେଁ ।” ମେନକା ପରିଷ୍କାର ଭାବରେ କହିଲା । “ମୁଁ ଧମୁ ସାର୍‍ଙ୍କୁ ଭଲଭାବରେ ଜାଣେ । ତାଙ୍କ ଭଳି ଭଦ୍ରଲୋକ ମିଳିବେନି, ତାଙ୍କର ଆମାୟିକ ବ୍ୟବହାର ଓ କର୍ମନିଷ୍ଠତା-ମୁଁ ଭଲକରି ବୁଝିଛି । ଏ କ୍ଷେତ୍ରରେ ତାଙ୍କଭଳି ଲୋକ କେହି ନାହାନ୍ତି ! ମୁଁ ଜାଣେ ସେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ ।

 

ମାତ୍ର ମୁଁ ଭାବୁଛି; ମୁଁ ତାଙ୍କୁ ଭଲଭାବରେ ଜାଣେ । ତାଙ୍କର ଉତ୍ତମ ସ୍ଵଭାବ, ପ୍ରଶାନ୍ତ ହୃଦୟ ଓ କର୍ମନିଷ୍ଠତା ସହିତ ମୁଁ ଭଲରୂପେ ପରିଚିତ । ତାଙ୍କଭଳି ଦକ୍ଷଲୋକ କୋଟିକରେ ଗୋଟିଏ । ମୁଁ ବହୁ ଲୋକଙ୍କର ସମ୍ପର୍କରେ ଆସିଛି । ମାତ୍ର ତାଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି । ସମାଜରେ ସେ ଉଚ୍ଚତର ସ୍ଥାନରେ ଅଧିକାରୀ ହେତୁ ସମସ୍ତେ ତାଙ୍କ ପ୍ରତି ଈର୍ଷାନ୍ୱିତ । ଯେତେବେଳେ ‘ଆଜିର ଭାରତ’ ଛବି ସେ ପ୍ରସ୍ତୁତି କରୁଥିଲେ, କେହିଜଣେ ମୋ ସମ୍ପର୍କରେ ତାଙ୍କ ପାଖରେ ଖରାପ ମନ୍ତବ୍ୟ ଦେଲା । ଜାଣିଛ, ସେ ଲୋକଟି ଥିଲା ଏକ ସମ୍ଭ୍ରାନ୍ତ ପରିବାରର । ଧମୁ ସାର୍ ଏକଥା ଶୁଣିବା ମାତ୍ରେ ସେ ବ୍ୟକ୍ତିକୁ ମୋତେ କ୍ଷମା ମାଗିବା ପାଇଁ ବାଧ୍ୟକଲେ । ଛବିର ସାଇଡ଼୍-ରୋଲରେ କାମ କରୁଥିବା ବ୍ୟକ୍ତିଙ୍କ ପ୍ରତି ତାଙ୍କର ସମ୍ମାନ ଓ ବ୍ୟବହାର ଏଥିରୁ ଜଣାପଡ଼େ-। ତୁମେ ଏପରି ଜଣେ ଲୋକଙ୍କ ମାଧ୍ୟମରେ ମୋ ପାଖକୁ ଆସିଛ, ମୁଁ ତୁମର ସବୁକଥା ଗ୍ରହଣ କରିନେବି, ଧମୁ ସାର୍ ଯାହା କହିବେ ମୁଁ ତାହା କରିବି ।”

ସେ କ’ଣ କହୁଛି ? ଅସମ୍ମତ ନ ହୋଇ ସେ ସମ୍ମତ ହେଲା କିପରି ? ଏଥରକ ଆଶ୍ଚର୍ଯ୍ୟଚକିତ ହେଲେ ଲାବଣ୍ୟ “ଧମୁ; ଏଠାକୁ ଆସ,” ଅତ୍ୟନ୍ତ ଆନନ୍ଦ ଗଦ୍ ଗଦ୍ ସ୍ୱରରେ ଡାକିଲା ଲାବଣ୍ୟ । “ସେ ଏ କାର୍ଯ୍ୟ ପାଇଁ ରାଜି ।”

“ସତ, ମେନକା ?” ଧମୁ ପଚାରିଲା ।

“ହଁ, ମୁଁ ପ୍ରସ୍ତୁତ !”

“ଆଉ ଥରେ ଭାବ । ଚଞ୍ଚଳ ସିଦ୍ଧାନ୍ତ ନେବାର କୌଣସି ପ୍ରୟୋଜନ ନାହିଁ । ଏଥିପାଇଁ ମୁଁ ତୁମକୁ ଦୁଇଦିନ ସମୟ ଦେଉଛି ।”

“ସାର୍, କିଛି ଦରକାର ନାହିଁ । ଆପଣ ଏ ଭଦ୍ରମହିଳାଙ୍କ ସହ ଆସିଛନ୍ତି । ମୁଁ ଜାଣେନା, ସେ ଆପଣଙ୍କର ବନ୍ଧୁ ବା ସମ୍ପର୍କୀୟା । ତଥାପି ସେ ଆପଣଙ୍କର ଅତି ନିକଟ ସମ୍ପର୍କର ଲୋକ ବୋଲି କଥାବାର୍ତ୍ତାରୁ ଜଣାପଡ଼ୁଛି । ସେତିକି ମୋ ପାଇଁ ଯଥେଷ୍ଟ । ତା’ ଛଡ଼ା ମୋତେ ଏତେ ଟଙ୍କା ବା କିଏ ଦେବ ! ମୁଁ ପ୍ରସ୍ତୁତ ସାର୍ ।”

ସମସ୍ତେ କିଛି ସମୟ ସମ୍ପୂର୍ଣ୍ଣ ନୀରବ ।

“ତୁମେ ପୂର୍ଣ୍ଣ ପ୍ରାଣରେ ଏହାକୁ ସମର୍ଥନ କରୁଛ ତ ।”

“ହଁ, ସାର୍ ।”

“ତୁମେ ଶପଥ କରି କହିବ, ଏକଥା କାହା ଆଗରେ ପ୍ରକାଶ କରିବ ନାହିଁ । ତୁମର ହୁଏତ କୌଣସି ଦେବୀ ଦେବତାଙ୍କ ପ୍ରତି ଅଗାଧ ବିଶ୍ଵାସ ଥିବ । ଚାଲ, ସେହି ମନ୍ଦିରକୁ ଯିବା ଏବଂ ସେଠାରେ ତୁମେ ଶପଥ କରିବ ।”

ମୁରୁକି ହସି ମେନକା କହିଲା, “ମୋର କୌଣସି ଦେବାଦେବୀଙ୍କ ଉପରେ ବିଶ୍ଵାସ ନାହିଁ; କିନ୍ତୁ ମୁଁ ମୋ କଥା ରକ୍ଷାକରିବି ବୋଲି ଶପଥଗ୍ରହଣ କରୁଛି ।”

ଧମୁ ତା’ର ଷ୍ଟେନୋକୁ ମେନକା ରହୁଥିବା ଘର ପାଖକୁ ଗୁପ୍ତରେ ପଠାଇଥିଲା ଏବଂ ତାଠୁ ଜାଣିବାକୁ ପାଇଲା ମେନକା ଏ ବିଷୟରେ କୌଣସି କଥା କାହାକୁ କହିନି । ଏହା ଜାଣିବା ପରେ ଲାବଣ୍ୟର ବିଶ୍ଵାସ ତା’ପ୍ରତି ଅଧିକ ବଢ଼ିଗଲା ।

 

ହଠାତ୍ ସେ ଅତ୍ୟନ୍ତ ଆନନ୍ଦିତ ହୋଇଉଠିଲା ।

 

ରାମର ସମ୍ମତି ପରେ ଡାକ୍ତର ସୁଶୀଳାଙ୍କ ସହିତ ପରାମର୍ଶ କରିବାକୁ ହେବ ଏବଂ ତା’ପରେ ଏ କାର୍ଯ୍ୟରେ ହାତ ଦେବାକୁ ହେବ ।

 

ନିଜ ଶାଢ଼ିରୁ ବାଲି ଝାଡ଼ୁ ଝାଡ଼ୁ ଲାବଣ୍ୟ କହିଲା, “ଚାରିଦିନ ପରେ ଆମେ ତୋ ନିକଟକୁ ଆସିବୁ । ଯଦି କିଛି ସ୍ଥିର ନ ହୁଏ, ତେବେ ଧମୁ ତୋତେ ପୁରସ୍କାର ସ୍ୱରୂପ ଦୁଇ ହଜାର ଟଙ୍କା ଦେବ । ତା’ହେଲେ ତୁ ଏକଥା ସବୁ ଭୁଲିଯିବୁ । ଯଦି ଯୋଜନା କାର୍ଯ୍ୟକାରୀ ହେବାର ସମ୍ଭାବନା ଦେଖାଯାଏ, ତେବେ ମୁଁ ତୋ ସହିତ ଦେଖାକରିବି ଏବଂ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ବାହାର କରିବି ।”

 

ମେନକା ସେଥିରେ ରାଜିହେଲା ।

 

ତା’ ପରଦିନ ସକାଳ । ଲାବଣ୍ୟ ଟେଲିଫୋନରେ ଡାକ୍ତର ସୁଶୀଳାଙ୍କୁ ।

 

“ସୁପ୍ରଭାତ, ଡାକ୍ତର ।”

 

“ହ୍ୟାଲୋ, ଲାବଣ୍ୟ, ସୁପ୍ରଭାତ । କେମିତି ଅଛୁ ?”

 

“ଖୁବ୍ ଭଲ । ଧନ୍ୟବାଦ । ମୁଁ ଆପଣଙ୍କ ସହିତ ଗୋଟିଏ ଗୁପ୍ତ ଆଲୋଚନା କରିବାକୁ ଇଚ୍ଛାକରେ । ଆପଣଙ୍କ ପାଖକୁ କେତେବେଳେ ଆସିପାରିବି ?”

 

ନିଜର ଡାଏରି ଦେଖି ସେ ତାକୁ ମଧ୍ୟାହ୍ନଭୋଜନ ସମୟରେ ଆସିବାକୁ କହିଲେ । ସେଦିନ ଠିକ୍ ଗୋଟାଏ ବେଳେ, ଲାବଣ୍ୟ ଡାକ୍ତରଙ୍କ ଘରେ ପହଞ୍ଚିଲା । ସେ ସମୟରେ ଡାକ୍ତରଙ୍କ ସହିତ ଏ ବିଷୟରେ କୌଣସି କଥାବାର୍ତ୍ତା ହେଲାନି, କାରଣ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟାହ୍ନ ଭୋଜନରେ ବ୍ୟସ୍ତଥିଲେ ।

 

ମଧ୍ୟାହ୍ନ ଭୋଜନ ପରେ ଲାବଣ୍ୟ ଓ ସୁଶୀଳା ବୈଠକଖାନାକୁ ଗଲେ ।

 

“ହଁ କେଉଁଥିପାଇଁ ତୁ ଏତେ ବ୍ୟସ୍ତ ।” ଡାକ୍ତରାଣୀ ପଚାରିଲେ ।

 

ଗୋଟିକ ପରେ ଗୋଟିଏ ଲାବଣ୍ୟ ତା’ର ଯୋଜନା ସୁଶୀଳା ଆଗରେ କହିବାକୁ ଲାଗିଲା । ତା’ କହିବାରେ ଥିଲା କାରୁଣ୍ୟ ଓ ବେଦନା । ଡାକ୍ତର ତା’ କଥାର ଗୁରୁତ୍ଵ ଉପଲବ୍ଧି କଲେ ।

 

“ଏ ହେଉଛି ମୋର ଯୋଜନା । ମୁଁ ମେନକା ନାମରେ ଗୋଟିଏ ଝିଅକୁ ଠିକ୍ କରିଛି । ସେ ଏ କାର୍ଯ୍ୟପାଇଁ ପ୍ରସ୍ତୁତ । ସେ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖିବାପାଇଁ କଥା ଦେଇଛି । ଆପଣଙ୍କ ସହିତ ପରାମର୍ଶ କରିସାରିବା ପରେ, ମୁଁ ରାମ ସହିତ କଥା ହେବି, ଯୁକ୍ତିକରି, କାନ୍ଦିକରି ବା ଯେକୌଣସି ଉପାୟରେ ହେଉ ।” ମୋ କଥା ଗ୍ରହଣ କରିବାକୁ ବାଧ୍ୟ କରିବି ।

 

“ତୁ କ’ଣ ବିଶ୍ୱାସ କରୁ ମେନକା ତା’ର କଥା ରଖିବ ?”

 

“ମୁଁ ବିଶ୍ୱାସ କରୁଛି ଡାକ୍ତର । ବିଶ୍ଵାସକୁ ଛାଡ଼ିଦେଲେ ଏ ସଂସାର ଚାଲିପାରିବନି ?” “ଠିକ୍ ଅଛି । ବର୍ତ୍ତମାନ ତୋତେ କହେ, ଏହା ଚିକିତ୍ସା ଦ୍ୱାରା ସମ୍ଭବ କି ? ଭାରତରେ ଏହି କାର୍ଯ୍ୟ ବ୍ୟାପକ ଭାବେ ପ୍ରଚଳିତ ହୋଇନି । ଯେଉଁ ଡାକ୍ତରମାନେ ଏଥିରେ ବିଶେଷ ଜ୍ଞାନଲାଭ କରିଛନ୍ତି, ସେମାନଙ୍କର ସଂଖ୍ୟା ବହୁତ କମ । ଭାଗ୍ୟବଶତଃ ମୁଁ ଲଣ୍ଡନରେ ଥିବାବେଳେ ଏହିଭଳି କେତେଗୁଡ଼ିଏ କେଶ୍ ହାତକୁ ନେଇଥିଲି । ତେଣୁ ମୋ ତରଫରୁ କୌଣସି ସମସ୍ୟା ନାହିଁ । ରାମ ସହିତ ତୁ ଆଗ କଥା ହୁଅ । ପ୍ରଥମେ ସ୍ଵାମୀ ସ୍ତ୍ରୀ ଏ ବିଷୟରେ ପ୍ରତିଜ୍ଞାବଦ୍ଧ ହେବାକୁ ହେବ। ଅବଶିଷ୍ଟ କାର୍ଯ୍ୟ ମୁଁ କରିବି ।”

 

ଡାକ୍ତର ଅନୁମାନ କଲେ କୌଣସି କାରଣରୁ ଲାବଣ୍ୟ ଟିକିଏ ବିବ୍ରତ ହୋଇପଡ଼ିଛି ! “ମୁଁ ହେଉଛି ଡାକ୍ତର । ମୁଁ ମୋର କାର୍ଯ୍ୟକୁ ଈଶ୍ଵରୀୟ ବୋଲି ଭାବେ । ତେଣୁ ଏ ବିଷୟରେ ମୁଁ ମୋର ସ୍ୱାମୀ ବା ରାମ ସହିତ ଆଦୌ କଥା ହେବିନାହିଁ ।”

 

“ବହୁତ ଧନ୍ୟବାଦ ।” ଲାବଣ୍ୟ ଆନନ୍ଦ ଗଦ୍ ଗଦ୍ ହୋଇ କହିଲା ।

 

ସନ୍ଧ୍ୟାବେଳେ ଆସୁଥିବା ଉଡ଼ାଜାହାଜରେ ରାମ ଆସି ପହଞ୍ଚିଲା ସେଦିନ । ଆଗ୍ନେୟଗିରିରୁ ଉତକୀର୍ଣ୍ଣ ଲାଭା ସଦୃଶ ଏକ ଯୋଜନାକୁ କାର୍ଯ୍ୟକାରୀ କରିବାର ସିଦ୍ଧାନ୍ତକୁ ଲାବଣ୍ୟ ଦୀର୍ଘ ଚାରିଦିନ ହେବ ପ୍ରସ୍ତୁତ କରିଛି; ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ, ରାମ ବିଦେଶରୁ ଆସି ପହଞ୍ଚିଲା ।

 

କାଚ ଝରକାର ସେପାଖରୁ ସ୍ମିତହସ ହସି ରାମ କବାଟ ଖୋଲି ଚିତ୍କାର କଲା, “ହ୍ୟାଲୋ ଡାର୍ଲିଂ; ତୁ ଏଥର ବହୁତ ମନେପଡ଼ିଲୁ । ପାଖରେ ତୁ ନ ଥିବାରୁ ଭାରୀ ଖରାପ ଲାଗିଲା-।” ଲାବଣ୍ୟକୁ ନିଜ ବାହୁବନ୍ଧନରେ ବାନ୍ଧି ରାମ ଉଡ଼ାଜାହାଜ ପଡ଼ିଆରୁ ବାହାରି କାର୍ ରହିଥିବା ଦିଗକୁ ଆସିଲା । ଲାବଣ୍ୟ ନିଜେ ଗାଡ଼ି ଚଳାଇ ଆସିଥିଲା । ଫେରିବା ବାଟରେ ରାମ ଡ୍ରାଇଭର ସିଟରେ ବସି ଗାଡ଼ି ଷ୍ଟାର୍ଟ କଲା ।

 

“ଡ୍ରାଇଭର କୁଆଡ଼େ ଗଲା ? …ସବୁ ଠିକ୍ ଅଛି ତ ।”

 

“ଏଇ ଚାରିଦିନ କିପରି ବିତାଇଲ ?” ସେ ଲାଭିର ପିଠି ଆଉଁସୁ ଆଉଁସୁ ପଚାରିଲା । ତା’ପରେ ତା’ର ବମ୍ବେ ଯିବାର କାହାଣୀ ଏବଂ ସେ କିପରି କାର୍ଯ୍ୟ ହାସଲ କଲା ତାହା ଲାବଣ୍ୟ ଆଗରେ ବିଶଦ ଭାବରେ ବର୍ଣ୍ଣନା କଲା । ବର୍ଣ୍ଣନା କରୁଥିବା ସମୟରେ କିନ୍ତୁ ରାମର ଗୋଟିଏ ହାତ ଲାବଣ୍ୟ ପିଠିସାରା ବୁଲୁଥାଏ ।

 

ରାମର ପ୍ରସନ୍ନ ସ୍ୱଭାବ ଲାବଣ୍ୟକୁ ଭଲ ଲାଗୁଥିଲା ।

 

ଘରେ ପହଞ୍ଚି ସେମାନେ ପ୍ରବେଶ କଲେ ସେମାନଙ୍କର ଶୀତତାପ ନିୟନ୍ତ୍ରିତ ଶୟନ କକ୍ଷକୁ ।

 

ତା’ର ସୁଟୋଲ ବେକ ଚାରିପାଖରେ ନିଜର ହାତକୁ ବେଢ଼ାଇ ଦେଇ ରାମ ତା’ ଚିବୁକରେ ଚୁମ୍ବନଟିଏ ଆଙ୍କିବା ସମୟରେ ଲାବଣ୍ୟ ନିଜ ମୁହଁକୁ ତା’ ହାତ ଭିତରେ ଲୁଚାଇ ରଖି ପଚାରିଲେ, “ପ୍ରିୟ ! ତୁମେ କ’ଣ କ୍ଳାନ୍ତ ?’’

 

ମାତ୍ର ରାମ ତାକୁ ଧରି ଘୂରିବାକୁ ଲାଗିଲା ଏବଂ ଖୁସିରେ କହିଲା, “କ୍ଳାନ୍ତ ! ମୁଁ ? ମୁଁ କେତେ ସତେଜ ଓ ଶକ୍ତିଶାଳୀ ତାହା ଏଇଲେ ଦେଖାଇବିକି ?”

 

ତା’ର ଗୋଲାପି ଓଠକୁ ରାମ ଓଠ ସହିତ ଯୋଡ଼ିଦେଇ ଲାଭି କହିଲା–‘‘ମୋର ଗୋଟିଏ ଇଚ୍ଛା ଅଛି; ତାକୁ କ’ଣ ତୁମେ ପୂର୍ଣ୍ଣ କରିବ ।”

 

‘‘ଆଦେଶ କର ମୋର ପ୍ରାଣପ୍ରିୟା । ମୁଁ ସେକଥା ସଙ୍ଗେ ସଙ୍ଗେ କରୁଛି କି ନାହିଁ ଦେଖିବ । ମୋ ଉପରେ ସନ୍ଦେହ କାହିଁକି ?”

 

“କ’ଣ ହେଲା, ହଠାତ୍ ଏତେ ଗମ୍ଭୀର ଓ ଚିନ୍ତିତ ହୋଇଗଲ ଯେ ? ଦେହ ଭଲ ଅଛି ତ-?” ରାମ ପଚାରିଲା ।

 

“ନା, ମୋର ସେହି ଇଚ୍ଛା ।”

 

“କୁହନା ପ୍ରିୟେ ।”

 

“ପ୍ରଥମେ ଶପଥ କର ଯେ ତାକୁ ତୁମେ ପୂରଣ କରିବ ।”

 

“ଧେତ୍ ଲାଭି; ଏ ସବୁ କ’ଣ ? ପିଲାଙ୍କ ଭଳି କଥା କହୁଛୁ !

 

ମୁଁ ତୋତେ ଏପର୍ଯ୍ୟନ୍ତ କିଛି ମନା କରିଛି ?…ଏ ମୁହୂର୍ତ୍ତ ପର୍ଯ୍ୟନ୍ତ… ?”

 

“ନା; ଏହା ଗୋଟିଏ ସମ୍ପୂର୍ଣ୍ଣ ଅଲଗା କଥା…ସବୁ କଥାଠୁ ବ୍ୟତିକ୍ରମ ।”

 

“ଆଗେ କୁହନା; ତା’ପରେ ମୁଁ ମୋର ସମ୍ମତି ଦେବି ।”

 

“ତୁମେ ପାରିବ ପ୍ରିୟ, ତୁମେ ପାରିବ ।”

 

“ତେବେ ଆରମ୍ଭ କର ।”

 

“ମାତ୍ର ତୁମେ ମୋ ନିକଟରେ ଶପଥ କରିନାହଁ ଏ ଯାଏଁ ।”

 

ରାମ ଉଚ୍ଚସ୍ୱରରେ ହସିବାକୁ ଲାଗିଲା । “ତୋର ଆଜି ହୋଇଛି କ’ଣ ? ପିଲାଙ୍କ ଭଳି……ଠିକ୍ ଅଛି । ମୁଁ ଶପଥ କରୁଛି ।”

 

“ରାମ ! ମୋର ଗୋଟିଏ ସନ୍ତାନ ଦରକାର ।”

 

ରାମ ସ୍ତବ୍ଧ ହୋଇ ରହିଗଲା ।” ତୁ କ’ଣ କାହାକୁ ପୋଷ୍ୟପୁତ୍ର କରିବାକୁ ଚାହୁଁଛୁ ?” ତା’ କଣ୍ଠରେ ଦୁଃଖମିଶ୍ରିତ ଭାଷା ।

 

“ନା…… ।”

 

“ତେବେ ?”

 

କହିବାକୁ ତା’ ମନରେ କୁଣ୍ଠା ଓ ଭୟ ।

 

“ତେବେ କ’ଣ ଲାଭି ?”

 

ସେ ତା’ ନିକଟକୁ ଲାଗିଆସିଲା ଏବଂ କାନରେ ନିଜ ଓଠକୁ ରଖି ଆସ୍ତେ ଆସ୍ତେ କହିଲା, “ମୁଁ ଯାହା କହିବି ସେଥିରେ ତୁମେ ଆଦୌ ରାଗିବନି । ବହୁ ଭାବିଚିନ୍ତି ମୁଁ ଏକଥା କହିବାକୁ ଯାଉଛି । ତୁମେ ଜାଣ ମୁଁ ଆଦୌ ଚଞ୍ଚଳ ବା ତରବରିଆ ନୁହେଁ । ଧୈର୍ଯ୍ୟ ଧରି ଶୁଣ । ଏବଂ ମନେରଖ…ତୁମେ ମୋର ଇଚ୍ଛାକୁ କାର୍ଯ୍ୟକାରୀ କରିବାପାଇଁ ଶପଥ ନେଇଛ ।” ତା’ପରେ ସେ କହିବାକୁ ଆରମ୍ଭ କଲା !”

 

ତୁମେ ଜାଣ, ବାପା ନାତି ଦେଖିବାକୁ କେତେ ବ୍ୟାକୁଳ ଥିଲେ । ତାଙ୍କର ଶେଷଇଚ୍ଛା ବାସ୍ତବିକ ମୋତେ ବ୍ୟସ୍ତ କରିଥିଲା; ଭାବିବାକୁ ପଡ଼ିଥିଲା, ଚିନ୍ତା କରିବାକୁ ହୋଇଥିଲା ଏବଂ ଶେଷକୁ ଏକ ନୂଆରାସ୍ତା ଖୋଜି ବାହାର କରିବାକୁ ପଡ଼ିଥିଲା । ତୁମକୁ ଜଣା, ମୁଁ ନିଜେ ସନ୍ତାନ ଧରଣ କରିପାରିବିନି । ମୁଁ ଏଇକଥା ଦୀର୍ଘ କେତେଦିନ ଧରି, ବର୍ଷ ବର୍ଷ ଧରି ଭାବିଛି । ତୁମେ କିନ୍ତୁ ସନ୍ତାନର ପିତା ହୋଇପାରିବ ପ୍ରିୟ । ଅନ୍ୟ କାହା ସନ୍ତାନକୁ ପୋଷ୍ୟପୁତ୍ର କରିବା ଅପେକ୍ଷା, ତୁମ ଔରସରୁ ଜାତ ସନ୍ତାନଟିଏ ଆମେ ନ ପାଳିବା କାହିଁକି ? ପୂରାପୂରି ଅଲଗା ଜଣକ ସନ୍ତାନକୁ ପୁଅ କରିବା ଅପେକ୍ଷା ଏହା କ’ଣ ତା’ଠାରୁ ଭଲ ନୁହେଁ ? ରାମ; ମୁଁ ଯାହା କହିଲି ତୁମେ ବୁଝିପାରୁଛ ?”

 

ରାମ ତାକୁ ଅତି ଆବେଗ ସହ ନିଜ ଆଲିଙ୍ଗନ ପାଶରେ ଭିଡ଼ିଧରି ବଡ଼ ପାଟିରେ କହିଉଠିଲା, “ତୁମେ କ’ଣ କହୁଛ ଲାଭି ?”

 

“ଧୈର୍ଯ୍ୟ ଧରି ଶୁଣ । ମୁଁ ତୁମ ସନ୍ତାନକୁ ନିଜ ପେଟରେ ଧାରଣ କରିପାରିବନି । ମାତ୍ର ଅନ୍ୟକେହି ଝିଅ ତ ତୁମ ସନ୍ତାନକୁ ଗର୍ଭରେ ଧରିପାରିବ । ନୁହେଁ କି ?”

 

ରାମର ହଠାତ୍ ସେହିଦିନମାନଙ୍କରେ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଥିବା ଚମକପ୍ରଦ “ଟେଷ୍ଟ ଟ୍ୟୁବ୍-ବେବି” ସମ୍ବାଦ କଥା ମନେପଡ଼ିଗଲା ।

 

“ଲାଭି, ତୁମେ କ’ଣ ଟେଷ୍ଟ ଟ୍ୟୁବ୍ ବେବି କଥା କହୁଛ କି ?”

 

“ନାଁ ନାଁ ମୁଁ ସେତେ ଦୂର ଯାଉନାହିଁ । ଟେଷ୍ଟ ଟ୍ୟୁବ୍ ବେବି କଥା କହୁନାହିଁ । ମୋ ମତରେ କୃତ୍ରିମ ବୀର୍ଯ୍ୟବିପନ ।”

 

ନିଜକୁ ଲାଭିର ବନ୍ଧନରୁ ମୁକ୍ତକରି ହଠାତ୍ ଉଠିପଡ଼ି ଚିତ୍କାର କରିଉଠିଲା ରାମ, “କ’ଣ କହୁଛ ଲାଭି !”

 

“ଉତ୍ତେଜିତ କାହିଁକି ହେଉଛ ? ଯଦି ତୁମେ ପ୍ରକୃତରେ ମୋତେ ଭଲପାଅ, ତେବେ ମୋର କଥାକୁ ମନଦେଇ ଶୁଣ । କୌଣସି ଏକ ସ୍ତ୍ରୀଲୋକ ତୁମ ସନ୍ତାନକୁ ତା’ର ଜଠରରେ ଦଶମାସ ଧାରଣ କରିବ । ତା’ପରେ ସନ୍ତାନଟି ଆମର । ରାମ, ଧୈର୍ଯ୍ୟଧରି ଚିନ୍ତା କର । ପ୍ଲିଜ୍, ଉତ୍ତେଜିତ ହୋଇପଡ଼ନି ।”

 

ରାମ ପଛକୁ ଘୁଞ୍ଚିଯାଇ ପୁଣି ଚିତ୍କାର କଲା, ହେ ଭଗବାନ ! ଏହା କେତେ ଗର୍ହିତ କାର୍ଯ୍ୟ ଲଭି । ଏଭଳି ନିକୃଷ୍ଟ କଥା ତୁ କେମିତି ଚିନ୍ତା କରିପାରିଲୁ ।”

 

“କେଉଁ କାର୍ଯ୍ୟ ଅସମ୍ଭବ ଓ ନିକୃଷ୍ଟ ? ଏହା ଠିକ୍ ରକ୍ତ ଦେବା ପରି ଏକ କାର୍ଯ୍ୟ । ତୁମେ ବହୁ ସମୟ ବ୍ଲଡ଼ବ୍ୟାଙ୍କକୁ ରକ୍ତ ଦେଉଛ । ତୁମେ କେବେ ଚିନ୍ତା କରିଛ କି ତୁମ ରକ୍ତ କେଉଁଠିକି ଯାଉଛି ? କୌଣସି ଚରିତ୍ରହୀନା ଝିଅ ବା କେହି ବୃଦ୍ଧ ନିକଟକୁ ? ଏଭଳି ଇନସେମିନେସନ୍ ପ୍ରାକ୍‍ଟିସ୍ପାଶ୍ଚାତ୍ୟ ଦେଶରେ ବହୁଳ । ଏଥିରେ ଭୁଲ୍ କେଉଁଠି ରହିଲା ରାମ ।ଏହା ସ୍ଵେଚ୍ଛାଚାରିତା ନୁହେଁ, ବା ଯୌନଲାଳସା ଉପଭୋଗ ନୁହେଁ । ତୁମେ ରକ୍ତ ଦେଇ ଅସୁସ୍ଥ ବ୍ୟକ୍ତିଙ୍କୁ ରକ୍ଷା କରୁଛ । ଠିକ୍ ? ଏହି କାର୍ଯ୍ୟ କରିବାଦ୍ୱାରା ତୁମେ ଏକ ଦମ୍ପତିଙ୍କର ଭଗ୍ନ ହୃଦୟକୁ ରକ୍ଷା କରୁଛ; ବିବାହିତ ଦମ୍ପତିଙ୍କୁ ଆସନ୍ନ ବିଚ୍ଛେଦରୁ ରକ୍ଷା କରୁଛ; କାହାକୁ ମାନସିକ ପାଗଳାମୀରୁ ରକ୍ଷା କରୁଛ...ଗୋଟିଏ ଇଞ୍ଜେକ୍ସନ୍ । ବାସ୍ ସେତିକି । ସେତିକିରେ ତୁମର ଦାୟିତ୍ଵ ଶେଷ । ଆଉ କିଛି ନାହିଁ । ତୁମେ ଡାକ୍ତରଙ୍କୁ ଦେଖାକରିବ ଏବଂ ସେତିକିରେ ତୁମ କାମ ଶେଷ । ମୁଁ କ’ଣ କହୁଛି କି; ସେ ଝିଅଟି କିଏ-? କ’ଣ କରେ ? କଳା ବା ଧଳା ? ତୁମର ଏଥିରେ ଚିନ୍ତା କରିବାର ନାହିଁ । ଦଶମାସ ପରେ ମୁଁ ତୁମକୁ ଆମ ସନ୍ତାନକୁ ଦେଖାଇବି । ବାସ୍, ସେତିକି । ଯନ୍ତ୍ରଣା ନାହିଁ, କୌଣସି ଅସୁବିଧା ନାହିଁ-। ତୁମ ପାଇଁ ବ୍ୟସ୍ତ ବା ବିବ୍ରତ ହେବାର କିଛି କାରଣ ନାହିଁ । ଏ କିଛିବର୍ଷ ହେଲା, ମୁଁ ତୁମକୁ ଏ ବିଷୟରେ ଦିନେହେଲେ କିଛି ମାଗିନି । ମୁଁ ତୁମ ନିକଟରେ ଗୋଡ଼ଭାଙ୍ଗି ଭିକ୍ଷା ମାଗୁଛି; ଦୟାକରି ମୋର ଆଶା ପୂରଣ କର । ମୋର ବଳବତୀ ଇଚ୍ଛାକୁ ପୂରଣ କରିଦିଅ । ତୁମେ ମୋ ନିକଟରେ ଆଗରୁ ଶପଥ କରିଛ ତାହା ଭୁଲିଯାଅନି ରାମ ।” ଲାବଣ୍ୟ କାକୁତିମିନତି କରି କହିଲା-

 

ରାମ କିଛି ସମୟ ଚୁପ୍ ରହିଯିବାରୁ ଲାବଣ୍ୟ କାନ୍ଦିବାକୁ ଆରମ୍ଭ କରିଦେଲା ।

 

“ହେ ଭଗବାନ ! ଭଗବାନ ।” ରାମ ଚିତ୍କାର କରୁଥିଲା । ସେପାଖରେ ଥିବା ଚା’ ଟେବୁଲକୁ ଗୋଇଠା ମାରି ଗଡ଼ାଇଦେଲା । ଘରର ଦୁଆରକୁ ଖୋଲି ପିଟିବାକୁ ଲାଗିଲା । କ’ଣ କରିବି ସ୍ଥିର କରିନପାରି ହଠାତ୍ ଘର ଭିତରୁ ବାହାରକୁ ସେ ଚାଲିଗଲା ।

 

ତା’ପର ଦୁଇଦିନ ସବୁକିଛି ନୀରବ । ଲାବଣ୍ୟ ଓ ରାମ ଭିତରେ କଥାବାର୍ତ୍ତା ବନ୍ଦ । ଲାଭିକୁ ଦୁଃଖରେ ଭାଙ୍ଗି ପଡ଼ିବା ଦେଖିବାକୁ ଇଚ୍ଛା ନ କରି ତୃତୀୟ ଦିନ ରାମ ଉପରେପଡ଼ି କହିଲା, ଆମେ ଏଭଳି କାହିଁକି ହଇରାଣ ହେବା । ତୁମେ ତୁମର ଅନୁରୋଧକୁ ଭୁଲିଯାଅ ଲାଭି; ମୁଁ ମଧ୍ୟ ସବୁ କଥା ଭୁଲିଯିବି ।” “ମାତ୍ର ତୁମେ ଶପଥ କରିଛ । କିପରି ତାହାକୁ ଭାଙ୍ଗିବ ?”

 

“ପୁଣି ଶପଥ । ମୋର ପ୍ରତିଜ୍ଞା ନର୍କରେ ପଡ଼ୁ । ତୁମର ଇଚ୍ଛା କ’ଣ ନ ଜାଣି ମୁଁ କେମିତି ଶପଥ କରିବି ।”

 

“..................”

 

ତା’ର କାନ୍ଦଣା ରାମର ରାଗକୁ ଆହୁରି ବଢ଼ାଇଦେଲା । ସେ ରାଗରେ ଉପର ମହଲାକୁ ଚାଲିଗଲା ।

 

ଲାବଣ୍ୟର ଧାରାବାହିକ ହୃଦୟ ବିଦାୟକ ଯନ୍ତ୍ରଣା ରାମ ପ୍ରତି ଥିଲା ଅସହ୍ୟ । ସେ ଖାଉନଥିଲା । ଶେଯରେ ମୁହଁମାଡ଼ି ସବୁବେଳେ ଶୋଇ ରହୁଥିଲା । ସେ ତା’ ପରଦିନ ପୁଣି ଲାବଣ୍ୟ ପାଖକୁ ଆସିଲା । ତା’ର ଦୁଃଖ ସେ ସହିପାରିଲାନି ।

 

“ଠିକ୍ ଅଛି । ମୋତେ କ’ଣ କରିବାକୁ ହେବ ?” ଶେଷରେ ରାମ ପଚାରିଲା ।

 

ରାମ କଥାରେ ଲାବଣ୍ୟ ଆନନ୍ଦରେ ଅଧିର ହୋଇଉଠିଲା, “ବର୍ତ୍ତମାନ କିଛି ନୁହେଁ, ମୋ ଉପରେ ସବୁ ଛାଡ଼ିଦିଅ ।”

 

“ତୁମର ଆଶା କ’ଣ ଏତେଶୀଘ୍ର ଫଳବତୀ ହେବ ?”

 

“କାହିଁକି ନୁହେଁ ? ମୁଁ ଡାକ୍ତରଙ୍କ ସହ ପରାମର୍ଶ କରିସାରିଛି । ଆଉ କାହାରିକି କୁହାଯିବନି । ରାମ, ମୁଁ ଗୋଟିଏ ଝିଅ ମଧ୍ୟ ସ୍ଥିର କରିଛି । ତୁମକୁ ଗୋଟିଏ ଦିନ ନର୍ସିଂହୋମ୍ ଯିବାକୁ ହେବ ଯାହା । ତା’ ପର କଥା ଆଉ ପଚାରନି । ଦୟାକରି ପ୍ରିୟତମ; ରାଜି ହୋଇଯାଅ । ଗୋଟିଏ ବର୍ଷ ଭିତରେ ଆମେ ଆମର ସନ୍ତାନ ପାଇବା । ଭାବିଲେ କେତେ ଆଶ୍ଚର୍ଯ୍ୟ ଲାଗୁଛି” କହିଲ !”

 

ସନ୍ତାନଟିଏ ପାଇବାର ଲାଳସାରେ ନିଜେ ସେ ସନ୍ତାନ ଧାରଣ କରିପାରିବନି ଏ କଥା ଭୁଲି ଯାଇଥିଲା ଏବଂ ଅନ୍ୟ ସ୍ତ୍ରୀ ସାହାଯ୍ୟରେ ନିଜ ସ୍ୱାମୀର ସନ୍ତାନକୁ ପାଇବାକୁ ସେ ଥିଲା ବଦ୍ଧପରିକର । ରାମ ହୃଦୟକୁ ଏହା ଛୁଇଁ ଯାଇଥିଲା । “ତୁମ ପାଇଁ ମୁଁ ସବୁକିଛି କରିପାରିବି । ମୁଁ ତୁମକୁ କେତେ ଭଲପାଏ, ଲାଭି ।” ସେ ଏହା କହି ତା’ର ବାଳକୁ ନିଜ ହାତରେ ଆଉଁସି ଦେବାକୁ ଲାଗିଲା ।

 

ସ୍ୱାମୀଙ୍କର ସମ୍ମତିରେ ଉତ୍‍ଫୁଲ୍ଲିତ ହୋଇ, ଲାଭି ଡାକ୍ତର ସୁଶୀଳାଙ୍କ ନିକଟକୁ ପରାମର୍ଶ କରିବାକୁ ସଙ୍ଗେ ସଙ୍ଗେ ଗଲା ।

 

“ଲାଭି, ତୁମେ ସେହି ଝିଅଟିକୁ ଏଠାକୁ ଆଣ । ମୁଁ ପ୍ରଥମେ ତାକୁ ସବୁମତେ ପରୀକ୍ଷା କରିବି । ତା’ ଦେହରେ କୌଣସି ରୋଗ ନ ଥିବ କିମ୍ବା ସେ ଶାରୀରିକ ଅକ୍ଷମ ହୋଇନଥିବ । ତାକୁ ଦୁଇମାସ ନିୟମିତ ଚିକିତ୍ସାର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଖିବାକୁ ହେବ । ପ୍ରତ୍ୟେକଦିନ ତା’ ଉତ୍ତାପର ମାପ ନେବାକୁ ହେବ ଓ ତା’ର ଯକୃତକୁ ପରୀକ୍ଷା କରିବାକୁ ହେବ । ଏକ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରି ଗର୍ଭାଧାନ ନିମିତ୍ତ ଔଷଧକୁ ପ୍ରୟୋଗ କରିବି ।”

 

ଯାହା ଯାହା ଡାକ୍ତର ଲାବଣ୍ୟକୁ କହିଲେ, ସେ ତାହା ଧମୁକୁ କହିଲା ।

 

“ଇଞ୍ଜେକ୍ସନ୍ ଦେବାକୁ ଦୀର୍ଘ ତିନିମାସ ଦରକାର । ସେହି ସମୟରେ ତା’ର ନର୍ସିଂହୋମରେ ରହିବାର ଆବଶ୍ୟକତା ନାହିଁ । ତେଣୁ ଆମକୁ ଗୋଟିଏ ଘରଭଡ଼ା ନେବାକୁ ହେବ-। ତାକୁ ସେହି ନର୍କରୁ ଉଠାଇଆଣିବାକୁ ପଡ଼ିବ । ମୁଁ ଚାହେଁନା, ସେ ପରିବେଶ ମଧ୍ୟରେ ସେ ରହୁ-।”

 

ଧମୁ ସେଦିନ ମେନକାକୁ ଦେଖାକଲା ଏବଂ ତାକୁ ଦୁଇହଜାର ଟଙ୍କା ଦେଇ ତା’ର ସମସ୍ତ ଋଣ ଶୁଝିଦେଇ ନୂଆ ଘରକୁ ସପ୍ତାହକ ମଧ୍ୟରେ ଯିବାକୁ ପ୍ରସ୍ତୁତ ହେବାକୁ କହିଗଲା ।

 

ଖୁବ୍‍ଶୀଘ୍ର ସେମାନେ କଳାକ୍ଷେତ୍ର କଲୋନିଠାରେ ନିର୍ଜନିଆ ଜାଗାରେ ଗୋଟିଏ ଘର ସ୍ଥିର କଲେ । ଗୋଟିଏ ବିବାହିତ ଦମ୍ପତି ଦୁଇବର୍ଷ ବିଦେଶ ଯାତ୍ରାରେ ଯାଉଥିବାରୁ ସେ ଘରଟିକୁ ଭଡ଼ାରେ ଦେବାକୁ ରାଜିହେଲେ । ଘରଟି ଭିତରେ ଉନ୍ନତ ସାଜସଜ୍ଜା ସହିତ ଟେଲିଫୋନ୍ ଲାଗିଥିଲା । ଲାବଣ୍ୟ ଘରଟିକୁ ଦେଖି ବହୁତ ଖୁସିହେଲା । ମାସକୁ ଭଡ଼ା ଆଠଶହ ଟଙ୍କା । ପ୍ରଥମେ ଛଅ ମାସ ଭଡ଼ା ଆଗତୁରା ଦେଇ ପ୍ରଥମ ସମସ୍ୟାକୁ ସେ ସମାଧାନ କରିପାରିଲା ।

 

ମାତ୍ର ମେନକାକୁ ଏକା ରଖାଯିବ କିପରି ? ତା’ ସହିତ କଥା ହେବାପାଇଁ ତା’ର ଭଲମନ୍ଦ ବୁଝିବାପାଇଁ ଜଣେ ଲୋକ ଦରକାର ।

 

ଧମୁ ତା’ ଅଫିସ୍ ପିଅନର ବୁଢ଼ୀମା’କୁ ଏ କାର୍ଯ୍ୟରେ ନିଯୁକ୍ତ କଲା । ସେ ଥିଲା ଉତ୍ତମ ସ୍ୱଭାବର ଦାୟିତ୍ଵସମ୍ପନ୍ନା ଜଣେ ସ୍ତ୍ରୀଲୋକ ।

 

ବୃଦ୍ଧାଟି ଲାବଣ୍ୟର ପସନ୍ଦକୁ ଆସିଲା ।

 

ତା’ ପରଦିନ ମେନକା ସେହି ଅପରିଚ୍ଛନ୍ନ ଗଳି ଛାଡ଼ି ଆସିଲା ସେହି ନୂଆ ଘରଟିକୁ, ତା’ର ସମସ୍ତ ଜିନିଷକୁ ଗୋଟିଏ ବାକ୍ସରେ ବନ୍ଦକରି ।

 

ସେଦିନ ସନ୍ଧ୍ୟା ଛ’ଟାରେ ଲାବଣ୍ୟ ତାକୁ ନେଇଗଲା ଡାକ୍ତରଙ୍କପାଖକୁ । ତା’ର ରକ୍ତ, ମୂତ୍ର ଓ ଧାତୁ ପରୀକ୍ଷା, ଇତ୍ୟାଦି ଯାବତୀୟ ସାଧାରଣ ଚିରାଚରିତ ପରୀକ୍ଷା କରାଗଲା ।

 

ଦୁଇଦିନ ପରେ ଦେଖାଗଲା ତା’ର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ।

 

“ସବୁ ଠିକ୍ ଅଛି ! ବର୍ତ୍ତମାନ ଆମେ ଏ କାର୍ଯ୍ୟରେ ଅଟେଇ ପାରିବା ।” ଡାକ୍ତର ମତଦେଲେ ।

 

ମେନକାର ୠତୁସ୍ରାବକୁ ପରୀକ୍ଷା କରାଗଲା । ଡାକ୍ତର ବହୁତ ଖୁସି । ସେ ତାକୁ ନିଜ ଶରୀରର ଉତ୍ତାପ ଓ ଅନ୍ୟାନ୍ୟ ପରିବର୍ତ୍ତନ ପ୍ରତି ଲକ୍ଷ୍ୟ ରଖିବାର ଟ୍ରେନିଂ ଦେଇଦେଲେ ।

 

ବ୍ଲଡ଼ପ୍ରେସରରେ କୌଣସି ଗୋଳମାଳିଆ ଦେଖାଗଲାନି । ରାମକୁ ଅଲଗା ହସ୍ପିଟାଲକୁ ଅଣାଗଲା । ତା’ର ରକ୍ତ ପରୀକ୍ଷା କରି ସବୁ ଠିକ୍ ଥିବାର ମଧ୍ୟ ଦେଖାଗଲା ।

 

ଦୁଇମାସ ପରୀକ୍ଷା ନିରୀକ୍ଷା ପରେ, ମେନକାର ତୃତୀୟ ମାସ ଋତୁସ୍ରାବର ଚଉଦ ଦିନ ଡାକ୍ତର ମେନକା ଗର୍ଭକୁ ଦଶ ମିଲିଗ୍ରାମ ହେବ ରାମର ବୀର୍ଯ୍ୟକୁ ଇଞ୍ଜେକ୍ସନ ଦ୍ଵାରା ନିକ୍ଷେପ କଲେ-

 

ଚଉଦ ଦିନ ଚାଲିଗଲା । ଲାବଣ୍ୟ ଅସ୍ଥିର ସତେ କ’ଣ ତା’ ଯୋଜନା ସଫଳ ହେବ ?

 

ପୁଣି ଚଉଦଦିନ ଗଡ଼ିଗଲା । ମେନକା ଗର୍ଭାଧାନ କରିଛି, ଏଥିରେ କୌଣସି ସନ୍ଦେହ ରହିଲାନି । ମେନକାର ଗର୍ଭାଧାନ ପରୀକ୍ଷା କରି ସବୁ ଠିକ୍ ଥିବାର ଲକ୍ଷ୍ୟ କରାଗଲା । ସେଦିନ ରାତି ଥିଲା ଲାବଣ୍ୟ ପାଇଁ ଆନନ୍ଦର ଦିନ । ଆନନ୍ଦାଶ୍ରୁ ବହି ଚାଲିଥିଲା ତା’ର ଆଖିରୁ ତକିଆ ଓଦାକରି ।

 

ସେ ନିଜକୁ କାହିଁକି ଦୀର୍ଘ ତିନି ମାସ ଧରି ଗାଳି ଦେଉଥିଲା- ରାମ ସବୁ ବୁଝିପାରୁଥିଲା ମାତ୍ର ତାକୁ ପଚାରିବାକୁ ତା’ର ସାହସ ଅଣ୍ଟୁ ନ ଥିଲା ।

 

ତିନି ମାସ ଧରି ପରୀକ୍ଷା ନିରୀକ୍ଷା ଏବଂ ତା’ର ମାନସିକ ଦୁଶ୍ଚିନ୍ତା ।

 

ଏହି ଯୋଜନାକୁ କେହି ନ ଜାଣନ୍ତୁ, ଲାବଣ୍ୟ ସେଥିପାଇଁ ନିଜେ ଗାଡ଼ି ଚଳାଇ ଯାଏ ଡ୍ରାଇଭରକୁ ବିଶ୍ରାମ ଦେଇ । ସେତେବେଳକୁ ଡ୍ରାଇଭର ମଧ୍ୟ ଗ୍ୟାରେଜରେ ବିଶ୍ରାମ କରିବାକୁ ଅଭ୍ୟସ୍ତ ହୋଇଯାଇଥିଲା ।

 

“କେଉଁଠିକି ଏତେ ବ୍ୟସ୍ତତା ଭିତରେ ଗାଡ଼ି ନେଇଯାଉଛ ? ନିଜକୁ ଏତେ କଷ୍ଟ କାହିଁକି ଦେଉଛ ?” ରାମ ସମୟ ସମୟରେ ଏକଥା ପଚାରିବାକୁ ଉଦ୍ୟତ ହୋଇପଡ଼ୁଥିଲା ମାତ୍ର ପର ମୁହୂର୍ତ୍ତରେ ତା’ର ଭୟଙ୍କର ଯୋଜନା କଥା ତା’ର ମନେପଡ଼ିଗଲେ ସେ ହେଉଥିଲା ନୀରବ ।

 

ଲାବଣ୍ୟର ଉତ୍ତେଜନା ଓ ଅକ୍ଳାନ୍ତ ପରିଶ୍ରମ ରାମକୁ ଯଦିଓ ବହୁତ ବାଧୁଥିଲା, ମାତ୍ର ସେ କିଛି କହୁନଥିଲା । ଲାବଣ୍ୟ ପିଲାଟିଏ ପାଇବା ପାଇଁ କେତେ ବ୍ୟାକୁଳ ତା’ ସେ ଜାଣିଥିଲା ।

 

ଦିନେ ସେ ରାମକୁ ରକ୍ତ ପରୀକ୍ଷା କରିବାକୁ ହସ୍ପିଟାଲ ଆସିବାକୁ ଅନୁରୋଧ କଲା । ସେ ତା’ କଥା ମାନିଲା । ସେ ଜାଣେ ଏଥିଲାଗି ତା’ର ଆତ୍ମୋତ୍ସର୍ଗ କେତେ । ସେ ଜାଣେ ଏ କାର୍ଯ୍ୟ ସେ ଲାବଣ୍ୟର ଆତ୍ମତୃପ୍ତି ପାଇଁ, ତା’ପ୍ରତି ଥିବା ଗଭୀର ପ୍ରେମ ଓ ଭଲପାଇବା ପାଇଁ ଏବଂ ସର୍ବୋପରି ନିଜ ଶପଥକୁ ରଖିବାପାଇଁ ସେ କରୁଥିଲା । ମାତ୍ର ଯେଉଁଦିନ ଗର୍ଭାଧାନର ସମସ୍ତ ସଂଶୟ ତୁଟିଗଲା ଏବଂ ଲାବଣ୍ୟ ଖୁସିରେ ଚିତ୍କାର କରିଉଠିଥିଲା । ସେଦିନ ସହି ପାରିନଥିଲା ରାମ ।

 

“ଏହା କ’ଣ ପ୍ରିୟେ ?” ତାକୁ ନିଜ କୋଳ ଭିତରକୁ ଖୁସିରେ ଟାଣିନେଇ ସେ ପଚାରିବାର ସାହସ କରିଥିଲା ।

 

“ତା’ର ଗର୍ଭାଧାନ ଘଟିଛି । ସଂଶୟ ନାହିଁ ।” ସେ ପ୍ରଗ୍‍ଲଭା ହୋଇ କହିଲା । “ହଁ, ତାହାହେଲେ ଏଇଆ... ।”

 

ହଠାତ୍ ରାମ ମଧ୍ୟ ଖୁସି ହୋଇଉଠିଲା- କିନ୍ତୁ ପରେ ପରେ ଗୁଡ଼ାଏ ଏଣୁତେଣୁ ଭାବନା ତା’ ମନକୁ ଆଚ୍ଛନ୍ନ କରିପକାଇଲେ ।

 

ସେ ଅସ୍ଥିର ହୋଇଉଠିଲା ଯେ ତା’ର ସନ୍ତାନ କୌଣସି ଏକ ନାରୀର ଗର୍ଭାଶୟରେ ବଢ଼ୁଛି, ଯାହାକୁ ସେ ଦେଖିନି ଏପର୍ଯ୍ୟନ୍ତ । ତା’ର ମନସ୍କାମନା ଏତେଦିନରେ ପୂର୍ଣ୍ଣ ହେବ । ସେ ହେବ ପିତା, ସନ୍ତାନର ଜନକ । ଏ ଚିନ୍ତାରେ ଆନନ୍ଦରେ ଅଭିଭୂତ ହୋଇପଡ଼ିଲା । ତା’ର ସମଗ୍ର ଶରୀରରେ ଶିହରଣ ସୃଷ୍ଟି ହେଉଥିଲା । ଲାବଣ୍ୟକୁ କୋଳରେ ଧରି ମଧ୍ୟ ସେ କ୍ଷଣକ ପାଇଁ ଅନ୍ୟମନସ୍କ ହୋଇପଡ଼ିଲା ।

 

ଦ୍ୱିତୀୟ ମାସର ଗର୍ଭାଧାନ ସଙ୍କଟ ସୁରୁଖୁରୁରେ ଦୂରେଇଗଲା । ମେନକାର ଦୁର୍ବଳତା ସକାଳୁ ବଢ଼ିବାକୁ ଲାଗିଲା । ତା’ର ମୁଣ୍ଡ ବୁଲାଇଲା । ନିଜ ଖାଇବା ସେ ଖାଇପାରିଲା ନାହିଁ । ସେ ନିଦୁଆ ଅନୁଭବ କଲା; ତା’ର ଶାରୀରିକ ପରିବର୍ତ୍ତନ ଦେଖି ଲବଣ୍ୟାର ବିବ୍ରତ ଓ ବ୍ୟସ୍ତତା କ’ଣ ବା କୁହାଯାଇପାରେ ! “ତା’ର ଗର୍ଭ ହୋଇଛି ମାତ୍ର ତୁ ଯେପରି ତା’ର ଯନ୍ତ୍ରଣା ଭୋଗ କରୁଛୁ । “ଧମୁ ଥଟ୍ଟାରେ କହେ । ମାତ୍ର ସେ ଉତ୍ତର ଦେଲା, “ମୁଁ ତା’ର ସମସ୍ତ ଯନ୍ତ୍ରଣାକୁ ଅନୁଭବ କରିବାକୁ ଚେଷ୍ଟା କରୁଛି କାରଣ ମୋର ତୃପ୍ତି ପାଇଁ ସେ ଗର୍ଭବତୀ, ମୁଁ ମେନକା ସହିତ ମାତୃତ୍ୱର ଗୌରବ ପାଇବାକୁ ଯାଉଛି ।”

 

ତା’ର ଏପ୍ରକାର ଆନ୍ତରିକତାରେ ଧମୁ ସ୍ତବ୍ଧ ହୋଇଯାଏ । ଶେଷରେ ଧମୁ ତାକୁ ଥଟ୍ଟା କରିବା ବନ୍ଦ କରିଦେଇଥିଲା ।

 

ତୃତୀୟ ମାସ ବେଳକୁ ମେନକାକୁ ଅପର୍ଯ୍ୟାପ୍ତ ଫଳ ଖାଇବାକୁ ଦିଆଗଲା ।

 

ଆଇରନ୍, ମଲ୍ଟିଭିଟାମିନ୍, କ୍ୟାଲ୍‍ସିୟମ୍, ପିଲ୍ ଇତ୍ୟାଦି ପର୍ଯ୍ୟାପ୍ତ ମାତ୍ରାରେ । ଲାବଣ୍ୟ ତାକୁ ସମୁଦ୍ରକୂଳକୁ ନେଇଯାଉଥିଲା ଏବଂ ବହୁଦୂର ପର୍ଯ୍ୟନ୍ତ ଚାଲିବାକୁ ବାଧ୍ୟ କରୁଥିଲା । ତା’ର ଅନୁପସ୍ଥିତି ସମୟରେ ଚାକରାଣୀକୁ ସମୁଦ୍ରକୂଳରେ ବୁଲାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲା ଲାବଣ୍ୟ ।

 

ସେ ଫୋନରେ ତା’ କଥା ବାରମ୍ଵାର ପଚାରି ବୁଝୁଥିଲା । ରାମ ବାହାରକୁ ଯାଇଥିଲେ, ସେ ବହୁତ ସମୟ ମେନକା ସହିତ ହିଁ କଟାଉଥିଲା । ମାତ୍ର ରାମ ସହରରେ ଥିଲେ, ତା’ କାର୍ଯ୍ୟକ୍ରମ ଥିଲା ଅଲଗା । ସେ ବହୁ ସାବଧାନତା ଅବଲମ୍ବନ କରୁଥିଲା । ରାମ ଯେପରି ମେନକାର ସ୍ଵର ନଶୁଣେ । ସେ କ’ଣ ତା’ର ସ୍ୱାମୀଙ୍କୁ ଶପଥ କରି କହିନଥିଲା ତାକୁ କୌଣସି ଅସୁବିଧା ହେବାକୁ ଦେବନି ବୋଲି ।

 

ପ୍ରଥମ ଦିନରୁ ଚାକରାଣୀକୁ ଟେଲିଫୋନ୍ କରିବାକୁ ସେ ମନା କରିଥିଲା । “ମୁଁ ତୋତେ ଦିନକୁ ଚାରିଥର ଫୋନ୍ କରି ଡାକିବି । ଯଦି ଦରକାର ପଡ଼େ, ତେବେ ମୋତେ ଫୋନ୍ କରିବୁ; ଯଦି ଅନ୍ୟକେହି ଫୋନନିଏ ତାକୁ କହିବୁ ଆଡ଼ୟାରରୁ ଫୋନ୍ କରିଥିଲୁ ଏବଂ ଟେଲିଫୋନ ରଖିଦେବୁ । ମୁଁ ଆସିଲେ ଫୋନ୍ କରିବି, ବୁଝିଲୁ ?”

 

ପ୍ରଥମ ଦୁଇମାସ ମେନକା ଲାବଣ୍ୟର ସବୁକଥା ମାନି ଚଳିଲା । ମାତ୍ର ତା’ ପରେ ସେ ଲାବଣ୍ୟକୁ ହଇରାଣ କରିବାକୁ ଲାଗିଲା । “ମୁଁ ବଡ଼ ବୋର୍ ହେଉଛି । ସିନେମା ଦେଖିପାରେ କି ? ସେ ମ୍ୟାଗଜିନ୍ ବା ଏ ମ୍ୟାଗାଜିନଟା ଆଣିବା ।” ଲାବଣ୍ୟ ତା’ ଜିଦିରେ ଆଦୌ ସନ୍ତୁଷ୍ଟ ନ ଥିଲା ।

 

ସେ ମେନକାର ଫୋନକୁ ଚାବି ଦେଇଦେଲା । ସେ ମେନକା ସହିତ କଥା ହୋଇପାରେ ମାତ୍ର ମେନକା ଲାବଣ୍ୟ ସହିତ ନୁହେଁ ।

 

ଲାବଣ୍ୟ ତା’ର ରହିବାର ଯାବତୀୟ ସୁବିଧା କରିଥିଲା । ରହିବାପାଇଁ ଏକ ସୁନ୍ଦର ଘର, ଫ୍ରିଜ୍, ଗ୍ୟାସ୍ ଇତ୍ୟାଦି । ଏପରିକି ତା’ର ମନୋରଞ୍ଜନ ପାଇଁ ସେ ଗୋଟିଏ ଟି.ଭି ସେଟ୍ ମଧ୍ୟ ରଖିଦେଲା ।

 

ଆଉ ଅଧିକ କ’ଣ ହୋଇପାରେ ? ପ୍ରଥମେ ଲାବଣ୍ୟ ଭାବିଥିଲା ଖର୍ଚ୍ଚ ବୋଧହୁଏ ପଚାଶହଜାର ଟଙ୍କାରୁ ଅଧିକ ହେବନି ମାତ୍ର ଖର୍ଚ୍ଚ କ୍ରମେ ଲକ୍ଷେ ଧରିବା ଉପରେ । କିନ୍ତୁ ସେଥିପ୍ରତି ସେ ଆଦୌ ଚିନ୍ତିତ ନ ଥିଲା ।

 

“ଅଡ଼ୟାରଠାରେ ଥିବା ବାଳମନ୍ଦିର ଅନାଥାଶ୍ରମଠାରେ ମୁଁ ଅବୈତନିକ ସମ୍ପାଦକ ଭାବରେ କାର୍ଯ୍ୟ କରୁଛି । ତେଣୁ ମୋତେ ସେଠାକୁ ବାରମ୍ଵାର ଯିବାକୁ ହଉଛି ।” ସେ ଅପୁ ଓ ଅନ୍ୟମାନଙ୍କୁ ତା’ର ବାରମ୍ଵାର ବାହାରକୁ ଯାଉଥିବାର କୈଫିୟତ ଦେଇ କହିଥିଲା । ଯେତେବେଳେ ସେ ନିଜେ କାହିଁକି ଗାଡ଼ି ଚଳାଉଛି ବୋଲି ପଚରାଗଲେ; ସେ ସେମାନଙ୍କୁ କହେ, ଗାଡ଼ି ଚଳାଇବାଦ୍ୱାରା ତା’ର ଗୋଡ଼ର ମାଂସପେଶୀ ଶକ୍ତ ହେବ ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।

 

ସେମାନେ ତା’ କଥାରେ ବିଶ୍ୱାସ କରିଥିଲେ ।

 

ସେ ପ୍ରତିଦିନ ଆଡ଼ୟାରକୁ ଯାଉଥିଲା ଏବଂ ମଧ୍ୟାହ୍ନ ପୂର୍ବରୁ ଫେରିଆସୁଥିଲା, ଫଳରେ ସନ୍ଧ୍ୟାବେଳେ ସେ ରାମ ଓ ତାର ସାଥିମାନଙ୍କ ସହ କଟାଇ ପାରୁଥିଲା ।

 

ପ୍ରଥମ ତିନିମାସ ଥିଲା ଲାବଣ୍ୟ ପାଇଁ ବାସ୍ତବିକ ଆନନ୍ଦର ସମୟ । ଆସ୍ତେ ଆସ୍ତେ ସେ ନିଜକୁ ଅସହାୟ ଅନୁଭବ କଲା କାରଣ ସେ ସ୍ୱାମୀ ସହିତ ମେନକା ଗର୍ଭରେ ବଢ଼ୁଥିବା ପିଲା ବିଷୟରେ ଆଲୋଚନା କରିପାରୁନଥିଲା ବା ସେମାନଙ୍କର ପିତୃତ୍ଵ ଓ ମାତୃତ୍ୟ ସମ୍ପର୍କରେ ଭାବ ବିନିମୟ କରିପାରୁନଥିଲା ।

 

ଏଣେ ମେନକା ଦିନକୁଦିନ ଅଧିକ ଅଧୈର୍ଯ୍ୟ ଓ ଅସହାୟ ଅନୁଭବ କରୁଥିଲା । ମାଡ୍ରାସ ଟି. ଭି. ଦିନରାତି କାର୍ଯ୍ୟ କରୁନି ବୋଲି ତା’ର ଦୁଃଖ । ଆମେରିକା ଟି.ଭି. ଦେଖି ସମୟ କଟାଇ ପାରନ୍ତା ।

 

ରେଡ଼ିଓ ଶୁଣି ଶୁଣି ତା’ର ବିରକ୍ତି ଆସି ଯାଇଥିଲା ।

 

ଏପରିକି କୌଣସି ତାମିଲ ଓ ଇଂରାଜୀ ପତ୍ରିକା ନ ଥିଲା ଯାହାକୁ ସେ ନ ପଢ଼ୁଥିଲା । କେତେକ ଲେଖକଙ୍କର ଲେଖା ପ୍ରତି ଥିଲା ତା’ର ଦୁର୍ବଳତା । ଲାଇବ୍ରେରୀରୁ ସବୁଯାକ ଶସ୍ତା ଉପନ୍ୟାସ ଲାବଣ୍ୟ ନେଇ ଆସିଥିଲା ତା’ ପାଇଁ । କେତେ ସମୟ ସେ ବା’ ପଢ଼ିପାରନ୍ତା ? ହାୟ ! କି ଦୁଃଖ ଓ ଯନ୍ତ୍ରଣା । କାହା ସହିତ କଥା ହୋଇପାରିବନି, ଗୋଟିଏ ଘରଛାଡ଼ି ଆଉ କୁଆଡ଼େ ବୁଲି ଯାଇପାରିବନି । ମେନକା କନ୍‍ଭେଣ୍ଟ୍‍ର ଦଶମ ଶ୍ରେଣୀଯାଏ ପଢ଼ିଥିଲା ।

 

“ତୋର ସୁଗୋଲ ମୁଖମଣ୍ତଳ, ସୁଠାମ ଶରୀର ଓ ମନଲୋଭୀ ଚାହାଣୀ ସିନେମା ଅଭିନେତ୍ରୀ ହେବା ପାଇଁ ଉପଯୁକ୍ତ । ତା’ ଘର ପଡ଼ୋଶୀ ଦରଜୀର ବାରମ୍ଵାର କହିବା ଓ ପ୍ରଶଂସାଦ୍ଵାରା ସେ ପ୍ରଭାବିତ ହୋଇ ସିନେମା ଅଭିନେତ୍ରୀ ହେବାର ସ୍ୱପ୍ନରେ ସେହି ଦରଜୀ ସହିତ ମାଡ୍ରାସ ଚାଲି ଆସିଥିଲା । ତାକୁ ଆଣି ସେ ଗୋଟିଏ ହୋଟେଲରେ ରଖିଥିଲା ଏବଂ ସେହି ରହିବା ସମୟ ମଧ୍ୟରେ ସତରବର୍ଷୀୟା ମେନକାର ଯୌବନକୁ ଦରଜୀଟୋକା ତିଳତିଳ ଉପଭୋଗ କରି ଦିନେ ତାକୁ ଅସହାୟ ଅବସ୍ଥାରେ ଛାଡ଼ି କୁଅଡ଼େ ଚାଲିଯାଇଥିଲା । ସେ ତା’ର ପିତାମାତାଙ୍କ ନିକଟକୁ ଫେରିପାରିଲାନି, କାରଣ ତା’ ବାପା ଥିଲେ ସେହି ଅଞ୍ଚଳର ଏକ ସମ୍ଭ୍ରାନ୍ତ ବ୍ୟକ୍ତି । ସେ ଘରକୁ ଯାଇଥିଲେ ତାକୁ ନିଶ୍ଚତରୂପେ ସେ ତା’ ମୁହଁକୁ ଚାହିଁନଥାନ୍ତେ, ହୁଏତ ନିଜେ ଆତ୍ମହତ୍ୟା କରିଥାନ୍ତେ ।

 

ତେଣୁ ତା’ ନିକଟରେ ଆଉ କୌଣସି ଉପାୟନଥିଲା, ସେ ସେହି ପତିତ ଜୀବନ ବିତାଇବାକୁ ଆରମ୍ଭ କଲା । କେବେ କେବେ ବେଶ୍ୟାବୃତ୍ତି କରି ଓ ଆଉ କେବେ ସିନେମାରେ ସାଇଡ୍ ରୋଲରେ ଛୋଟ ଛୋଟ ରୋଲ୍ କରି । ତେବେ ସେ ନିହାତି ତଳକୁ ଖସିଯାଇ ନିଜର ଶରୀରକୁ ଦଶ ବା କୋଡ଼ିଏ ଟଙ୍କା ପାଇଁ ଯାହାକୁ ପାରୁ ତାକୁ ବିକି ନ ଥିଲା ।

 

ମେନକା ଆଠଟି ସିନେମାରେ ଗ୍ରୁପ୍ ନାଚରେ ଭାଗ ନେଇଥିଲା । ମନୋହାରିଣୀ ରୁପସାଙ୍ଗକୁ ଅପରୁପଯୌବନ ଥିଲେ ମଧ୍ୟ ମେନକା ସିନେମାଜଗତରେ ବିଶେଷଭାବେ ଆଲୋଚିତ ହୋଇପାରିନଥିଲା କାରଣ ଚିତ୍ର ନିର୍ମାତାମାନଙ୍କର ଯୌନଲାଳସା ନିକଟରେ ସେ ନିଜକୁ ବଳି ଦେବାକୁ କୁଣ୍ଠାବୋଧ କରୁଥିଲା । ନିହାତି ମାମୁଲି ଝିଅଗୁଡ଼ିକ ଛବିରେ ଗୁରୁତ୍ଵପୂର୍ଣ୍ଣ ରୋଲ୍ ପାଉଥିଲାବେଳେ ସେ ସାଇଡରୋଲରେ ଅଭିନୟ କରିବାପାଇଁ କେବେ କେବେ ସୁଯୋଗ ପାଉଥିଲା । ସେଥିପାଇଁ ସେ କାହାକୁ ବା ଦୋଷ ଦିଅନ୍ତା । ନିଜକୁ ନିଜର ଏତାଦୃଶ ଭାଗ୍ୟ ପାଇଁ ସାନ୍ତ୍ଵନା ଦେଉଥିଲା । ସମାଜର ସବୁଠି ତ ଏହି କଥା ଚାଲିଥିଲା ।

 

କିନ୍ତୁ ଅନ୍ତରର ନିଭୃତ କୋଣରେ ପୁରୁଷର ନୀଚ କାମ ବାସନାକୁ ସେ ଘୃଣା କରୁଥିଲା-। ଭଲପାଇବା ଗୋଟିଏ କଥା, ପୁରୁଷର ଯୌନ ବାସନାର ଶୀକାର ହେବା ଅନ୍ୟଗୋଟିଏ କଥା-। ଧମୁ ସହିତ ତା’ର ଛବିରେ କାମ କରିବା ପରେ ଧମୁର ବ୍ୟକ୍ତିତ୍ଵ ପ୍ରତି ଆକୃଷ୍ଟ ହୋଇ ତାକୁ ଅଲୌକିକ ଆତ୍ମିକ ଶାନ୍ତି ମିଳିଥିଲା ।

 

ବହୁ ସମୟରେ ସେ ଧମୁପରି କୌଣସି ଏକ ଉତ୍ତମ ସ୍ୱଭାବଯୁକ୍ତ ପୁରୁଷକୁ ବାହା ହୋଇ ବିବାହିତ ଜୀବନ ବିତାଇବାର ସ୍ୱପ୍ନ ଦେଖିଛି ।

 

ମାତ୍ର ତାହା କ’ଣ ଆଉ ସମ୍ଭବ ? ଓଃ, ନା । ନାରୀ ପୁରୁଷ ନିକଟରେ କେବଳ ଉପଭୋଗର ବସ୍ତ୍ର । କିଏ କାହିଁକି ବରନାରୀର ସ୍ଵାମୀ ହେବାକୁ ଇଚ୍ଛା କରିବ ? ଘର ଛାଡ଼ି ଚାଲି ଆସିବାହିଁ ତା’ର ଭୁଲ୍ ହୋଇଗଲା । ବଦମାସ୍ ଦରଜୀ ତା’ ସହ କେତେ ମାସ ରହିବା ପରେ, ତାକୁ ଛାଡ଼ି ଚାଲିଯିବାବେଳେ କହିଲା, “ମୋ ମାଆ ଚାହାଁନ୍ତି ମୁଁ ଏକ କୁଳୀନ ଝିଅ ବିବାହ କରେ । ମା’ଙ୍କର ହୃଦରୋଗ । ମୁଁ ଯଦି ତୁମ କଥା ତାଙ୍କୁ କହିବି; ମୁଁ ଜାଣେନି ତାଙ୍କର କ’ଣ ହେବ । ମେନକା, ମୋତେ ଭୁଲିଯାଅ ।”

 

ମୁଁ ଭାଗ୍ୟହୀନା କିନ୍ତୁ ମୋର ଅଛି ରୂପ ଓ ଯୌବନ । ମେନକା ନିଜକୁ ଧୈର୍ଯ୍ୟ ଦିଏ । ମୋତେ ଅପେକ୍ଷା କରିବାକୁ ହେବ । ଦିନେ ନା ଦିନେ ଭାଗ୍ୟଦେବୀ ମୋ ପ୍ରତି ପ୍ରସନ୍ନ ହେବେ । ସେତେବେଳେ ଏହି ପୁରୁଷଗୁଡ଼ାକ ମୋ ଆଗରେ ଲମ୍ବହୋଇ ମୋର ଗୋଡ଼ଧୂଳି ନେଇ ମୁଣ୍ଡରେ ଲଗାଇବେ । ମୁଁ ତେବେ ଯାଇ ଶାନ୍ତିର ନିଃଶ୍ୱାସ ମାରିବି । ସେଦିନ ଆସିବ, ଦିନେ ନା ଦିନେ ସେ ସମୟ ଆସିବ ।”

 

ଏଭଳି ଶହ ଶହ ସ୍ଵପ୍ନ । ନିଜ ବ୍ୟକ୍ତିତ୍ଵରେ ଦୃଢ଼ ବିଶ୍ୱାସ- ଏହିପରି ଏକ ମୁହୂର୍ତ୍ତରେ ତା’ର ସାକ୍ଷାତ ହୁଏ ଲାବଣ୍ୟ ସହିତ ।

 

ହଠାତ୍ ଲାବଣ୍ୟ ପହଞ୍ଚିବା, ତା’ର ଯୋଜନା ଏବଂ ସାହାଯ୍ୟ କରିବାର ପ୍ରତିଶ୍ରୁତିକୁ ସେ ସାରାରାତି ଭାବିଥିଲା । ସତରେ କ’ଣ ଭାଗ୍ୟଦେବୀ ତା’ ପ୍ରତି ପ୍ରସନ୍ନ ହେଲେ ।

 

ଧମୁ ଖୁବ୍ ଭଲ ଲୋକ । ସେ ଲାବଣ୍ୟର ଚିନ୍ତାଧାରାକୁ ସମ୍ମାନ ଦିଅନ୍ତି । ସେ ହିଁ ଆସିଥିଲେ ଲାବଣ୍ୟକୁ ନେଇ ତା’ ପାଖକୁ । ମାତ୍ର ଲାବଣ୍ୟ ମେନକାର ସାହାଯ୍ୟ କାହିଁକି ଲୋଡ଼ିଲା-? ସେ ସିନେମାରେ ଘଟିଥିବା ସବୁ ଦୃଶ୍ୟକୁ ପୁନରାୟ ମନେପକାଇବାକୁ ଚେଷ୍ଟାକଲା-

 

କେଉଁ ଚିତ୍ରରେ କାହାର ସ୍ତ୍ରୀ, କାହାର ଭଉଣୀ, ପ୍ରେମିକା ବା ଚାକରାଣୀ । ସେ କ’ଣ ଲାବଣ୍ୟର ସ୍ୱପ୍ନକୁ ସାର୍ଥକ କରିବାର ନାୟିକା । ଯାହାହେଉ, ତା’ର ଏ ବର୍ଷକର ଅଭିନୟର ମୂଲ୍ୟ ପଚିଶି ହଜାର ଟଙ୍କା । ଦୀର୍ଘ ତିନି ବର୍ଷ ଧରି ସେ ଫିଲ୍ମରେ ଅଭିନୟ କରିଛି ମାତ୍ର ପାଇଛି କ’ଣ ? କିଛି ନୁହେଁ ।

 

ସେ ଆଠଗୋଟି ଛବିରେ ଅଭିନୟ କରିଛି-ଦରଜୀ, ନାୟାର, ସାନ୍‍ମୁଗ୍ମ-ସମସ୍ତେ ତା’ର ସ୍ୱାମୀ ନାଁ’ଙ୍କୁ ମାତ୍ର ହୋଇଛନ୍ତି । ମାତ୍ର ଶେଷଫଳ କ’ଣ ? ସେ ସତର୍କ ହୋଇଛି ଏବଂ ସେଇଥିପାଇଁ ତାକୁ ସମସ୍ତେ ଗର୍ବିଣୀ ବୋଲି ଭାବିଛନ୍ତି କାରଣ ସେ ନିଜ ଯୌବନକୁ ତିଳ ତିଳ କରି ବାଣ୍ଟିଦେବାକୁ ରାଜିହୋଇନି ।

 

ସତ କହିଲେ ଲାବଣ୍ୟର ଯୋଜନା ପ୍ରଥମେ ତାକୁ ବଡ଼ ଚିନ୍ତାରେ ପକାଇଥିଲା । ସେ ଜଣେ ପର ପୁରୁଷର ସନ୍ତାନକୁ ଗର୍ଭରେ ଧାରଣ କରିବ । ତା’ର ଜନ୍ମପରେ, କିଛି ପାଟିତୁଣ୍ଡ ନ କରି ସେହି ସନ୍ତାନକୁ ଅନ୍ୟକୁ ଦେଇଆସିବ । ନାରୀର ଜରାୟୁ କ’ଣ ଭଡ଼ା ପାଇଁ ?

 

ଏହା କ’ଣ ସମ୍ଭବ । ଜଣେ ସ୍ତ୍ରୀ ହୋଇ ସେ ଏହା କରିପାରେ ?

 

କାହିଁକି ନୁହେଁ ?

 

ଜନ୍ମଦିନରୁ ସେ ତା’ର ପିତାମାତା ଓ ଭଉଣୀ ସହିତ ରହୁଥିଲା ମାତ୍ର ଦୀର୍ଘ ତିନିବର୍ଷ ହେଲା ସେ ଏକା ଏକା, ତା’ ପାଖରେ ଆଉ କେହିନାହାନ୍ତି । ଯଦି ଏହା ସମ୍ଭବ ହେଲା, ତେବେ ସେ ଜଣେ ଅଜଣା ଲୋକର ବୀର୍ଯ୍ୟ ଗ୍ରହଣ କରି ଗର୍ଭଧାରଣ କରିପାରିବନି କାହିଁକି ?

 

ଯଦି ତା’ର ଗର୍ଭରୁ ସନ୍ତାନଟି ନଷ୍ଟ ହୋଇଯାଏ ?

 

ସେ ଜାଣେନା, ସେ ପୁରୁଷଟି କିଏ, ତାକୁ ସେ ବାହାହୋଇନି, ଭଲ ମଧ୍ୟ ପାଇନି ତାକୁ-

 

କ’ଣ ହେଲା ସେଇଠୁ ?

 

ସତରେ କିଏ ? ସୁନ୍ଦର ? କୁତ୍ସିତ ? ଖରାପ ? ରୋଗଗ୍ରସ୍ତ ? ସ୍ୱସ୍ଥୀବାନ ? ...ନା, ସେ କିଛି ଜାଣେନା । ପ୍ରଥମେ ଗୋଟେ ଇଞ୍ଜେକ୍ସନ । ତା’ପରେ ଦୀର୍ଘ ଦଶ ମାସ ଧରି ରାଣୀଭଳି ବାସକରିବା ତା’ ଭାଗ୍ୟରେ ଅଛି । ଗୋଟେ ବିରାଟ ବାସଗୃହ, ସବୁ ପ୍ରକାର ବିଳାସ ସାମଗ୍ରୀ ଓ ତା’ କଥା ଶୁଣିବାକୁ ଗୋଟେ ଚାକରାଣୀ-ସେ ଆଉ ଅଧିକ କ’ଣ ବା ଆବଶ୍ୟକ କରେ ? ସେ କ’ଣ ବା କରିଚି, ତା’ର ଜରାୟୁକୁ ତ ଯାହା ଭଡ଼ା ଦେଇଛି ! ଏ କାର୍ଯ୍ୟଯୋଗୁଁ ଯଦି ସେହି ସ୍ୱାମୀ ସ୍ତ୍ରୀ ସୁଖରେ ରହନ୍ତି !

 

ପ୍ରଥମ ଦୁଇମାସ ପର୍ଯ୍ୟବେକ୍ଷଣ ସୁରୁଖୁରୁରେ କଟିଗଲା । ସେ ଏକ ସମ୍ଭ୍ରାନ୍ତ ପରିବାରର ଲୋକପରି ଚଳିବାକୁ ଲାଗିଲା ! ମାତ୍ର ଯେବେଠୁ ସେଇ ସକାଳୁଆ ଦୁର୍ବଳତା-ତା’ ପେଟରେ ଯନ୍ତ୍ରଣା ବଢ଼ିବାକୁ ଆରମ୍ଭ ହେବା, ମୁଣ୍ଡ ବୁଲାଇବା, ବାନ୍ତିକରିବାକୁ ସେ ଅନୁଭବ କଲା ମା’ ହେବାର ଯନ୍ତ୍ରଣା । ପିଲାଟିକୁ ପେଟରେ ଧରି ତା’ର ମନହେଲା ଦୋଦୁଲ୍ୟମାନ ।

 

ଲାବଣ୍ୟ ତାକୁ ଯେପରି ବାନ୍ଧି ରଖିଥିଲା । ସ୍ୱାଧିନ ଭାବେ ଚଲାବୁଲା କରିବାକୁ ସେ ଥିଲା ଅକ୍ଷମ ! ଜେଲରେ ସେ ଯେପରି ବନ୍ଦିନୀ । ପଢ଼ିବା, ରେଡ଼ିଓ ବା ଟି. ଭି. ଦେଖିବା-ଏହା ବ୍ୟତୀତ ଆଉ ଅଧିକ କ’ଣ ?

 

ଗୋଟେ ଫିଲ୍ମ ଦେଖିଗଲେ କ୍ଷତି କ’ଣ ?

 

ତା’ର ପୁରୁଣା ବନ୍ଧୁମାନଙ୍କୁ ଟିକିଏ ଦେଖାକରି ତା’ର ପୋଜିସନ୍ ଓ ଷ୍ଟାଟସ୍ ସମ୍ବନ୍ଧରେ କହିଲେ କେମିତି ହୁଅନ୍ତା ?

 

ମୁଁ ଲାବଣ୍ୟ ନିକଟରେ ପ୍ରତିଜ୍ଞା କରିଛି ଏକଥା ଯେପରି କାହାକୁ ନ କହେ । କେହି ଯେମିତି ନ ଜାଣେ ମୁଁ କ’ଣ କରୁଛି ? ହଁ, ମୁଁ ରାଜି ହୋଇଛି । ମାତ୍ର ମୁଁ କାହିଁକି ଜଣେ ବନ୍ଦିନୀ ଭଳି ରହିବି ?

 

ମେନକା ନିଜକୁ ବୁଝାଇ ଦେଇ ପାରୁନଥିଲା । ଦିନେ ସାହସ ସଞ୍ଚୟ କରି ଯେ ଏକଥା ଲାବଣ୍ୟକୁ କହିଲା ।

 

“ମେନକା, ତୁ ପିଲାଙ୍କ ପରି କଥା କହୁଛୁ । ତୁ ରାଜି ହୋଇ ଆସିଛୁ, ମୁଁ ଯାହା କହିବି ମୋ କଥା ମାନିବୁ । ଯଦି ତୁ ବାହାରକୁ ଯାଉ, ହୁଏତ କେହି ଦେଖିବ ଏବଂ ତା’ ସହିତ କଥାବାର୍ତ୍ତା ଆରମ୍ଭ ହେବ । ନା ମେନକା, ମୁଁ ବାସ୍ତବିକ ଦୁଃଖିତ । ତୋର ଏଠାରୁ ଯାଇ ଡାକ୍ତରଙ୍କୁ ଦେଖାକରିବା ଏବଂ ସନ୍ଧ୍ୟାବେଳେ ସମୁଦ୍ରକୂଳରେ ବୁଲିବା ହିଁ ଯଥେଷ୍ଟ । ମୁଁ ଆଉ ତୋତେ ଅଧିକ ସ୍ୱାଧୀନତା ଦେଇପାରିବିନି । ତୋ ପାଖରେ ଟି.ଭି. ଅଛି ଏବଂ ଯଦି ଅଧିକା କିଛି ଚାହୁଁ, ତେବେ ସିନେମା ଦେଖିପାରୁ । ବହି ପଢ଼, ସିଲାଇ କର ଏବଂ ଗୋଟେ ସୁଇଟର୍ ବୁଣ । ମାତ୍ର ସେତିକି ହିଁ ଯଥେଷ୍ଟ । ଲାବଣ୍ୟ କଣ୍ଠରେ ଦୃଢ଼ତା ।

 

ମେନକା ହତବାକ୍, ଲାବଣ୍ୟର ସମ୍ଭ୍ରାନ୍ତବଂଶୀୟ ଗର୍ବଦେଖି ସେ ମନେ ମନେ ଭାବୁଥିଲା । ଧମୁ ବୁଢ଼ୀ ଚାକରାଣୀଟିକୁ ତା’ ବିଷୟରେ ସତର୍କ କରିଦେଇଥାନ୍ତି । ତୋତେ ଏକ ଧନୀଝିଅର ଦାୟିତ୍ୱ ନେବାକୁ ହେବ ।

 

ଏ ଝିଅଟି ଟିକିଏ ସ୍ଵତନ୍ତ୍ର ଧରଣର । ସେ ତା’ର ପ୍ରେମିକ ସହିତ ଘରୁ ପଳାଇଆସିଛି । ତା’ ବଡ଼ ଭଉଣୀ ତାକୁ ଆଜି ଆଣି ଲୁଚାଇ କରି ରଖିଛି କାରଣ ତା’ର ବାପା ମାଆ ଏପର୍ଯ୍ୟନ୍ତ ରାଗିଛନ୍ତି । ମେନକା ହୃଦରୋଗୀ । ତା’ ସହିତ ଆଦୌ କଥା ହେବୁନି ଏବଂ ତା’ର ଯାବତୀୟ କାର୍ଯ୍ୟ ସୁରୁଖୁରରେ କରିଦେଉଥିବୁ । ତୋତେ ଯେମିତି ନିର୍ଦ୍ଦେଶ ଦିଆଯିବ, ସେମିତି କରିବୁ । ବର୍ଷକ ଭିତରେ ତା’ର ରାଗ କମିଯିବ । ତୋର ଦରମା ମାସକୁ ଶହେ ଟଙ୍କା-ରହିବା ଖାଇବା ଛାଡ଼ି-। ବର୍ଷକ ପରେ ତୋତେ ହଜାର ଟଙ୍କା ଅଧିକ ପୁରସ୍କାର ଆକାରରେ ଦିଆଯିବ। ତେଣୁ ସାବଧାନ-।”

 

ଚାକରାଣୀଟି ତାକୁ ବିଶ୍ୱାସ କରିଥିଲା ।

 

ବୁଢ଼ୀଟି ଆଦୌ କଳିହୁଡ଼ୀ ନ ଥିଲା । ସେ ମେନକାକୁ ମାତୃବତ୍ସାନ୍ତ୍ୱନା ଦେଉଥିଲା, ‘‘ଭଗବାନଙ୍କ ଦୟାରୁ ସବୁ ଠିକ୍ ହୋଇଯିବ । ତୁ ତୋର ପ୍ରେମିକଙ୍କୁ ପାଇପାରିବୁ । ମନ ଛୋଟ କରନା ।” ଲାବଣ୍ୟ ମେନକା ପ୍ରତି ଏତେ କଠୋର ଥିବା ହେତୁ ସେ ଦାୟିତ୍ୱ ସମ୍ପନ୍ନ ଭାବେ ତା’ର ସୁରକ୍ଷା କରୁଥିଲା । ଦିନ ଗଡ଼ିଚାଲିବା ମାତ୍ରେ ମେନକା ଲାବଣ୍ୟ ବିଷୟରେ ବହୁତ କଥା ଜାଣିଲା ।

 

ଡାକ୍ତର ସୁଶୀଳାଙ୍କ କଥାରୁ ସେ ତା’ର ରକ୍ଷାକର୍ତ୍ତୀର ଧନାଢ଼୍ୟ ତା’ ଆଭିଜାତ୍ୟ, ରାମର ସତ୍‍ଚରିତ୍ର ଓ ଅନ୍ୟାନ୍ୟ ଅନେକ ବିଷୟରେ ସବିଶେଷ ଜ୍ଞାନ ସେ ଲାଭକଲା ।

 

“ସସସ୍ତେ ରାମ ବିଷୟରେ ଖୁବ୍ ଭଲ ମତ ଦେଉଛନ୍ତି । ସେ ତେବେ ଦେଖିବାକୁ କିପରି ହୋଇଥିବ ?”

 

ଦିନେ ସେ ନିଜକୁ ନିଜେ କହିଲା, “ଲାବଣ୍ୟ ମୁଁ ତୁମକୁ ଦୀର୍ଘ ଚାରିମାସ ଧରି ଜାଣେ ମାତ୍ର ମୋତେ ତୁମ ବିଷୟରେ କେହି କିଛି କହିନି । ତୁମର ସ୍ୱାମୀ ବା ତୁମର ପରିବାର... ।’

 

ଲାଭି ତାକୁ ଏକଥା ଶେଷ କରିବାକୁ ଦେଇନଥିଲା ।

 

“ତୋର ଏ ବିଷୟରେ ମୁଣ୍ଡ ଖେଳାଇ ଲାଭ କ’ଣ ? ଯଦି କିଛି କହିବାର ଥାଏ, ତେବେ ତୋର ସ୍ଵାସ୍ଥ୍ୟ ବା ରହିବା ସମ୍ବନ୍ଧରେ କହିପାରୁ, ମୁଁ ତାହା ଯଥାଶୀଘ୍ର ପୂରଣ କରିବି । ସେଇଠି ବନ୍ଦକର । ମୂଳରୁ ତୋତେ କହିରଖିଛି, ତୋର ପରିସର କେତେ ଏବଂ ସେଥିରେ ତୁ ରାଜି ହୋଇଛୁ-। ଏ କଥା ଯେପରି ଭୁଲିନଯାଉ ଅଧିକା କିଛି ବ୍ୟକ୍ତିଗତ ପ୍ରଶ୍ନ ଯେପରି ମୋତେ ନ ପଚାରୁ ।”

 

ମେନକା ବିରକ୍ତ ହୋଇଗଲା । ସାଧାରଣତଃ, ସେ କାହାରି ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ଖେଳାଏନା । ମାତ୍ର ଲାବଣ୍ୟ, ଯାହା ସହିତ ସେ ଏତେ ମାତ୍ରାରେ ସଂଶ୍ଳିଷ୍ଟ, ତା’ଠୁ ପ୍ରେମ, ଭଲପାଇବା ଓ ସାନ୍ତ୍ଵନାର ଏକ ବୁଝାମଣା ସେ ଆଶା କରୁଥିଲା ।

 

ଆଉ ଦିନେ ମେନକା ହଠାତ୍ ଅସୁସ୍ଥ ଅନୁଭବ କଲା । ସେ ଲାବଣ୍ୟକୁ କେଉଁ ବଟିକା ଖାଇବାକୁ ହେବ ଜାଣିବାପାଇଁ ଟେଲିଫୋନ କଲା ।

 

ସମୟ ସକାଳ ସାତଟା ।

 

ଅପର ପାର୍ଶ୍ଵରୁ ଏକ ପୁରୁଷର କଣ୍ଠସ୍ଵର ।

 

‘‘ହ୍ୟାଲୋ ।”

 

“ହ୍ୟାଲୋ”–ସେ କହିଲା ।

 

“ମୁଁ ରାମ କହୁଛି ।”

 

ରାମ ! ତା’ ଗର୍ଭସ୍ଥ ସନ୍ତାନର ଜନକ ! ସେ ଉତ୍ତେଜିତ ହୋଇଉଠିଥିଲା ।

 

ପର ମୁହୂର୍ତ୍ତରେ ଲାବଣ୍ୟର କଣ୍ଠସ୍ଵର ।

 

“କିଏ କହୁଛ ?”

 

“ମୁଁ ମେନକା ।”

 

“ରଙ୍ଗ୍ ନମ୍ବର ।” ଟେଲିଫୋନଟା ହଠାତ୍ ବିଛିନ୍ନ ହୋଇଗଲା ।

 

ଦଶମିନିଟ୍ ପରେ ଲାବଣ୍ୟ ତାକୁ ଟେଲିଫୋନ କଲା । “ମୁଁ ତୋତେ କହିଛି ଘରକୁ ଟେଲିଫୋନ କରିବୁନି । ତୋର ଏତେ ସାହସ କେମିତି ହେଲା ? ମୋତେ ଏସବୁ ଭଲଲାଗୁନି । ଏତେ ଜରୁରୀ କ’ଣ ?” ସେ ବିରକ୍ତ ହୋଇ ତାକୁ ଗାଳିଦେଲା ।

 

ସେହି ମୁହୂର୍ତ୍ତରେ ମେନକାର ରାଗ ଯେପରି ସୀମା ଟପିଗଲା । କାହିଁକି ଜଣେ କ୍ରୀତଦାସୀ ଭଳି ମୁଁ ତାକୁ ସବୁବେଳେ ମାନିବି ? ତା’ର ଏତେ ସାହସ କେମିତି ହେଲା ମୋତେ ଅପମାନ ଦେବାକୁ । ଯଦିଓ ସେ ଲାବଣ୍ୟ ସହିତ କୌଣସି ଯୁକ୍ତି କଲାନି, ମାତ୍ର ରାଗରେ ଜର୍ଜରିତ ହୋଇ ଫୁଁ ଫୁଁ ହେବାକୁ ଲାଗିଲା । ସତେଅବା ନାଗସାପଟି ତତ୍କଷଣାତ୍ମାଡ଼ ଖାଇଛି !

 

ତା’ର ରାଗିବାର କ’ଣ ବା କାରଣ ଅଛି ? ମୁଁ ତା’ର କି ଦୋଷ କରିଛି ଯେ ! ତା’ ପାଇଁ କେବଳ ମୋତେ କେତେ ବେଶୀ ସ୍ଵାର୍ଥ ତ୍ୟାଗ କରିବାକୁ ହୋଇନି । ଏକଥା ସେ ଭୁଲିଯାଇ ମୋତେ ଚାକରାଣୀ ଭଳି ବ୍ୟବହାର କରିବ !

 

ତାହାହେଲେ ମୋର ମଧ୍ୟ ତାଠାରେ କିଛି କାର୍ଯ୍ୟ ନାହିଁ, ମୋର ଟଙ୍କା ଲୋଡ଼ା ନାହିଁ ।

 

ମୁଁ କ’ଣ ସତରେ ଯାଇପାରିବି ?

 

ଦୁଇମାସର ଶିଶୁଟିକୁ ନଷ୍ଟ କରିବାର କୌଣସି ଉପାୟ ନାହିଁ ? ତା’ ନିକଟରେ ବୃଥାରେ କାହିଁକି କ୍ରୀତଦାସୀ ହୋଇ ରହିବି ? କିନ୍ତୁ ମୁଁ କେମିତି ଯିବି ? ମୁଁ ସେ ଏଗ୍ରିମେଣ୍ଟରେ ସ୍ଵାକ୍ଷର କରିଛି । ଯଦି ମଝିରୁ ଛାଡ଼ିଯାଏ, ମୋତେ ଲାବଣ୍ୟକୁ ପଚିଶ ହଜାର ଟଙ୍କା ଦେବାକୁ ହେବ-। ମୁଁ ବା ଏତେ ଟଙ୍କା କେଉଁଠୁ ପାଇବି, ତାକୁ ଦେବି ?

 

“ଯଦି ତୁମେ ସର୍ତ୍ତରେ ଖିଲାପ କର, ମୁଁ ତୁମ ଉପରେ ଭୀଷଣ ରାଗିବି”-ଧମୁ ମଧ୍ୟ କହିଥିଲା ।

 

“ତାଙ୍କୁ ଛାଡ଼ି ମୁଁ କେମିତି ସିନେମା ଜଗତରେ ଉନ୍ନତି କରିବି ।”

 

ବହୁତ ଭାବିଚିନ୍ତି ଚୁକ୍ତି ଖିଲାପ ନ କରିବାକୁ ମେନକା ସ୍ଥିର କଲା ।

 

ତା’ ରାଗ କମିଗଲା, ମେନକା ଭାବିଲା ଏଭଳି ଆରମଦାୟକ ଜୀବନ ଛାଡ଼ି ପଳାଇଯିବା ପାଗଳାମୀ ଛଡ଼ା ଅନ୍ୟ କିଛି ନୁହେଁ ।

 

ନିଜର ସ୍ଥିତି ସମ୍ପର୍କରେ ସଚେତନ ହୋଇ ଧିରମନରେ ସେ ଚିନ୍ତାକଲା ।

 

ଲାବଣ୍ୟ ଉପରୁ ଚିନ୍ତା ଯାଇ ଅଟକିଲା ରାମ ନିକଟରେ ।

 

ରାମକୁ ଦେଖିବିନି, ରାମ ସହିତ କଥା ହେବିନି, ଲାବଣ୍ୟ ଏତେ ସତର୍କ ମାତ୍ର, କାହିଁକି-?

 

ରାମକୁ ପାଇଥିବା ସୌଭାଗ୍ୟ ହେତୁ ।

 

ସତରେ ତାଙ୍କ ସ୍ୱରରେ କେତେ ଗମ୍ଭୀରତା ?

 

କେମିତି କାପୁରୁଷ ସେ ?

 

ସେ କ’ଣ ସତେ ସ୍ୱତନ୍ତ୍ର-କିମ୍ବା ସାଧାରଣ !

 

ସେ କେମିତି ହୋଇଥିବେ ?

 

ରାମକୁ ଦେଖିଲେ କେମିତି ହୁଅନ୍ତା ?

 

ତା’ ସହିତ କଥାହେଲେ କ୍ଷତି କ’ଣ ?

 

ଯଦି ମୋର ହ୍ୟାଲୋ କହିବା ଦ୍ୱାରା ଲାବଣ୍ୟ ଏତେ ଉତ୍ତେଜିତ, ତାଙ୍କୁ ଦେଖିଲେ, ତାଙ୍କ ସହିତ କଥାହେଲେ ସେ କେତେ ଉତ୍ତେଜିତ ନ ହେବ । ମୁଁ ତା’ କଥାରେ ଭୁଲିଯାଇଛି, ତା’ ନିକଟରେ ଛୋଟ ହୋଇଯାଇଛି ।

 

ଲାବଣ୍ୟର ମୁହଁରେ ଏଭଳି ପ୍ରତିକ୍ରିୟାକୁ ଅନୁମାନ କରି ସେ ଯେପରି ଏକ ନିଷ୍ଠୁର ଆନନ୍ଦ ଅନୁଭବ କରୁଥିଲା; ଏବଂ ସପ୍ତାହ ପରେ ଯେତେବେଳେ ଚାକରାଣୀଟି ବାହାରକୁ ଯାଇଥିଲା; ସେ ଗୋଟିଏ ଚାବି ସଜାଡ଼ିଲାବାଲାକୁ ଡାକି ପଚାରିଲା, “ମୁଁ ଟେଲିଫୋନର ଚାବି ହଜେଇଦେଇଛି । ମୋତେ ଗୋଟେ ଅଲଗା ଚାବିକାଠି ତିଆରି କରିଦେବ କି ?” ଏବଂ ତା’ଠାରୁ ଏକ ଚାବିକାଠି ତିଆରି କରାଇନେଇ ସେ ତାକୁ ଲୁଚାଇ ରଖିଲା । ତା’ ଧମନୀରେ ସେ ଏକ ଅବ୍ୟକ୍ତ ଶିହରଣ ଅନୁଭବ କରୁଥିଲା ।

 

“କୈଳାଶ ଇଣ୍ଟରନେସ୍‍ନାଲ”......ସେକ୍ରେଟାରୀ ନରମ ଗଳାରେ କହିଲା, ଯେତେବେଳେ ମେନକା ଟେଲିଫୋନ୍ କଲା ।

 

ମେନକା ଦେହରୁ ଝାଳ ବାହାରୁଥିଲା । ତା’ର ସ୍ୱର ଥରୁଥିଲା ।

 

“ହ୍ୟାଲୋ’’

 

“ମୁଁ ଜାଣିପାରେକି କିଏ କହୁଛନ୍ତି ?”

 

ମେନକା ହଠାତ୍ କୌଣସି ଉତ୍ତର ଦେଇପାରିନଥିଲା । ସେ ଦୀର୍ଘ ପନ୍ଦରଦିନ ଧରି ରାମ ସହିତ କଥା ହେବାପାଇଁ ବ୍ୟାକୁଳ ହୋଇପଡ଼ିଥିଲା; ଏବଂ ବହୁ କଷ୍ଟରେ ତା’ ଟେଲିଫୋନ୍ ନମ୍ବର ଖୋଜି ପାଇଥିଲା । ସେ ଲାବଣ୍ୟଠାରୁ ଶୁଣିଥିଲା ଯେ ଟି. ଭି କମ୍ପାନୀକୁ ଦିଆଯାଇଥିବା ଚେକର ରସିଦ୍ ଆସିବ । ରସିଦ୍ ଆସିବା ଦିନ ସେ ଚତୁରତା ସହ କୈଳାଶମ୍ ଇଣ୍ଟର ନ୍ୟାସନ୍ୟାଲ୍ ଟି. ଭି କିଣିଥିବା କଥା ଟିପି ରଖିଥିଲା ।

 

ଟେଲିଫୋନ୍ ଡାଇରେକ୍ଟୋରୀ ସାରା ଖେଳାଇ, ସେ ରାମର ବ୍ୟକ୍ତିଗତ ନମ୍ବର ଟିପି ରଖିଲା । ଦିନେ ଲାବଣ୍ୟ ଚାଲିଯିବା ପରେ, ସନ୍ଧ୍ୟାରେ ସେ ରାମକୁ ଟେଲିଫୋନ୍ କରିଥିଲା । ମନରେ ଥିଲା ବୋଝେ ଦୁର୍ଭାବନା ।

 

କେତେ ତରବରିଆ କାର୍ଯ୍ୟ ସତେ ?

 

ରାମ କ’ଣ ସହରରେ ଅଛି ?

 

ସେ କ’ଣ ମୋ ସହିତ କଥାହେବ ?

 

କ’ଣ କହିବି ମୋ ନାଁ ପଚାରିଲେ ?

 

ସେ କ’ଣ ଲାବଣ୍ୟକୁ ଏହି ଫୋନ୍ ବିଷୟରେ କହିବ ?

 

ଯଦି ଲାବଣ୍ୟ ଜାଣେ, କ’ଣ ଉତ୍ତର ଦେବାକୁ ପଡ଼ିବ ?

 

ଧମୁ କ’ଣ ଭାବିବ ଯେ ? ସେ କ’ଣ ଦୁଃଖିତ ହେବ ଯେ ନର୍ଦ୍ଦମାରୁ ଉଠାଇ ସମାଜରେ ଯାହାକୁ ପ୍ରତିଷ୍ଠିତ କଲା ତା’ର ଏପରି ବ୍ୟବହାର ? ଆଃ, ଯେଉଁ ପ୍ରତିଷ୍ଠା !

 

ଓଃ ! ସେ ଯାହାଇଚ୍ଛା ତାହା ଭାବୁ ମୁଁ ରାମ ସହିତ କଥା ହେବି । କେତେଟା ଶବ୍ଦ ଅତି କମରେ । ତା’ପରେ ଚେଷ୍ଟାକରିବି ତାକୁ ଦେଖିବାକୁ । ମୁଁ କ’ଣ ମୋ ପେଟରେ ତା’ ସନ୍ତାନକୁ ଧାରଣ କରିନି ! ତେବେ ତା’ ସହିତ କଥା ହେବାକୁ, ତାକୁ ଦେଖିବାକୁ, ମୋର କାହିଁକି ଅଧିକାର ନାହିଁ ?

 

ମୁଁ ଅନ୍ୟକାହାକୁ ଖାତିର କରେନା ।

 

ଦୁଇଥର ସେ ଟେଲିଫୋନକୁ ଘୂରାଇଲା ।

 

କିନ୍ତୁ ଦୁଇଥର ରସିଭର୍ଟାକୁ ରଖିଦେଲା ଟେଲିଫୋନ୍ ଉପରେ, ଅପରେଟର୍ ‘ହ୍ୟାଲୋ’ କହିବା ମାତ୍ରେ ।

 

ତୃତୀୟ ଥରକୁ ତା’ଠି ଯେମିତି ସାହସ ସଞ୍ଚୟ ହୋଇଗଲା ।

 

“ଦୟାକରି ମୁଁ ଜାଣିପାରେ କି କିଏ କହୁଛନ୍ତି ?”

 

ସେହି ପୁରୁଣା ପ୍ରଶ୍ନ ।

 

“ସେ ମୋର ପୁରୁଣା ବନ୍ଧୁ । ମୁଁ କେବଳ ତାଙ୍କ ସହ କଥା ହେବି ।”

 

ଟିକିଏ ନୀରବତା । “ଗୋଟେ ମିନିଟ” ଅପର ପକ୍ଷରୁ ଆବାଜ ଆସିଲା !

 

“କଥା କୁହ”, ସେ ଅପରେଟର ସ୍ଵର ଶୁଣିଲା ।

 

“ହଁ, ରାମ କହୁଛି ।”

 

ମେନକା ଖୁସିରେ ଫାଟିପଡ଼ିଲା । ଯେମିତି ସେ ଅମୂଲ୍ୟ ଧନ ପାଇଛି । ନାଚିଉଠିଲା ତା’ର ସମସ୍ତ ଶିରାପ୍ରଶିରା । ସେ ଏଥର ନିଶ୍ଚେ କଥା ହେବ ।

 

“ମୁଁ ମେନକା କହୁଛି ।”

 

“କେଉଁ ମେନକା ?”

 

ତେବେ ରାମକୁ ମୋ ବିଷୟରେ କିଛି କୁହାଯାଇନି । ହଠାତ୍ ମେନକା ହୋଇଗଲା ହତୋତ୍ସାହ । ମାତ୍ର ଦୃଢ଼ତାର ସହ କହିଲା, “ଆମ ଦୁହିଁଙ୍କର କେବେ ସାକ୍ଷାତ ହୋଇନି ମାତ୍ର ଦୁହିଁଙ୍କର ସମ୍ପର୍କରେ କେତେ ନିବିଡ଼ତା ରହିଛି ।”

 

ମେନକା ଜୋରରେ କାନ୍ଦିବାକୁ ଆରମ୍ଭ କରିଦେଇଥିଲା ।

 

ରାମର ମନକୁ ଛୁଇଁଗଲା ତା’ର କଥାଗୁଡ଼ିକ ।

 

ସତରେ ଖୁବ୍ ଦୁଃଖର କଥା ...ଅତି ମର୍ମନ୍ତୁଦ କଥା ।

 

“ମେନକା ତୁମେ କାନ୍ଦନି..... କାନ୍ଦନି ଦୟାକରି । ମୁଁ ଭାରୀ ଦୁଃଖିତ । ତୁମକୁ ଏସବୁ ପଚାରି ମୁଁ ଅନୁତପ୍ତ । ଯେତେବେଳେ ତୁମର ଇଚ୍ଛା ମୋ ସାଙ୍ଗେ ତୁମେ କଥାବାର୍ତ୍ତା କରିପାର । ଦୟାକରି ଏବେ କାନ୍ଦନି ।”

 

ନାକ ସୁଁ ସୁଁ ବନ୍ଦ ହୋଇଯାଇଥିଲା ମେନକାର । “ସତରେ, ମିଷ୍ଟର ରାମ !”

 

“ହଁ, କିନ୍ତୁ ଏ ନମ୍ବରକୁ ଡାଏଲ୍ କରିବନି । ମୋର ବ୍ୟକ୍ତିଗତ ଟେଲିଫୋନ୍ ନମ୍ବର ଟିପି ରଖ ।”

 

“ବହୁତ ବହୁତ ଧନ୍ୟବାଦ ।”

 

କିଛି ସମୟ ଧରି କାନ୍ଦ ...ତା’ ପରେ ହସ...କି ଅଦ୍ଭୁତ ଝିଅ ଏଇ ମେନକା ।

 

ଦୁଇଦିନ ପରେ ସେ ଟେଲିଫୋନ୍ କଲା ରାମ ଦେଇଥିବା ନମ୍ବରକୁ ।

 

“ହ୍ୟାଲୋ, ଶୁଭ ମଧ୍ୟାହ୍ନ।”

 

“ଶୁଭ ମଧ୍ୟାହ୍ନ।”

 

“ବହୁତ ବ୍ୟସ୍ତ ?”

 

“ନା; ତୁମ ପାଇଁ ବହୁତ ସମୟ ଅଛି ମିସ୍ ମେନକା ।”

 

“ମୋତେ କେବଳ ମେନକା କୁହ, ଏତେ ସମ୍ମାନସୂଚକ ଶବ୍ଦ କାହିଁକି ?”

 

ରାମ ହସିଲା । “ଠିକ୍ ଅଛି ।”

 

“ଗୋଟିଏ ନୂଆ ଖବର ....ମୁଁ ତୁମକୁ ଗୋଟିଏ ଛୋଟିଆ ବାଟ ବତାଉଛି ।”

 

“କ’ଣ ?”

 

“ତୁମେ ଧମୁଙ୍କର ‘ଇଣ୍ଡିଆ ଟୁଡ଼େ’ ଛବି ଦେଖିଛ କି ?”

 

“.............”

 

“ଠିକ୍ ମନେରଖିଛ ତାକୁ ।”

 

“.................”

 

“ସେଥିରେ ସେ ପଥରର ନର୍ତ୍ତକୀ ପ୍ରତିମାକୁ ଦେଖାଇଛନ୍ତି ଓ ସେହି ପ୍ରତିମା ମଣିଷ ହୋଇ ନାଚିଛି, ପରିଶେଷରେ.... ।”

 

“.................’’

 

“ମିଷ୍ଟର ରାମ ! ମୁଁ ସେହି ନର୍ତ୍ତକୀ ।’’ ଧିର ଗଳାରେ ସେ କହିଲା ।

 

ସେହି ମନୋହାରିଣୀ ଯୁବତୀ । ହେ ଭଗବାନ, ଭଗବାନ !

 

ମିଷ୍ଟର ରାମ; ମୁଁ ତୁମକୁ ଦେଖିବାକୁ ଚାହେଁ । ମୋ ରାଣ, ତୁମକୁ ଦେଖିବାପାଇଁ ମୋ ମନ ବଡ଼ ବ୍ୟାକୁଳ ।

 

ଗର୍ଭବତୀ ଅବସ୍ଥାରେ ମା’ ଯେମିତି ଭାବେ, ସନ୍ତାନ ଠିକ୍ ସେହିପରି ଆକୃତି ଧାରଣ କରେ । ଏହା ଗୁରୁଜନମାନେ କହିଛନ୍ତି । ଯଦି ମୁଁ ତୁମକୁ ଦେଖେ, ମୁଁ ତୁମ କଥା ସବୁବେଳେ ଭାବେ, ପିଲାଟି ଠିକ୍ ତୁମଭଳି ହେବ । ମୁଁ ତୁମକୁ ଥରେ ମାତ୍ର ଦେଖିବାକୁ ଚାହେଁ; ମାତ୍ର ଥରେ । ମୋତେ ମନାକରନା । କେବଳ ତୁମ ପିଲା ପାଇଁ । ତୁମେ କ’ଣ ଦୟାକରି ଥରକ ପାଇଁ ଆସିପାରିବନି ?”

 

“............. ।”

 

“ତୁମର ମନାକରିବା ମୁଁ ବେଶ୍ ବୁଝିପାରୁଛି । ପାଞ୍ଚମିନିଟ୍, ମାତ୍ର ପାଞ୍ଚମିନିଟ୍ ମୋ ପାଖରେ ରହି ଚାଲିଯିବ । ଆମକୁ କେହି ଯେପରି ନ ଦେଖେ, ସେ କଥା ଦେଖିବା ମୋ ଦାୟିତ୍ଵ । ପ୍ଲିଜ୍ ।”

 

“............. ।’’

 

“ମୁଁ ତୁମକୁ ମୋର ଫୋନ୍ ନମ୍ବର ଦେଉଛି । ଯଦି ତୁମେ ରାଜି ହୁଅ, ମୋତେ ଟେଲିଫୋନ୍ କର । ଦିନ ୧୦ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୋତେ ଟେଲିଫୋନ୍ କରିବନି । ଅନ୍ୟ ଯେକୌଣସି ସମୟ, ମୋ ପାଇଁ ଉପଯୁକ୍ତ । ମୋତେ ହତାଶ କରନା ।”

 

ଟେଲିଫୋନ୍ ଲାଇନ୍ ବନ୍ଦ କଲା ମେନକା ।

 

ସପ୍ତାହେ ଚାଲିଗଲା ।

 

ମେନକା ପାଖରୁ କୌଣସି ଖବର ନାହିଁ ।

 

ବ୍ୟବସାୟରେ କୋଚିନ୍ ଓ ବାଙ୍ଗାଲୋର ଯିବାଆସିବା କରି ରାମ ଅସ୍ତବ୍ୟସ୍ତ । ସେ ଅନୁଭବ କରୁଥିଲା ମେନକାର ଅନୁରୋଧକୁ ସେ ଆଉ ଉପେକ୍ଷା କରିପାରିବନି । ଶେଷରେ ସେ ତାକୁ ଦିନେ ୩ଟା ବେଳକୁ ଫୋନ୍ କଲା ।

 

‘‘ହ୍ୟାଲୋ ।’’

 

“ରାମ କହୁଛି ।’’

 

“...............”

 

“କିପରି ଅଛ ?”

 

“............ ।”

 

“ତୁମେ କାହିଁକି ମତେ ଟେଲିଫୋନ୍ କଲନି ।”

 

“............. ।”

 

“ରାଗିଛ ?”

 

“ମୁଁ କିଏ ତୁମ ଉପରେ ରାଗିବି, ବା ତୁମଠୁ କିଛି ଚାହିଁବି ।”

 

ରାମ ବିବ୍ରତ ହୋଇପଡ଼ିଲା ।

 

“ତୁମେ ମୋତେ ତୁମର ଠିକଣା ଦେଇନା । ତୁମ ପାଖକୁ କିପରି ଆସିଥାନ୍ତି ?”

 

ମେନକାକୁ ଲାଗିଲା ଯେପରି ସେ ଗଡ଼ ଜିଣିଯାଇଛି !

 

ସେ ଚେଷ୍ଟା କରୁଥିଲା ଲାବଣ୍ୟକୁ ତା’ରି ପଇସାରେ ବୁଦ୍ଧି ଶିଖାଇବ । ସେ ଆନନ୍ଦ ଅନୁଭବ କରୁଥିଲା ରାମର ମିଠା କଥା ଶୁଣି, ଯେଉଁ ଶିଶୁ ତା’ ଗର୍ଭରେ ବଢ଼ୁଛି, ତା’ର ବାପର କଥା ଶୁଣି । ରାମକୁ ଦେଖିବାକୁ, କଥା କହିବାକୁ, ପାଇବାକୁ ତା’ ମନ ବ୍ୟାକୁଳ ହୋଇଉଠିଲା । ସେ ଯେ ଲାବଣ୍ୟକୁ ଠକୁଛି ଏକଥା ଆଦୌ ଭାବୁନଥିଲା । ରାମ ଯେତେବେଳେ ଠିକଣା ମାଗିଲା ସେହି ମୁହୂର୍ତ୍ତ ତା’ ପାଇଁ ଥିଲା ବିଜୟର ସମୟ । ଖୁସିରେ ସେ ବତାଇ ଦେଇଥିଲା ଠିକଣା । ଆଉ ଆସିବାର ନିରାପଦ ସମୟ ମଧ୍ୟ ।

 

ସେଦିନ ରାତିରେ ଲାବଣ୍ୟକୁ ମିଟିଂର ଆଳ ଦେଖାଇ ରାମ ନିଜର ଟୋୟୋଟା ଗାଡ଼ିଧରି ଚାଲିଆସିଥିଲା କଳାକ୍ଷେତ୍ର କଲୋନୀ ଅଭିମୁଖେ ଏବଂ ପହଞ୍ଚିଲା ମେନକା ପାଖରେ ।

 

“ଆୟା, ମୁଁ ଗର୍ଭବତୀ । ମୁଁ ମୋର ପ୍ରେମିକକୁ ଦେଖିବାକୁ ବ୍ୟସ୍ତ । ସେ ଆଜି ଆସୁଛନ୍ତି-। ତୁ ଏକଥା ଅନ୍ୟ କାହାକୁ କହିବୁନି । ମୁଁ ତୋର ଝିଅ ପରି । ତୋତେ ଭିକ ମଗୁଛି । କିଏ ବା ମୋ ନିକଟକୁ ଆସୁଛି ! ମୋ ପେଟରେ ବଢ଼ୁଥିବା ପିଲାର ବାପ । ମୁଁ ତାକୁ କେମିତି ମନା କରିଥାନ୍ତି-? ତୁ କାହାକୁ କହିବୁନି ।” ମେନକା ଚାକରାଣୀ ପାଖରେ କାକୁତିମିନତି ହୋଇ ତାକୁ ରାଜି କରାଇପାରିଥିଲା ।

 

ରାମର ଦୃଷ୍ଟି ପଡ଼େ ମେନକା ଉପରେ । କି ସେ ରୂପ, କି ଆକର୍ଷଣୀ ତା’ ଚାହାଣୀରେ-। ନିଜର ସତ୍ତାକୁ ଭୁଲିଗଲା ରାମ । ଯୌବନ ଲହଡ଼ି ଭାଙ୍ଗୁଛି ଯେପରି ତା’ର ସମସ୍ତ ଶରୀରରେ-। ବଡ଼ ଭଡ଼ ଆଖି......ଉନ୍ନତ ସ୍ତନଯୁଗଳ....ଆସନ୍ନ ମାତୃତ୍ୱ ତା’ର ସୌନ୍ଦର୍ଯ୍ୟକୁ ଯେପରି ଦ୍ଵିଗୁଣିତ କରିଦେଇଥିଲା ।

 

ଏହି ସ୍ତ୍ରୀ ତା’ର ସନ୍ତାନକୁ ଗର୍ଭରେ ଧାରଣ କରିଛି, ତା’ରି ସନ୍ତାନ !!

 

ମେନକା ରାମ ହାତଧରି ଘର ଭିତରକୁ ନେଇଯାଇଥିଲା । ନୂଆ ବିବାହିତ ପତି ପତ୍ନୀଙ୍କର ତାହା ଥିଲା ଯେପରି ଗୃହ ପ୍ରବେଶ ।

 

ଏଣେ ଲାବଣ୍ୟ ତଦାରଖ କରି ଚାଲିଥିଲା ଚାରିଜଣ ଲୋକଙ୍କର କାମକୁ ।

 

କାନ୍ଥରେ ଈଷତ୍ ହଳଦିଆ କାଗଜ...ସେଥିରେ ଛୋଟ ଛୋଟ ଫୁଲର ଚିତ୍ର....ଦାମିକା କାରପେଟ୍ । ମିନିମାଉସ୍ ବୋନେଲଡ଼୍ ଡ୍ୟୁକ୍ସ ରଙ୍ଗରେ ପିଲାଙ୍କ ଗେଟ୍‍ଟି ରଙ୍ଗାଯାଇଛି । ଗୋଟେ କୋଣରେ ଛ’ଫୁଟ ଉଚ୍ଚର ଧଳା ଭାଲୁର କଣ୍ଢେଇ । ସିଙ୍ଗାପୁରଠାରୁ ବିଶେଷ କାର୍ଯ୍ୟଯୋଗୁ ଅଣାଯାଇଛି । ରାତିରେ ତା’ଆଖିରେ ଆଲୁଅ ଖଞ୍ଜି ଦିଆଯାଇଛି; ମଧୁର ଓ ସ୍ୱଚ୍ଛ ଆଲୁଅ ଦେବାପାଇଁ । ଛାତିରୁ ପ୍ଲାଷ୍ଟିକର ରିଙ୍ଗ୍ ଗୁଡ଼ିକୁ ଓହଳାଇ ଦିଆଯାଇଛି । ପିଲାଙ୍କ ଲୁଗା ରଖିବାପାଇଁ ଅପର୍ଯ୍ୟାପ୍ତ ଡ୍ରୟେର୍ । ରୁମର ରଙ୍ଗକୁ ଚାହିଁ ଗାଧୁଆ ଘର କାନ୍ଥରେ କାଗଜ ମଡ଼ାଯାଇଛି । ମାଠିଆରେ ଗୋଟିଏ ଠେକୁଆର ଚିତ୍ର । ଟାୱାଲରେ ଚିଡ଼ିଆଖାନାର ବିଭିନ୍ନ ପଶୁମାନଙ୍କର ଚିତ୍ର । ଗାଧେଇବା କୁଣ୍ଡରେ ରଙ୍ଗରଙ୍ଗିଆ ରବର ଟ୍ୟୁବ୍ । ପିଲାଙ୍କ ପ୍ରସାଧନର ଅପର୍ଯ୍ୟାପ୍ତ ସରଞ୍ଜାମ ଲାବଣ୍ୟ ସଜାଡ଼ି ରଖୁଥିଲା ।

 

ନର୍ସରୀଟାକୁ ନିଜ ମନମୁତାବକ ସଜାଡ଼ୁଥିଲା ସେ ।

 

ଆଉ ମାତ୍ର କେତେଟା ମାସ । ସବୁ ଜିନିଷ ଯେପରି ହେଉ ଠିକ୍‍ଠାକ୍ ହୋଇ ରହିଥିବ ନୂତନ ସନ୍ତାନର ଆଗମନ ପୂର୍ବରୁ ।

 

“ହ୍ୟାଲୋ ! କିଏ କହୁଛ ? ମୁଁ କିଛି ବୁଝିପାରୁନି........”

 

“ତୁମେ ସେହି ସ୍ମରଣୀୟ ଦିନଟିକୁ ମନେରଖିଛ କି ?୬-୬-୧୯୭୮ ?”

 

“କ’ଣ କହିଲ ?”

 

“ମୁଁ ଦୀର୍ଘ ତିନିମାସ ଧରି ଗର୍ଭବତୀ । ତୁମର ଏହା ସହିତ କିଛି ସମ୍ପର୍କ ଅଛି ବୋଲି ଭାବୁଛ କି ? “

 

“.....…......…”

 

ମେନକା ନଶ୍ଚିତ ଥିଲା ଯେ ରାମ ସେ ଦିନଟିକୁ ମନେରଖିଛି ।

 

ସେ କହି ଚାଲିଲା, “ମୁଁ ଜାଣେନି ମିଷ୍ଟର ରାମ । କାହିଁକି ତୁମେ ବାରମ୍ବାର ମୋ ମନକୁ ଆସୁଛ । ମୁଁ ତୁମର ସ୍ୱର ଶୁଣିବାକୁ ବ୍ୟସ୍ତ ହୋଇପଡ଼ିଲି । ତେଣୁ ଏଇ ଟେଲିଫୋନ୍ । ଯଦି ମୁଁ ତୁମକୁ ଡିସଟର୍ବ କରିଥାଏ, ତେବେ ମୋତେ କ୍ଷମା କରିବ ।”

 

“...............”

 

“ମୁଁ ଯଦି ତୁମ ସହିତ କଥାହୋଇ, ନିଜକୁ ଖୁସି କରିନଥାନ୍ତି, ମୋର ଗର୍ଭରେ ବଢ଼ୁଥିବା ଶିଶୁଟି ଉପରେ ତାର ପ୍ରଭାବ ପଡ଼ିଥାନ୍ତା ବୋଲି ବଡ଼ମାନେ କହନ୍ତି । ମୁଁ ତୁମ ସ୍ତ୍ରୀକୁ ହଇରାଣରେ ପକାଇବା ପାଇଁ ତୁମକୁ ଘରକୁ ଟେଲିଫୋନ୍ କରିବାକୁ ଇଚ୍ଛା କଲିନି । ତୁମେ ମୋ କଥା ବୁଝିପାରୁଛ ତ ?”

 

ତା’ର ମିଠା ମିଠା କଥା ଓ ମନଛୁଆଁ ଆବେଦନ ରାମର ମନକୁ ଛୁଇଁଲା । ରାମ କିନ୍ତୁ ଥିଲା ନୀରବ ।

 

“କଥା କହିବନି ? ମୁଁ ତୁମ ସ୍ୱର ଶୁଣିବା ଖୁସିରୁ ଟିକିଏ ପାଇବାରୁ କ’ଣ ବଞ୍ଚିତ ହେବି-?”

 

“ଓଃ, ତାହା ନୁହେଁ । ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟ । ମୁଁ ତୁମର ସ୍ୱର ଶୁଣି ଯେପରି ହତଭମ୍ୱ ହୋଇପଡ଼ିଥିଲି !”

 

ମେନକା ହସିଲା ଅଳ୍ପ ଅଳ୍ପ ।

 

“ମୁଁ ରିସିଭର୍ ରଖିଦେଉଛି । ଅଧିକା ଡିସ୍‍ଟରବ୍ କରିବା ମୋର ଆଦୌ ଉଦ୍ଦେଶ୍ୟ ନୁହେଁ । ମୁଁ ତୁମକୁ ଗୋଟିଏ ସାହାଯ୍ୟ ମାଗିପାରେ କି ? ମୋ ପାଇଁ ନୁହେଁ । ତୁମ ପିଲା ପାଇଁ । ମୁଁ ତୁମକୁ କେତେବେଳେ କେମିତି ଟେଲିଫୋନ୍ କରି ଦୁଇ ତିନି ମିନିଟ୍ କଥାବାର୍ତ୍ତା ହୋଇପରିବି କି ? ପ୍ଲିଜ...ମୋର ଏହି ଇଚ୍ଛାକୁ ରଖିବନି ?”

 

“ନା, ନା, ରିଙ୍ଗ କରିବନି; ମୋତେ ଡିସ୍‍ଟରବ୍ କରନା ଦୟାକରି ।”

 

ରାମ କହିବାକୁ ଇଚ୍ଛା କରୁଥୁଲା ମାତ୍ର ସେ ଥିଲା ନିରୂପାୟ, ତା’ ପାଟିରୁ ବାହାରିଗଲା “ଆଚ୍ଛା ହେଉ ।”

 

“ହଁ, ଆଉ ଗୋଟିଏ କଥା । ଯଦି ମା’ର କିଛି ଅଭାବ ହୁଏ, ତେବେ ପିଲାଟିର ବଢ଼ିବାର ଅସୁବିଧା ହେବ-ଏକଥା ବଡ଼ବଡ଼ମାନେ କହିଥାନ୍ତି । ତେଣୁ ମୁଁ ସାହସର ସହିତ ତୁମ ପାଖକୁ ଟେଲିଫୋନ୍ କଲି । ଦୟାକରି ଏକଥା କାହାକୁ କହି ଉତ୍ତେଜିତ କରିବନି । ମୁଁ ଆଜି ଭାରୀ ଆନନ୍ଦ ଅନୁଭବ କରୁଛି । ଧନ୍ୟବାଦ ମିଷ୍ଟର ରାମ, ବହୁତ ବହୁତ ଧନ୍ୟବାଦ।”

 

ଘନବାଦଲ ଭିତରେ ବୁଲିବାବେଳେ ରାମ ଯେପରି ତା’ର ସ୍ୱର ଶୁଣିବାକୁ ପାଇଥିଲା । ଏହା ଯେପରି ଥିଲା ସ୍ୱପ୍ନ । ଅତି ସୁନ୍ଦର କଳ୍ପନା, ମନୋରମ ଚିନ୍ତା ବା ଖିଆଲ୍ । ସୁନ୍ଦର ସ୍ୱର । ଭାରି ମିଠା ସ୍ୱର । ନିଶ୍ଚିତ ଭାବରେ ଯୁବତୀ । କୋଡ଼ିଏ ବା ବାଇଶି । ସେ ପିଲାଟି ପାଇଁ କେତେ ଉତ୍କଣ୍ଠା ତା’ର । ମନ୍ଦ ନୁହେଁ । ଲାବଣ୍ୟର ପସନ୍ଦକୁ ତାରିଫ୍ କରିବା ଉଚିତ ।

 

ବୋଧହୁଏ ବହୁତ ପଢ଼ିଛି । ସୁନ୍ଦର ଇଂରାଜୀ କହିପାରୁଛି-ରାମ ଭାବି ଚାଲିଥାଏ । “ସେ ମୋତେ ଅଫିସକୁ କାହିଁକି ଟେଲିଫୋନ୍ କଲା ଘରକୁ ନ କରି ? ମୋର ନମ୍ବର ପାଇଲା କେମିତି-? କେହି ଜାଣିବା ଦରକାର ନାହିଁ, ସେ କହିଲା । ସେ କ’ଣ ବୋଲି ଲାବଣ୍ୟକୁ ଭାବିଛି-? ଲାବଣ୍ୟକୁ ନ କହିବାକୁ ? ସେ ଏହାକୁ କିପରି ଗ୍ରହଣ କରିବ ?

 

ତା’ର ନାଁ କ’ଣ ?

 

ମେନକା ?

 

ମୁଁ କ’ଣ ଏକଥା ଲାବଣ୍ୟକୁ କହିବି ?

 

ନାଁ, ନୀରବ ରହିବି ?

 

ଚୁପ୍‍ଚାପ୍ ରହିଲେ ଭୁଲ୍ କ’ଣ । ବୃଥା ଲାଭିକୁ କହି ଲାଭ କ’ଣ ? ତାକୁ ଡିସ୍‍ଟରବ୍ କରିବା କ’ଣ ଦରକାର ?

 

ବହୁ ସମୟ ନିଜେ ନିଜେ ଆଲୋଚନା କରି, ସେ ଏକଥାକୁ ନ କହିବାକୁ ସ୍ଥିର କଲା ।

 

ଚତୁର୍ଥ ଦିନ । ଠିକ୍ ଅପରାହ୍ନ ୩:୩୦ ମିନିଟ୍ । ମେନକାର ଟେଲିଫୋନ୍ ।

 

“ହ୍ୟାଲୋ ।”

 

“ମୁଁ ମେନକା । ତୁମେ ଶୁଣିପାରୁଛ ?”

 

ଏପଟେ-ନୀରବତା ।

 

“ବ୍ୟସ୍ତ ? ...ମୁଁ ଦୁଃଖିତ । ମୁଁ ତୁମକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହେଁ ।”

 

“କଥା କ’ଣ ?” ରାମ ରାଗିବା ସ୍ୱରରେ କହିଲା ।

 

ତାକୁ ଲାଗୁଥୁଲା ଯେପରି ଲାବଣ୍ୟର ଅଜାଣତରେ ମେନକା ସହିତ କଥା ହେବା ତା’ର ଆଦୌ ଉଚିତ ନୁହେଁ ।

 

ଯଦି ତୁମକୁ ମୋ କଥା ଭଲଲାଗୁନି ତେବେ ମୁଁ ଫୋନ୍ ରଖିଦେଉଛି । ମାତ୍ର ଖୁସି ଖବରଟା ମୁଁ ତୁମକୁ ପ୍ରଥମେ ଜଣାଇ ମୋ ଆନନ୍ଦରେ ଭାଗୀଦାର କରିବାକୁ ଚାହେଁ-। ...ମୁଁ ଦୁଃଖିତ-।”

 

ରାମର ତା’ ପ୍ରତି ସହାନୁଭୂତି ଜାଗ୍ରତ ହେଲା । ସେ କଥା କହିବାକୁ ଚାହୁଁଥିଲା ମାତ୍ର ନୀରବ ରହିଲା-

 

“ତୁମେ ଶୁଣିବ ନାଁ ନାହିଁ ?”

 

“............”

 

ଆଜି ସକାଳୁ ହଠାତ୍ ମୋ ପେଟରେ ପିଲାଟି ବୁଲୁଥିବାର ଅନୁଭବ କଲି । ମୁଁ ସତରେ କେତେ ଆନନ୍ଦିତ । ମୋ ଭିତରେ ଆଉ ଗୋଟିଏ ଜୀବନ । ଆନନ୍ଦରେ ଅଧିର ହୋଇ କାନ୍ଦି ପକାଇଲି । ତୁମ ସହିତ ମିଶି ଏ ଆନନ୍ଦଟା ଉପଭୋଗ କରିବାକୁ ଇଚ୍ଛା କରି ଫୋନ୍ କଲି। ଫୋନ୍ କରି ତୁମର କ’ଣ କିଛି କ୍ଷତି କରିଛି ?”

 

ତା’ର କଥାଗୁଡ଼ାକ ରାମର ଶିରାପ୍ରଶିରାକୁ ଭେଦ କରୁଥିଲା ।

 

-ନା; ମୁଁ ତା’ର ଫୋନ କରିବାକୁ ବନ୍ଦ କରିବି - ସେ କିଏ ? ମୁଁ କାହିଁକି ତା’ ସହ କଥାହେବି...ନା...ନା... ।

 

“-ତୁମର ମୋତେ ବାରମ୍ବାର ଫୋନ୍ କରିବା ନିହାତି ଭୁଲ୍ ମିସ୍ ମେନକା । ମୁଁ ଭାବୁଛି ତୁମେ ଏହା ବୁଝିବ ।”

 

ରାମର ସ୍ଵରରେ ଦୃଢ଼ତା ନଥିଲା କେବଳ କାରୁଣ୍ୟ ।

 

“କୌଣସି କାରଣ ନଥାଇ ମୋର କାନ୍ଦିବାକୁ ଇଚ୍ଛା ହେଉଥିଲା । ମୁଁ ଯେପରି ଅନାଥ, ନିଃସହାୟ । ତୁମର ଗାଳିକୁ ମୁଁ ମନରେ ଆଦୌ ଘେନା କରୁନି । ତୁମ ମନରେ ଦୁଃଖ ଦେଇଥିବାରୁ ମୁଁ ଦୁଃଖିତ । ମୋ ଉପରେ ରାଗୁଛକି ମିଷ୍ଟର୍ ରାମ ?” ଛୋଟ ପିଲାଙ୍କ ପରି ଅଳି ଓ ଯୁକ୍ତିର ସମାପ୍ତି ନ ଥିଲା । ରାମ ତାକୁ ବନ୍ଦ କରିପାରୁନଥିଲା ।

 

“ତୁମେ କାହିଁକି ଭାବୁଛ ତୁମେ ଅନାଥ ? ଲାବଣ୍ୟ କ’ଣ ତୁମର ଦେଖାଶୁଣା ଭଲ ଭାବରେ କରିପାରୁନି ? ତାହାହେଲେ ଏତେ ମନ ଦୁଃଖ କାହିଁକି ?”

 

“ଲାବଣ୍ୟ ସବୁ କଥାରେ ସାବଧାନ । କିନ୍ତୁ ମିଷ୍ଟର୍ ରାମ, କହିଲ ଦେଖି, ତୁମେ କ’ଣ କେବେ ଜନଗହଳି ଠାରୁ ଦୂରରେ ରହିଛ; କେବଳ ସାଙ୍ଗରେ ଗୋଟିଏ ବୁଢ଼ୀ ଚାକରାଣୀ । ବାହାରକୁ ଯିବାକୁ ମନା । ତୁମେ ଏକା ରହିବାର ଯନ୍ତ୍ରଣା ଜାଣିବ କେଉଁଠୁ ? ଗୋଟିଏ ଶୂନ୍ୟ ହୃଦୟ ଓ ନିସ୍ଵ ଦମ୍ପତିଙ୍କୁ ଆଲୁଅ ଦେବାପାଇଁ ମୋତେ ନୀରବତାର, ଏକାକୀତ୍ୱର ବନ୍ଦୀଶାଳାକୁ ପିଙ୍ଗି ଦିଆଯାଇଛି । ତୁମେ କ’ଣ ମୋର ଦୂରାବସ୍ଥା ହୃଦୟଙ୍ଗମ କରିପାରୁଛ, ମିଷ୍ଟର୍ ରାମ ?”

 

ସେ ଚାହୁଁଥିଲା ରାମ ତା’ର କାଯ୍ୟକୁ ଅନୁମୋଦନ କରୁ ।

 

ମାତ୍ର ଦେଖୁଥିଲା, କେତେ ମାସ ଧରି ସଂପୂଣ୍ଣ ଭିନ୍ନ, ସବୁବେଳେ ସେ ଅନ୍ୟମନସ୍କ ।

 

କିନ୍ତୁ କାହିଁକି ?

 

କୌଣସି ବ୍ୟବସାୟିକ ଚିନ୍ତା ?

 

ବିଦେଶକୁ ଜିନିଷ ପଠାଇବାରେ କିଛି ଅସୁବିଧା ?

 

ସେ ରାମକୁ ଖାପ୍ ଛଡ଼ା ଏବଂ ଚିନ୍ତାମଗ୍ନ ଦେଖି ଆତଙ୍କିତ ହୋଇପଡ଼ୁଥିଲା ।

 

“ଡାର୍ଲିଂ, କିଛି ଅସୁବିଧା ସୃଷ୍ଟି ହୋଇଛି କି ?” ସେ ବାରମ୍ବାର ତାକୁ ପଚାରୁଥିଲା ।

 

“ନା, କିଛି ନୁହେଁ, ଛାଡ଼ ସେ କଥା ।”

 

-କ’ଣ ସେହି ପିଲାଟି ପାଇଁ ସେ ବ୍ୟସ୍ତ ?

 

ମାତ୍ର ସେ ଭାବିନେଲା ତା’ ସହିତ ଏ ବିଷୟରେ କଥା ନ ହେଲେ ଭଲ । ସେ ନିଜେ ମଧ୍ୟ କାହିଁକି କେଜାଣି ବିବ୍ରତ ଅନୁଭବ କରୁଥିଲା ।

 

କୌଣସିମତେ ଆଠମାସ ଚାଲିଗଲା । ଆଉ କେତେଟା ମାସ । ସମୟ ଯେମିତି ଦ୍ରୁତ ଗତିରେ ଧାଉଁଛି । ପିଲାଟି ଘରକୁ ଆସିଯାଉ, ସବୁ ଠିକ୍ ହୋଇ ଗତାନୁଗତିକ ଭାବେ ଚାଲିବ ।

 

ସନ୍ତାନ ।

 

ରାମର ସନ୍ତାନ ।

 

ନା, ନା, ସେମାନଙ୍କର ସନ୍ତାନ;

 

ତା’ର ଚିନ୍ତା ଫଳବତୀ ହେବାକୁ ଯାଉଛି । ନାନା ସୁଖସ୍ଵପ୍ନ ଭିତରେ ବୁଡ଼ିରହି ସେ ରାମର ପରିବର୍ତ୍ତନକୁ ଗୁରୁତ୍ଵ ଦେଉନଥିଲା । ତା’ର ଅସଂଲଗ୍ନ ବ୍ୟବହାର ଓ ତା’ ଚାଲିଚଳଣ ପ୍ରତି ଦୃଷ୍ଟି ଦେଇପାରୁନଥିଲା ସେ ।

 

ରାମ; ଲାବଣ୍ୟକୁ କେତେ ଭଲପାଏନି; ସେ କେତେ ଦୁଃଖିତ ନହେବ ଯେତେବେଳେ ଜାଣିବ ତା’ର ସନ୍ତାନକୁ ଅନ୍ୟଜଣେ ସ୍ତ୍ରୀ ଲୋକ ତା’ ଗର୍ଭରେ ଧାରଣ କରିଛି । ବୋଧହୁଏ, ସେଥିପାଇଁ ସେ ଚିନ୍ତିତ ।

 

ପିଲାଟିକୁ ଦେଖିସାରିବା ପରେ ସବୁ ଠିକ୍ ହୋଇଯିବ । କିଛିଦିନ ପରେ ସେ ବାସ୍ତବତାକୁ ଗ୍ରହଣ କରିନେବ ।

 

ମାତ୍ର ମେନକା ! ସେ ମଧ୍ୟ କେମିତି କେମିତି ପରିବର୍ତ୍ତିତ ହୋଇଗଲାଣି । କିଛିଦିନ ତଳେ ତା’ର ଥିବା ସରଳ ପ୍ରକୃତି, ତା’ ଯେପରି ବଦଳି ଗଲାଣି ।

 

ଲାବଣ୍ୟକୁ ସେ ଆଉ ମାନୁନି ଏବଂ ନିଜ ଇଚ୍ଛା ମୁତାବନ କାର୍ଯ୍ୟ କରୁଛି । ସେ ବର୍ତ୍ତମାନ ବେଶି ସାହାସିନୀ, ନିର୍ଭୀକ ଓ ଅବାଧ୍ୟ ହୋଇଉଠିଛି ଯେପରି । ତା’ ପୁଣି ଚାରିମାସଠାରୁ, ସେ ବେଶୀ ବେଶୀ ଅବାଧ୍ୟ । ନିଜ ଜନ୍ମସ୍ଥାନକୁ ଯିବାକୁ ଚାହୁଁଛି, କୌଣସି ନା କୌଣସି କାରଣର ଆଳ ଦେଖାଇ । ବାଧ୍ୟହୋଇ ଲାବଣ୍ୟ ତାକୁ ଯିବାକୁ ଅନୁମତି ଦେଉଛି ।

 

ସେଦିନ ମେନକା ଗୋଟେ ଟେଲିଗ୍ରାମ ଦେଖାଇଲା ଲାବଣ୍ୟକୁ; କହିଲା “ମୋ ମା’ ଶକ୍ତ ବେମାର ।”

 

“ଟେଲିଗ୍ରାମ ? ତୋ ପାଇଁ ? ଏ ଠିକଣାରେ ? ସେମାନେ କେମିତି ଜାଣିଲେ ତୁ ଏଠାରେ ଅଛୁ ?” ଲାବଣ୍ୟ ପଚାରିଲା ।

 

“ମୁଁ ମୋ ଘରକୁ ଲେଖିଥିଲି ମୁଁ ବାହାହେଉଛି ଏବଂ ତାଙ୍କୁ ଏଇ ଠିକଣାଟା ଦେଇଥିଲି ।”

 

“ତୁ କାହିଁକି ତୋର ରହିବା ଜାଗା ବତାଇଲୁ ? ତୋତେ ସାବଧାନ କରିଦେଇଥିଲି, କାହାକୁ ଏ ଜାଗା କଥା ନ କହିବା ପାଇଁ ।”

 

“ଜରୁରୀ ପରିସ୍ଥିତି ପାଇଁ । ମୋର ଲୋକମାନେ ଜାଣିବା ଦରକାର । ମୁଁ କେଉଁଠି ରହୁଛି । ଆୟାକୁ ପଚାର, ଏପର୍ଯ୍ୟନ୍ତ କୌଣସି ଚିଠି ଆସିନି । ମୁଁ ନିୟମ କରି କହୁଛି ।”

 

ଲାଞ୍ଚଖୋର ଆୟାଟି ସମ୍ମତିସୂଚକ ମୁଣ୍ଡ ହଲାଇଲା ।

 

ଲାବଣ୍ୟ ଦେଖିଲା ଟେଲିଗ୍ରାମ୍‍ଟି କଲିକତାରୁ ହିଁ ଆସିଛି ।

 

“କଲିକତାରେ ତୋର କ’ଣ କେହି ସମ୍ପର୍କୀୟ ଅଛନ୍ତି ? ଏ ଶାରଦା କିଏ ? ତା’ର ତୋ ସହିତ କ’ଣ ସମ୍ପର୍କ ?”

 

“ସେ ମୋର ଭଉଣୀ । ମୋର ସବୁ ସମ୍ପର୍କୀୟମାନେ କଲିକତାରେ ନାହାନ୍ତି । ମୋ ବାପା ମାଆ ଅଛନ୍ତି । ଭଉଣୀ ନିଶ୍ଚିତଭାବେ ଦିଲ୍ଲୀରୁ ଆସିଛି । ଏଥିରୁ ଜଣାପଡ଼ୁଛି ବାପା ଏପର୍ଯ୍ୟନ୍ତ ମୋ ଉପରେ ରାଗିଛନ୍ତି । ହେ ବାପା, ମା’ ଲୋ ।”

 

ସେ ବଡ଼ପାଟିରେ କାନ୍ଦିବାକୁ ଲାଗିଲା ।

 

ଲାବଣ୍ୟ ପଡ଼ିଲା ମହା ଦ୍ୱନ୍ଦ୍ୱରେ-ମେନକାକୁ କଲିକତା ପଠାଇବ ନା ନାହିଁ ।

 

ଯଦି ମେନକାର ମା’କୁ କିଛି ହୋଇଯାଏ; ତେବେ ଜୀବନସାରା ସେ ଝିଅକୁ ମା’ଠାରୁ ଅଲଗା ରଖିଥିବା ହେତୁ ଅନୁତାପ କରିବ ।

 

ଧମୁ ସହରରେ ନାହିଁ, ବର୍ମାକୁ ଯାଇଛି । ଭାରତ ସରକାର ସୁବାସଚନ୍ଦ୍ର ବୋଷଙ୍କ ଜୀବନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ତା’ ଉପରେ ଦାୟିତ୍ୱ ଦେଇଛନ୍ତି । ତାକୁ ଫେରିବାକୁ ତିନିମାସ ଲାଗିବ ।

 

ଅନ୍ୟ କୌଣସି ଉପାୟ ନ ଦେଖି, ସେ ତା’ ପରଦିନ ମେନକାକୁ ଉଡ଼ାଜାହାଜ ଯୋଗେ କଲିକତା ପଠାଇଲା ଏବଂ ସପ୍ତାହକ ଭିତରେ ଫେରିଆସିବାକୁ ତାଗିଦ୍ କଲା । କଲିକତାର ଠିକଣା ମାଗିବାବେଳେ ମେନକା ତାକୁ ଦେଇଥିଲା ଗୋଟିଏ ପୋଷ୍ଟବକ୍ସ ନମ୍ୱର ।

 

“କିଛି ଠିକ୍ ଆଡ୍ରେସ୍ ନାହିଁ ?”

 

“କଲିକତାରେ ଏସବୁ ସାଧାରଣ କଥା ।”

 

“ମେନକା ! କ’ଣ ମିଛ କହୁଛି ?”

 

ସେ ତାକୁ ଠିକ୍ ଠିକଣା ଦେବାକୁ ପଶ୍ଚାତ୍ପଦ୍ କାହିଁକି ?” ଫୋନ୍ ନମ୍ୱର ଅଛି କି ?”

 

“କୌଣସି ଫୋନ୍ ସେଠାରେ ନାହିଁ । ଆଦୌ ବ୍ୟସ୍ତ ହୁଅନା । ଗତ ଛ’ମାସ ଧରି ତୁମ ସନ୍ତାନକୁ ମୁଁ ମୋ ପେଟରେ ଧରିଛି । ମଝିରେ ଛାଡ଼ି କ’ଣ ଚାଲିଯିବ । ମୁଁ ମୋର ପ୍ରତିଜ୍ଞା ରକ୍ଷା କରିବି ନିଶ୍ଚୟ । ମୁଁ ପହଞ୍ଚିବା ମାତ୍ରେ ଟେଲିଗ୍ରାମ କରିବି । ଚିଠି ପଠାଇବି । ଯଦି ସମ୍ଭବ ହୁଏ; ତେବେ ଫୋନ୍ ମଧ୍ୟ କରିବି । ଆଉ ଅଧିକ କ’ଣ ?”

 

ମେନକା କଲିକତା ଯିବାର ଦିନକ ପୂର୍ବରୁ ରାମ ଲାବଣ୍ୟକୁ କହିଲା ଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ବିଭାଗରେ ତା’ର କେତେକ ଜରୁରୀ କାର୍ଯ୍ୟ ଅଛି ମାତ୍ର ଦିଲ୍ଲୀରେ ପହଞ୍ଚି ତାକୁ ଫୋନ୍ କଲା,”ମୁଁ ନେପାଳକୁ ହଠାତ୍ ଚାଲିଯାଉଛି । ଆସିବାକୁ ଚାରିଦିନ ଲାଗିପାରେ ।” ମାତ୍ର ସେ ଜାଣିନଥିଲା ରାମ କଲିକତାରେ ପହଞ୍ଚି ମେନକା ପହଞ୍ଚିବା ମାତ୍ରେ ତାକୁ ନେଇ ଦାର୍ଜିଲିଂ ଯିବ ।

 

ଏହା ଭିତରେ ଲାବଣ୍ୟ ତା’ ଅଫିସ୍‍ରୁ ପାଇଲା ଗୋଟେ ଖବର ।

 

“ମ୍ୟାନେଜିଂ ଡାଇରେକ୍ଟର କେବେ ଫେରୁଛନ୍ତି ? ଦିଲ୍ଲୀ ଅଫିସ୍ କହିଲା ସେ କଲିକତା ଚାଲିଯାଇଛନ୍ତି । ଆମେ ତାଙ୍କୁ କେଉଁଠିକି ଯୋଗାଯୋଗ କରିବୁ ?”

 

“କଲିକତା ? ନା, ସେ ମୋତେ କହିଛନ୍ତି ନେପାଳ ଯାଉଛନ୍ତି ବୋଲି ।”

 

“ମ୍ୟାଡ଼ାମ୍, ଆମେ ଦୁଃଖିତ । ସେ ଆମକୁ କହିଥିଲେ, ନେପାଳ ଯାଇପାରନ୍ତି । ବୋଧହୁଏ ଦିଲ୍ଲୀ ଭୁଲ୍ ଖବର ଦେଇଛି ।” ସେକ୍ରେଟାରୀ କହିଲେ ।

 

ମେନକାର କୌଣସି ଖବର ନ ଥିଲା । ଲାବଣ୍ୟ ରାଗରେ ଫାଟି ପଡ଼ୁଥିଲେ ବି ତା’ର କିଛି କରିବାର ନ ଥିଲା ।

 

ସେ କ’ଣ ବା କରିପାରିବ ।

 

ଲେଟର୍ ବାକ୍ସ ନମ୍ବର ନେଇ ସେ ତାକୁ ଏବେ କେମିତି ଖୋଜିବ ।

 

ଆଠଦିନ ପରେ ମେନକା ଆସି ପହଞ୍ଚିଲା କାନ୍ଦି କାନ୍ଦି । “ମା’ ମରିଗଲା, ଏଥିରେ କେମିତି ଚିଠି ଲେଖିଥାନ୍ତି ।”

 

“ତୋ ଲୋକମାନେ କ’ଣ ତୋର ଗର୍ଭାବସ୍ଥା ନେଇ କିଛି ପ୍ରଶ୍ନକଲେ ?”

 

ମେନକା ମନା କରିଦେଲା କୌଣସି ଉତ୍ତର ଦେବାକୁ । “ତୁମେ ମୋତେ ତୁମ ପରିବାର ବିଷୟରେ କୌଣସି କଥା କହିନା । ମାତ୍ର ମୋ ପରିବାର ବିଷୟରେ ଅପର୍ଯ୍ୟାପ୍ତ ପ୍ରଶ୍ନ ପଚାରିଚାଲିଛ । ମୁଁ କାହିଁକି ଉତ୍ତର ଦେବି ?”

 

ଲାବଣ୍ୟ ତା’ କଥାରେ ତଟସ୍ଥ ହୋଇଗଲା ।

 

ମେନକା ଆସ୍ତେ ଆସ୍ତେ ଅବାଧ୍ୟ ହୋଇପଡ଼ୁଛି । ସେ ମୁହେଁ ମୁହେଁ ଜବାବ୍ ଦେବାକୁ ଆରମ୍ଭ କରିଦେଇଛି । ଏସବୁ କ’ଣ ? କ’ଣ ଘଟିଚାଲିଛି ? ସାତମାସ ବେଳକୁ, ପୁଣି ଏକ ଟେଲିଗ୍ରାମ ।

 

“ମା’ର ଶୁଦ୍ଧିକ୍ରିୟା ଚାରି ତାରିଖ ଦିନ ହେବ । ଶୀଘ୍ର ଚାରିଦିନ ଏଠାରେ ରହିବାର ଯୋଜନା କରି ଆସି ପହଞ୍ଚ । ଶାରଦା ।”

 

ଏଥରକ ମେନକା ଦିଲ୍ଲୀ ଯିବାକୁ ଇଛାକଲା ।

 

“ମା’ ଦୁଇମାସ ହେଲା ମଲାଣି । ତୁମର ଲୋକମାନେ ବର୍ତ୍ତମାନ ଶୁଦ୍ଧିକ୍ରିୟା କରୁଛନ୍ତି ? ମୁଁ ଆଦୌ ବିଶ୍ୱାସ କରିପାରୁନି ।” ଲାବଣ୍ୟ କହିଲା ।

 

“ଆମ ସମ୍ପ୍ରଦାୟରେ ତାହା ହିଁ ପରମ୍ପରା ।”

 

“ତୁମର କେଉଁ ସମ୍ପ୍ରଦାୟ ।”

 

“ତୁମର ସେ ସବୁ ଜାଣିବାରେ କ’ଣ ଦରକାର ? ମୁଁ ନିଶ୍ଚିତ ଯିବି । ବାସ୍, ସେତିକି । ମୋର ମା’ର ଶେଷକୃତ୍ୟ ପାଇଁ ମୁଁ ନିଶ୍ଚିତ ଯିବି ।”

 

ଲାବଣ୍ୟ ନିଜକୁ ସଂଯତ କରିଦେଲା ।

 

ମାତ୍ର ଚାରିଦିନ । ଯାଉ ଏବେ ।

 

ଆଠ ମାସ ଆରମ୍ଭ ହେବାମାତ୍ରେ, ମେନକା ଆଉ କୁଆଡ଼େ ଯାଇପାରିବନି । ସେ ଅନ୍ୟକୌଣସି ଯୋଜନା ଯିବାପାଇଁ କରିପାରିବନି ।

 

ଲାବଣ୍ୟର ଚକ୍ଷୁ ଅନ୍ତରାଳରେ ରାମ ଲୁଚି ଲୁଚି ଦେଖାସାକ୍ଷାତ କରେ ମେନକାକୁ । ଅତ୍ୟନ୍ତ ଚତୁରତା ସହ ମେନକା ସହିତ ଦ୍ରାର୍ଜିଲିଂ ଓ ଦିଲ୍ଲୀ ଯାଏ । ବିଚାରୀ ଲାବଣ୍ୟ, ତା’ର ଚତୁରତା ବୁଝନ୍ତା କେତେକ । ସେମାନେ ତାକୁ ଠକି ପାର୍ବତ୍ୟ ଅଞ୍ଚଳରେ ସମୟ କଟାଉଛନ୍ତି, ଏହା ତା’ର କଳ୍ପନା ବାହାରେ ।

 

ପିଲାର ଦାୟିତ୍ଵ କେମିତି ନେବାକୁ ହେବ, ତାକୁ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇ ବଢ଼ାଇବାକୁ ହେବ, ସେଥିପାଇଁ ସେ ଚିନ୍ତିତ । ସେ ପିଲାଙ୍କ ସମ୍ପର୍କିତ ବହି ପଢ଼ିବାରେ ସମୟ କଟାଏ । ପିଲାଟିକୁ କେମିତି ପାଳିବ, ଯାହାର ଛନଛନିଆ ମୁହଁ ଦେଖିବାକୁ ତା’ର ଏତେ ଚେଷ୍ଟା !

 

ରାମ ମେନକା ସେହି ଦିନଗୁଡ଼ିକରେ ସ୍ୱାମୀ ସ୍ତ୍ରୀ ପରି ପରସ୍ପରର ନିକଟ ହୁଅନ୍ତି । ଶରୀରରେ ଶରୀର ମିଶେ । ହୃଦୟ ଦିଆନିଆ ହୁଏ ।

 

“ଆଉ ପନ୍ଦର ଦିନ ପରେ ପିଲାଟି ଆମର ହେବ ।” ଡାକ୍ତର କହନ୍ତି ମେନକାକୁ ପରୀକ୍ଷା କରି ।

 

ସେଦିନ ଅପରାହ୍ନରେ ଡାକ୍ତରଙ୍କଠାରୁ ଲାବଣ୍ୟ ପାଏ ଟେଲିଫୋନ ।

 

“କୌଣସି ଅସୁବିଧା ?” ନିହାତି ସରଳ ଓ ସହଜ ଭାବରେ ପଚାରେ ଲାବଣ୍ୟ ।

 

“ନା, ଲାଭି । ମେନକା ଠିକ୍ ଅଛି । ଖୁବ୍ ସୁରୁଖୁରୁରେ ପ୍ରସବ ହେବ । କିନ୍ତୁ...”

 

“କ’ଣ ଡାକ୍ତର ?”

 

“ତୁମେ ମୋତେ କହିଥିଲ ମେନକା କେବଳ ଚାକରାଣୀଟି ସହିତ ରହୁଛି ?

 

ଗୋଟିଏ ବୃଦ୍ଧା ସ୍ତ୍ରୀ ଲୋକ ?”

 

“ହଁ, ଡାକ୍ତର ।”

 

“କିନ୍ତୁ, ତୁମେ କ’ଣ ନିଶ୍ଚିତ ଯେ ପାଖଆଖରେ ଅନ୍ୟ କୌଣସି ପୁରୁଷ ଲୋକ ନାହିଁ ?”

 

ଡାକ୍ତରଙ୍କ ପ୍ରଶ୍ନ ଶୁଣି ଲାବଣ୍ୟ ଚମକିପଡ଼ିଲା ।

“କ’ଣ କହୁଛନ୍ତି, ଏଭଳି ପ୍ରଶ୍ନ ପଚାରିବାର ଅର୍ଥ କ’ଣ ?”

“ଲାଭି, ଏହାକୁ ସହଜ ଭାବରେ ଗ୍ରହଣ କର । ମେନକାକୁ ପରୀକ୍ଷା କରି ଦେଖିଲି, ତା’ର କୌଣସି ପୁରୁଷ ସହିତ ଶାରିରୀକ ସଂପର୍କ ହୋଇଛି । ଆଗରୁ ଏଭଳି ମୋର ଦୁଇଥର ସନ୍ଦେହ ହୋଇଥିଲା । ତୁମେ କହିଥିଲ, ସେ ଏକା ବୁଢ଼ୀ ଚାକରାଣୀଟିଏ ସହିତ ରହୁଛି । ତେଣୁ ସେ କଥା ମୁଁ ଭୁଲିଯାଇଥିଲି । ମୋର ହୁଏତ ସେତେବେଳେ ଭୁଲ୍ ହୋଇଥାଇପାରେ; ମାତ୍ର ବର୍ତ୍ତମାନ ମୋର ସନ୍ଦେହ ସମ୍ପୂର୍ଣ୍ଣ ସତ୍ୟ । ତେବେ ଆଦୌ ବ୍ୟସ୍ତ ହୁଅନା । ମୋର ଦାୟିତ୍ଵ ଥିଲା ତୋତେ ଜଣାଇଦେବା । ଏହାକୁ ଭୁଲିଯାଅ ।”

ଲାବଣ୍ୟ କିଛି ଭାବି ନ ପାରି ଥରିବାକୁ ଆରମ୍ଭ କରିଦେଇଥିଲା ।

ଏହା କ’ଣ ପ୍ରକୃତରେ ସତ୍ୟ !

ମାତ୍ର କେମିତି ।

ସେଦିନ ଅପରାହ୍ନରେ ଲାବଣ୍ୟ ଚାକରାଣୀକୁ ନେଇ ପରିବା କିଣିବାକୁ ବଜାରକୁ ଗଲା-। ତାକୁ ବାରମ୍ଵାର ମେନକା ପାଖକୁ କେହି ଆସୁଛି କି ବୋଲି ପ୍ରଶ୍ନ ସେ ପଚାରିଥିଲା-। ଚାକରାଣୀଟି ମନା କରିଥିଲା । ଚାକରାଣୀ ମିଛ କହିଲା । ଡାକ୍ତରାଣୀଙ୍କ କଥା ମିଛ ହୋଇନପାରେ-! ଏହା ନିଶ୍ଚିତ ।

ବିବ୍ରତରେ ମୁଣ୍ଡ ଘୁରାଇଗଲା ଲାବଣ୍ୟର । କିଏ ସେହି ପୁରୁଷ ନିଶ୍ଚିତ ରୂପେ କେହି ଜଣେ ଆସୁଛି ।

ତେବେ ମେନକା କ’ଣ ପୁରୁଷ ସାନିଧ୍ୟ ବିନା ବର୍ଷେ ଗୋଟେ ରହିପାରିଲାନି ?

ବୁଢ଼ୀ ଚାକରାଣୀଟିକୁ କ’ଣ ଲାଞ୍ଚ ଦିଆଯାଇଛି ?

ଓଃ, କେତେ ଭୟାନକ ଲୋକ ଏମାନେ । ନର୍କରେ ପଡ଼ନ୍ତୁ ଏମାନେ ।

ଲାବଣ୍ୟ ତକିଆରେ ମୁହଁ ଗୁଞ୍ଜି ଅସ୍ଥିର ମନରେ ସବୁକଥା କଳ୍ପନା କରିଥିଲା । ଚାକରାଣୀଟି ମେନକାକୁ ସବୁ କଥା କହିଦେଇଥାଏ ଏହା ଭିତରେ । ମେନକା ଟେଲିଫୋନରେ ରାମକୁ କୁହେ, “ଘଟଣା ହୁଏତ ପ୍ରଘଟ ହୋଇଯାଇପାରେ । ତୁମକୁ ଚଞ୍ଚଳ ଏ ବିଷୟରେ କିଛି ସିଦ୍ଧାନ୍ତ ନେବାକୁ ହେବ ।”

ସପ୍ତାହେ ଗତ ହୋଇଯାଏ । ଲାବଣ୍ୟ ମାତ୍ର ଥରୁଟିଏ ଭେଟିଥାଏ ମେନକାକୁ । ତା’ର ଦେହ କଥା ପଚାରେ, ଫୋନ୍‍ର ଚାବିକାଠି ଦେଇ କହେ, “ତୋର ଯେତେବେଳେ ଯନ୍ତ୍ରଣା ହେବ, ମୋତେ ଫୋନ୍ କରି କହିବୁ ।”

ତା’ର କିଛି ଦିନ ପରେ ।

ଲାବଣ୍ୟ ଭାବେ ତା’ର ଯନ୍ତ୍ରଣାର ଦିନଗୁଡ଼ିକ ସରିଆସିଲା । କେଡ଼େ କଠିନ ପରିଶ୍ରମରେ ବର୍ଷଟିଏ ସେ କଟାଇ ନାହିଁ !

 

ସେଦିନ ସନ୍ଧ୍ୟାରେ ଧମୁ ଫେରିଆସିଥାଏ ବର୍ମାରୁ । ସେ ତାକୁ ଫୋନ୍ କରି ପଚାରେ, “କେମିତି ଚାଲିଛି ସବୁ; ନିର୍ଦ୍ଦିଷ୍ଟ ତାରିଖ କେବେ ?”

 

ତା’ର ସ୍ଵର ଶୁଣି ଲାବଣ୍ୟ ପିଣ୍ଡରେ ପ୍ରାଣ ପଶେ । “ମୁଁ ତୋତେ ବହୁତ ମନେପକାଉଥିଲି । ତୁ ଚଞ୍ଚଳ ଏଠିକି ଆସ୍ ।”

 

“ଠିକ୍ ଅଛି । ମୁଁ ଯାଇ ଅଧଘଣ୍ଟାଏ ଭିତରେ ପହଞ୍ଚୁଛି ।”

 

ଧମୁ ଆସି ପହଞ୍ଚେ । ସେଯାଏଁ ରାମ ଅଫିସ୍‍ରୁ ଫେରିନଥାଏ । ସେମାନେ ପଢ଼ିବା ବଖରାରେ ବସିଲେ ।

 

ଲାବଣ୍ୟ ଗୋଟି ଗୋଟି କହିଯାଏ ସବୁକଥା । ମେନକାର ଦୁଇଥର ଅନ୍ୟ ସହରକୁ ଯିବା, ତା’ର ବିଶୃଙ୍ଖଳ ଆଚରଣ ଏବଂ ପରିଶେଷରେ ଡାକ୍ତରଙ୍କ ସନ୍ଦେହ ।

 

ଧମୁ ମନକୁ ମନ ହ୍ଵିସିଲ ମାରି କହିଲା, “ଯଦି ଆମେ ମେନକାର ଅତୀତ ଜୀବନକୁ ଦେଖିବା, ତା’ର ପାରିପାର୍ଶ୍ଵିକ ପରିବେଶକୁ ଆଲୋଚନା କରିବା, ତା’ର ସାମାଜିକ ସ୍ଥିତିକୁ ଲକ୍ଷ୍ୟଦେବା, ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ । ମୁଁ ଭାବିଥିଲି ସେ ବୋଧହୁଏ ଟିକିଏ ଭିନ୍ନ । ମାତ୍ର ଗୋଷ୍ଠୀର ପ୍ରଭାବରୁ କେହି ମୁକ୍ତନୁହେଁ । ଆଉ ମାତ୍ର ଅଳ୍ପଦିନ । ତାକୁ ଟଙ୍କା ପଇସା ଦେଇ ବିଦା କରିଦେଲେ ଗଲା । ତା’ପରେ, ଏ ଘଟଣାଗୁଡ଼ାକ ସବୁ ସ୍ୱପ୍ନପରି ଲାଗିବ । ସବୁ ଭୁଲିଯାଅ, ତା’ର ଅବାଧ୍ୟତା, ଚାକରାଣୀକୁ ଲାଞ୍ଚଦେଇ ବଶକରିବା ଇତ୍ୟାଦି, କଥାକୁ ଆଉ ଜୋରଦେଇ ଭାବିବା ଦରକାର ନାହିଁ ।

 

ଲାବଣ୍ୟ ମନରେ ଦମ୍ଭ ଦେଖାଗଲା । ଆଉ ମାତ୍ର ସପ୍ତାହଟେ... ।

 

ବିବ୍ରତ ହେବାର କୌଣସି କାରଣ ନାହିଁ ।

 

“ଟଙ୍କା ତାକୁ ଦେବାକୁ ପ୍ରସ୍ତୁତ କରିଛୁ ତ ? ଚେକ୍ ଆକାରରେ ନୁହେଁ ।”

 

“ସବୁ ଠିକ୍ ଅଛି । ସେ ଲୁଗାପଟା ନେଇଯାଉ । ପିଲା ଜନ୍ମହେଲା ମାତ୍ରେ ବୋତଲ କ୍ଷୀର ଖାଇ ବଞ୍ଚିବ। ନଅଦିନ ପରେ ଆମେ ପିଲାକୁ ଘରକୁ ଆଣିବା । ମାତ୍ର ମୋତେ ବଡ଼ ଭୟ ଲାଗୁଛି । ମୁଁ ଜାଣେନି କାହିଁକି ? ସବୁ କ’ଣ ଠିକ୍ ଠିକ୍ ହେବ ? ମୁଁ ଏ ବିଷୟରେ ରାମ ସହିତ କଥା ହେବାକୁ ଇଚ୍ଛାକରୁଛି ମାତ୍ର ସେ ଯେପରି ମୋଠାରୁ କ୍ରମଶଃ ଦୂରେଇ ଯାଉଛି । ମୁଁ ନିହାତି ଏକୁଟିଆ ଅନୁଭବ କରୁଛି । ଧମୁ, ତୁମେ ମୋତେ କୁହ, ସବୁ କ’ଣ ଠିକ୍‍ଠିକ୍ ହେବ ?”

 

ଧୈର୍ଯ୍ୟଚ୍ୟୁତ ହୋଇ ସେ କାନ୍ଦିବାକୁ ଲାଗିଲା ।

 

ଲାବଣ୍ୟର ଏ ନୂତନ ଦୁର୍ବଳତା ଦେଖି ଆଶ୍ଚର୍ଯ୍ୟ ହେଉଥିଲା ଧମୁ ।

 

ଲାଭି ! ଅତିମାତ୍ରାରେ ଭାବପ୍ରବଣ ହୋଇ ମନର ଭାରସାମ୍ୟ ତୁ ହରାଇଛୁ । ତୋତେ ପ୍ରଥମ କରି ମୁଁ ଏପରି ଦେଖୁଛି । ବର୍ଷଟାଯାଏ ସବୁ ଠିକ୍‍ଠାକ୍ ଗଲା । ଆଉ କେତେଦିନ । ନିଜକୁ ସଂଯତ କର । ଚାଲ, ଯାଇ ଦେଖିଆସିବା ।

 

“ବର୍ତ୍ତମାନ ?”

 

ସାଧାରଣତଃ ରାମ ଫେରିବାବେଳେ ଲାବଣ୍ୟ ଘରେଥାଏ । ମାତ୍ର ସେଦିନ ଧମୁ ସହିତ ସେ ତା’ କାରରେ ବାହାରିଗଲା !

 

ଆଡ଼ାୟାର ଦେଇ ଯିବାବେଳେ ରାମର ‘ଟୋୟୋଟା’ ଅନ୍ୟଦିଗରୁ ଆସୁଥିବା ସେମାନେ ଦେଖିଲେ । ରାମ ? ଏ ସମୟରେ ? ଏଠାରେ ?

 

ଗାଡ଼ିର ଗତି ବନ୍ଦ କଲା ରାମ । ସେ ଯେପରି ଉତ୍ତେଜିତ ହୋଇପଡ଼ୁଥିବାର ଦେଖାଗଲା ।

 

“ହ୍ୟାଲୋ ଧମୁ ! କେବେ ଫେରିଲୁ ?”

 

ଧମୁ ଲାବଣ୍ୟକୁ ଚାହିଁଲା ।

 

“ରାମ ! ଏଆଡ଼େ କିପରି ?” ଲାବଣ୍ୟ ପଚାରିଲା ।

 

କାରଖାନା ପାଇଁ ଏଠାରେ ପଚାଶ ଏକର ଜମି ମିଳୁଛି । ମହାବଳୀପୁରମ୍ ରାସ୍ତାରେ । ଦେଖିବାକୁ ଆସିଥିଲି । ପସନ୍ଦ ହେଲାନି ।

 

ଧମୁ ବୁଝିପାରିଲା ରାମ ମିଛ କହୁଛି । ତା’ ନିକଟରେ ଏପରି ଛୋଟ ଛୋଟ କାମ କରିବାକୁ ବହୁ ଲୋକ ଅଛନ୍ତି । ସେ କୋଟି କୋଟି ଟଙ୍କା କାରବାରର ମ୍ୟାନେଜିଂ ଡାଇରେକ୍ଟର । ଏଭଳି ଛୋଟ କାମ ପାଇଁ ସେ କାହିଁକି ଆସିବ ।

 

“ମୋତେ ଅଫିସ୍ ଯିବାକୁ ହେବ । ପରେ ଦେଖା । ବାୟ୍ ଲାଭି !”

 

ଏହା କହି ରାମ ଗାଡ଼ି ଷ୍ଟାର୍ଟ କରି ଚାଲିଗଲା ।

 

“ଖୁସିର କଥା ଆମେ କାହିଁକି ଏଆଡ଼େ ଆସିଛେ ରାମ ପଚାରିନି । ଯଦି ସେ ପଚାରିଥାନ୍ତା, କି ଉତ୍ତର ଦେଇଥାନ୍ତେ ! ଭାଗ୍ୟକୁ ରକ୍ଷା ମିଳିଗଲା ।”

 

ଲାଭିର ଏପ୍ରକାର ସରଳ ସ୍ୱଭାବ ଦେଖି ମନେ ମନେ ହସିଲା ଧମୁ । ସେ ଆଶଙ୍କା କଲା ଯେପରି କିଛି ଅପ୍ରତ୍ୟାଶିତ ଘଟଣା ଘଟିବାକୁ ଯାଉଛି ।

 

‘ସେଦିନ ସନ୍ଧ୍ୟାବେଳ । ହଠାତ୍ ଚାକରାଣୀର ଫୋନ୍ । ମେନକା ଗର୍ଭଯନ୍ତ୍ରଣାରେ ଅଥୟ ।

 

ଲାବଣ୍ୟ ତତ୍‍କ୍ଷଣାତ ଡାକ୍ତରଙ୍କୁ ଫୋନ୍ କଲା । ଧମୁକୁ ଚେଷ୍ଟା କରି ଫୋନରେ ପାଇଲାନି ।

 

ନିଜର ଗାଡ଼ି ନେଇ ପହଞ୍ଚିଲା କଳାକ୍ଷେତ୍ର କଲୋନୀରେ ।

 

ମେନକା ଓ ଚାକରାଣୀ ପ୍ରସ୍ତୁତ ଥିଲେ ।

 

ତାକୁ ଡାକ୍ତରଖାନାକୁ ନିଆଗଲା । ଡାକ୍ତର କହିଲେ ପ୍ରକୃତ ଗର୍ଭଯନ୍ତ୍ରଣା ହେବାକୁ କିଛି ସମୟ ଦରକାର ।

 

ଲାଭି ଅସ୍ଥିର... ସେ ବାରଣ୍ଡାର ଏପାଖ ସେପାଖ ଚାଲିବାକୁ ଲାଗିଲା ।

 

ପ୍ରସବ କ’ଣ ଠିକ୍ ଭାବରେ ହେବ ?

 

ପୁଅ ନା ଝିଅ ?

 

ସେ କ’ଣ ରାମ ନା ମେନକା ପରି ହେବ ?

 

ଯଦି ପୁଅ ହୁଏ, ତେବେ ବାପ ପରି କେତେ ଆଶ୍ଚର୍ଯ୍ୟଜନକ ନ ହେବ ସତେ ।

 

“ମୋ ଜ୍ଵାଇଁ ଗୋଟେ ସିଂହ । ମୋର ଅତି କମରେ ଛଅଟା ନାତି ନାତୁଣୀ ଦରକାର । ସବୁଗୁଡ଼ାକ ସିଂହଛୁଆ । ତାପରି ସବୁଗୁଡ଼ାକ ସୁନ୍ଦର ଓ ସୁଠାମ ।” ବାପା ଏକଥା କହୁଥିଲେ । ଲାବଣ୍ୟ ତାଙ୍କ କଥା ମନେରଖିଛି ।

 

ଠିକ୍ ଅଛି । ରାମ ଭଳି ହେଲେ ହେଲା ।

 

ଠିକ୍ ରାମ ପରି । ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ।

 

ଲାଭି ଅସଂଖ୍ୟ ଚିନ୍ତା ନେଇ ଏ ମୁଣ୍ଡରୁ ସେ ମୁଣ୍ଡକୁ ହେଉଥିବା ବେଳେ ହଠାତ୍ ତା’ର ଗତି ସ୍ଥିର ହୋଇଯାଏ ।

 

ସେ ଦେଖେ କିଛି ଦୂରରେ ରାମ ତା’ର ଟୋୟୋଟାକୁ ଆଣି ପାର୍କିଂ କଲା ।

 

ରାମ ?

 

ସେ ଏଠାରେ କିପରି ? ସବୁ ଜାଗା ଛାଡ଼ି ଏଠି !

 

“ସେ କିପରି ଅଛି ଲାଭି !” ଉତ୍ତେଜିତ ସ୍ୱରରେ ପଚାରେ ରାମ ।

 

“ସେ ? କାହା କଥା ପଚାରୁଛି ? ମେନକା ? ମେନକା ?”

 

ରାମ ଚାକରାଣୀକୁ ଦୁଆର ମୁହଁରେ ଦେଖେ । ଧାଇଁଯାଏ ତା’ ନିକଟକୁ ସେ । ଲାଭି ତା’ ପଛେ ପଛେ ।

 

ମେନକା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତା’ ମନ ଦବିଯାଏ ।

 

“ରାମ ! ତୁମେ ଆସିଛ ! ଯନ୍ତ୍ରଣା ସହ୍ୟ କରିହେଉନି ।” ଲୁହଧାର ବହିଚାଲେ ମେନକା ଆଖିରୁ ।

 

ରାମ କୋଳକରି ପକାଏ ମେନକାକୁ । ଲାବଣ୍ୟ ଚାହିଁଥାଏ ଅପଲକ ନୟନରେ । କ’ଣ ସବୁ ସେ ଦେଖୁଛି !

 

“କାନ୍ଦନା, ଡେରି ପାଇଁ ମୁଁ ଦୁଃଖିତ । ସବୁ ଠିକ୍ ହୋଇଯିବ ।”

 

ଲାବଣ୍ୟ ପାଟିରୁ ବାକ୍ୟ ସ୍ଫୁରୁନଥାଏ ।

 

ସେ ତା’ ଆଖିକୁ ବିଶ୍ୱାସ କରିପାରେନା ।

 

ଅତୀତର ସେହି ଘଟଣାବଳୀ-ଡାକ୍ତରଙ୍କ ସନ୍ଦେହ, ଚାକରାଣୀର ମିଛ କହିବା, ଆଡ଼େୟାର ପାଖରେ ରାମକୁ ଦେଖିବା, ଅତ୍ୟନ୍ତ ସାହସର ସହିତ ମେନକାର କଥାବାର୍ତ୍ତା, ତା’ ଆଦେଶକୁ ଅମାନ୍ୟ କରିବା, କଲିକତା ଓ ଦିଲ୍ଲୀ ଯିବା, ସେ ସମୟରେ ରାମର ଅନୁପସ୍ଥିତି, ଦିଲ୍ଲୀରୁ ଟେଲିଫୋନ୍, ରାତିରେ ସବୁଦିନେ ବିଭିନ୍ନପାର୍ଟିକୁ ଯାଇ ରାମ ଡେରିରେ ଫେରିବା ଇତ୍ୟାଦି...ଇତ୍ୟାଦି...

 

ହଠାତ୍ ତା’ ଆଖିରେ ସବୁ ସତଗୁଡ଼ାକ ଯେପରି ବିଛାଡ଼ି ହୋଇପଡ଼ିଗଲା । ନିର୍ବାକ ଓ ନିସ୍ପନ୍ଦ ସେ, ବାକ୍‍ଶୂନ୍ୟ ଭାବରେ କେବଳ ଛିଡ଼ା ହୋଇଥିଲା ।

 

“ଲାବଣ୍ୟକୁ ଦୟାକରି ସତକଥା କୁହ । ମୁଁ ଶାନ୍ତିରେ ଅପରେସନ୍ ଥିଏଟର ଭିତରକୁ ଯାଇପାରିବି । ରାମ, ତୁମେ ତାଙ୍କୁ ତୁମର ସିଦ୍ଧାନ୍ତ ଜଣାଇ ଦିଅ । ଆଦୌ ଡରନି । କୁହ, କୁହନା ।” ମେନକା ତା’ର ହାତଧରି ଯେପରି ଭିକ ମାଗୁଥିଲା ।

 

ରାମର ଲାବଣ୍ୟ ମୁହଁକୁ ଚାହିଁବାର ସତ୍‍ସାହସ ନ ଥିଲା ।

 

“ଦୟାକରି ତାଙ୍କୁ କୁହ ।” ପୁଣି ଅନୁରୋଧ କଲା ମେନକା ।

 

“ଲାଭି, ତୁମେ ସବୁକିଛି ଜାଣିପାରିବଣି । ତୁମେ ବୁଦ୍ଧିମତୀ । ପିଲା ଜନ୍ମହେବା ପରେ ମେନକାକୁ ଦୂରକୁ ପଠାଇବାନି । ସେ ମଧ୍ୟ ଆମ ସହିତ ରହୁ । ମୋତେ ଦୟାକର, ପ୍ଲିଜ୍ ! ମୋତେ ବୁଝିବାକୁ ଚେଷ୍ଟାକର ।”

 

ସେ ଅତ୍ୟନ୍ତ ନମ୍ର ଓ କାକୁତି ମିନତି ସ୍ଵରରେ ମେନକାକୁ ଚାହିଁ ସବୁକଥା କହୁଥିଲା; ନିଜ ସ୍ତ୍ରୀକୁ ଚାହିଁବାକୁ ତାକୁ ଭୟ ଲାଗୁଥିଲା ଯେପରି ।

 

ଲାବଣ୍ୟ ଏ ଆଘାତରେ ସ୍ଥାଣୁ ପାଲଟି ଯାଇଥିଲା । ରାମ ମେନକା କୋଳରେ ନିଜକୁ ଲୁଚାଇ ଦେଇଥିଲା ।

 

ଆଉ ମୁହୂର୍ତ୍ତେ ମାତ୍ର ସେଠାରେ ଛିଡ଼ାହେବାର ଧୈର୍ଯ୍ୟ ନରଖି, ଲାବଣ୍ୟ ଏକା ନିଃଶ୍ଵାସରେ ସେଠାରୁ ଆସି ପହଞ୍ଚିଲା ତା’ କାର୍ ପାଖରେ । ଚାବିଟାକୁ ଗେଞ୍ଜିଦେଇ, ଆକ୍ସିଲେଟରକୁ ଜୋରରେ ଦାବିଦେବାଦ୍ୱାରା ଗାଡ଼ିଟା ଘୁଁ ଘୁଁ ହୋଇ ଜୋର୍‍ରେ ଚାଲିବାକୁ ଆରମ୍ଭ କରିଦେଲା ।

 

ରାମର ସେହି ପୁରୁଣା କଥାଗୁଡ଼ାକ, ‘‘ତୁ ମୋ ନିକଟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ, ଏ ସଂସାରରେ ସବୁଠାରୁ ପ୍ରିୟ,” ତା’ କାନରେ ଗୁଞ୍ଜରିତ ହୋଇଉଠୁଥିଲା ।

 

ସେ ସେଦିନ କ’ଣ ନ କହିଥିଲା- ଯେଉଁଦିନ ଲାବଣ୍ୟ ତାକୁ ଛାଡ଼ପତ୍ର ଦେଇ ବିବାହ କରିବାପାଇଁ ଭିକ୍ଷା ମାଗିଥିଲା ?

 

“ସନ୍ତାନକୁ ଗୋଲିମାର, ମୋର ଦର୍କାର ତୁ, ପୁଅ ନୁହେଁ,” ସେ ସେଇଆ କହିଥିଲାଟି ?

 

ସେ କହିଥିଲା, “ନା, କୌଣସି ସନ୍ତାନ ତୋ ଠାରୁ ମୋ ପାଇଁ ମୂଲ୍ୟବାନ ନୁହେଁ, ଲାଭି” ଏହା କ’ଣ ସେ କହିନଥିଲା ?

 

ଏ କ’ଣ ସେହି ରାମ ଯେ ଏହିକଥା କହିଥିଲା ?

 

କେମିତି ?

 

“ସେ ଆମ ସହିତ ରହୁ.... ।”

 

“କିପରି ଭାବରେ ? ରାମର ରକ୍ଷିତା ଭାବେ ନା ଦ୍ଵିତୀୟା ପତ୍ନୀଭାବେ ?”

 

ତା’ ପରିବର୍ତ୍ତେ ରାମ କହିପାରିଥାନ୍ତା, “ମୁଁ ଏଇ ଝିଅଟିକୁ ଭଲପାଏ । ମୁଁ ତାକୁ ବାହାହେବାକୁ ଇଚ୍ଛାକରେ ।” -ଜଣେ ଗୁଣୀ ଓ ବ୍ୟକ୍ତିତ୍ୱ ଥିବା ଲୋକ ଏହାହିଁ କହିଥାନ୍ତା !”

 

କି ପ୍ରତାରଣା ଶେଷରେ !

 

ସେଦିନ ସେ କହିଥିଲା, “ସେ ସନ୍ତାନକୁ ଗୋଲିମାର । ତୁ ମୋ ପାଇଁ ବେଶୀ ମହତ୍ତ୍ୱପୂର୍ଣ୍ଣ ।” ସେତେବେଳେ ସେ ପିତୃତ୍ଵ କ’ଣ ଜାଣିବାର ସୁଯୋଗ ପାଇନଥିଲା । କିନ୍ତୁ ଆଜି ?

 

ଲାବଣ୍ୟ ଆଖିରେ ଲୁହର ଶ୍ରାବଣ ଧାରା ।

 

କାହିଁକି ରାମର ସାହସ୍ ହେଲାନି ଏତିକି କହିବାକୁ, “ଲାଭି ! ମୁଁ ତୋତେ ଛାଡ଼ପତ୍ର ଦେବାକୁ ଚାହେଁ, ମୁଁ ଏଇ ଝିଅଟିକୁ ବାହାହେବାକୁ ଇଚ୍ଛା କରେ । କାରଣ ସେ ମୋତେ ପିତୃତ୍ଵ ଗୌରବରେ ମଣ୍ଡିତ କରିଛି ।”

 

ସେ କ’ଣ ତା’ ଚାକିରି ଚାଲିଯିବାର ଭୟ କରୁଥିଲା ? ନା ସମ୍ପତ୍ତିର ମୋହ ?

 

ରାମ କ’ଣ ଏମିତି ଭୀରୁ ? ରାମ କ’ଣ ଏଭଳି ଗୋଟେ କାପୁରୁଷ ?

 

ସେ ଘରେ ପହଞ୍ଚି ଦୌଡ଼ିଯାଇଥିଲା ଫୋନ୍ ନିକଟକୁ ।

 

ତା’ ମନ ଆଗ୍ନେୟଗିରୀର ଉତ୍‍କ୍ଷିପ୍ତ ଲାଭାପରି ପ୍ରଜ୍ଜ୍ଵଳିତ ହେଉଥିଲା ।

 

ହୃଦୟ ଭାଙ୍ଗି ଯାଇଥିଲା । ଚୂନା ହୋଇଯାଇଥିଲ ତା’ର ମନ ।

 

ସେ ଫୋନ୍ କଲା ଧମୁକୁ ।

 

ଧମୁ……ଧମୁ……କାନ୍ଦୁଥିଲା ଲାଭି ।

 

“ଲାଭି ! କ’ଣ ହେଲା ?”

 

“ଧମୁ ! ସେ ସିଂହ ନୁହେଁ । ସେ ଗୋଟାଏ ଭୀରୁ । ମୁଁ ସିଂହଛୁଆ ଚାହିଁଥିଲି । ତା’ ଛଡ଼ା ଅନ୍ୟ କିଛି ନୁହେଁ । ମୋ ବାପା ଶେଷ ସମୟ ପର୍ଯ୍ୟନ୍ତ ସିଂହ ଛୁଆପରି ନାତିନାତୁଣୀ ପାଇବାକୁ ବ୍ୟାକୁଳ ଥିଲେ, ମାତ୍ର ସେ ତ ଠେକୁଆଟିଏ ।”

 

“ନା, ନା, ମୁଁ ଠେକୁଆ, କି ଠେକୁଆ ଛୁଆ ଆବଶ୍ୟକ କରେନା । ଧମୁ ! ଦୟାକରି ମୋ ଓକିଲଙ୍କୁ ଡାକ । ତାଙ୍କୁ କହ ମୁଁ ଛାଡ଼ପତ୍ର ଦେବାକୁ ଚାହେଁ-ଚଞ୍ଚଳ ଆ…ଧ…ଅ…ମୁ ।

 

ଆଖିରେ ଆଖିଏ ଲୁହ । ରୁନ୍ଧି ହୋଇଯାଇଥିଲା ଲାବଣ୍ୟର କଣ୍ଠସ୍ୱର । ଛାଡ଼ି ଦେଇଥିବା ଟେଲିଫୋନ୍‍ଟା ଝୁଲୁଥିଲା ପବନରେ ।

 

ଗଛ କାଟିଲାପରି ତଳେ ପଡ଼ି ବଡ଼ ପାଟିରେ କାନ୍ଦୁଥିଲା ଲାବଣ୍ୟ ।

Image